Crude Oil: ୭୫ ଡଲାର ତଳେ ଅଶୋଧିତ ତେଲ; ଯୁଦ୍ଧ ପରଠାରୁ ସର୍ବନିମ୍ନ

Jun 24, 2026 - 20:24
Crude Oil: ୭୫ ଡଲାର ତଳେ ଅଶୋଧିତ ତେଲ; ଯୁଦ୍ଧ ପରଠାରୁ ସର୍ବନିମ୍ନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଚିନ୍ତା ମଧ୍ୟରେ ଏକ ବଡ଼ ଆଶ୍ବସ୍ତିର ଖବର ମିଳିଛି। ଚଳିତ ବର୍ଷ ଫେବ୍ରୁଆରିରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୭୫ ଡଲାରକୁ ହ୍ରାସ ପାଇଛି। ବୁଧବାର ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲକୁ ୩.୦୧ ପ୍ରତିଶତ ହ୍ରାସ ପାଇ ୭୪.୭୬ ଡଲାର ଥିଲା। ଆମେରିକାର ୱେଷ୍ଟ୍‌ ଟେକ୍ସାସ୍‌ ଇଣ୍ଟରମେଡିଏଟ୍‌ର ଦର ମଧ୍ୟ ୨.୯୬ ପ୍ରତିଶତ ହ୍ରାସ ପାଇ ୭୧.୦୪ ଡଲାରକୁ ଖସିଆସିଥିଲା।

ଗତ ‌ଫେବ୍ରୁଆରି ୧୭ ପରେ ତେଲର ଏହା ସର୍ବନିମ୍ନ ଦାମ୍‌। ଏହାର ଗୋଟିଏ ଦିନ ପରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରିଥିଲେ। ତାପରଠାରୁ ତେଲ ଦରରେ ବଡ଼ ଧରଣର ବୃଦ୍ଧି ଘଟିଥିଲା।ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବା ପରେ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବଢ଼ିବାରେ ଲାଗିଛି। ଇରାନ ତେଲ ଉପରେ ଲାଗିଥିବା କଟକଣାକୁ ଆମେରିକା ୬୦ ଦିନ ପାଇଁ ହଟାଇ ଦେଇଛି। ତେଣୁ ଇରାନ ତେଲ ମଧ୍ୟ ବଜାରରେ ପ୍ରବେଶ କରିବା ଆରମ୍ଭ କରିଛି। ସେଥିପାଇଁ ଦର ହ୍ରାସ ପାଉଛି। ଯୁଦ୍ଧ ଚାଲିଥିବା ବେଳେ ଇରାନ ବିପୁଳ ପରିମାଣର ତେଲ ଉତ୍ପାଦନ କରି ଗଚ୍ଛିତ ରଖିଛି। କଟକଣା କୋହଳ କରାଯାଇଥିବାରୁ ସେହି ତେଲ ବଜାରକୁ ଆସିବା ଆରମ୍ଭ ହୋଇଛି।

Stock Market: ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ; ବ୍ୟାଙ୍କ-ଆଇଟି ସେୟାର ମୂଲ୍ୟରେ ବୃଦ୍ଧି

ଚାହିଦାଠାରୁ ତେଲ ଯୋଗାଣ ଅଧିକ ରହିଥିବାରୁ କିଛି ଅଶୋଧିତ ତେଲ ରିହାତିରେ ବିକ୍ରି ହେଉଛି। ହର୍ମୁଜ ପ୍ରଣାଳୀ ଉପରେ କୌଣସି ଟୋଲ୍‌ ଲଗାଇବ ନାହିଁ ବୋଲି ଓମାନ ଘୋଷଣା କରିଛି। ସେଥିପାଇଁ ଏହି ବାଟ ଦେଇ ଜାହାଜ ଚଳାଚଳ ବୃଦ୍ଧି ପାଇଛି। କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ସେହି ସ୍ଥିତି ରହିବ ତାହା କେହି ଆକଳନ କରିପାରୁନାହାନ୍ତି। ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ କିଛି ବି ବିଭ୍ରାଟ ଘଟିଲେ ପୁଣି ତେଲ ଯୋଗାଣ ପ୍ରଭାବିତ ହେବ। ଆଗକୁ ସବୁ କିଛି ହୋଇଯିବ ବୋଲି ଅଧିକାଂଶ ବିଶେଷଜ୍ଞ ଭାବୁଛନ୍ତି। ଶାନ୍ତି ଚୁକ୍ତି ହେବା ପରେ ବ୍ରୋକରେଜ ସଂସ୍ଥାଗୁଡ଼ିକ ଅଶୋଧିତ ତେଲ ଦର ଆକଳନକୁ ବଦଳାଇଛନ୍ତି। ଚଳିତ ବର୍ଷର ଦ୍ବିତୀୟ ଭାଗରେ ତେଲ ଦର ବ୍ୟାରେଲ ପିଛା ୮୦-୮୬ ଡଲାର ଭିତରେ ରହିବ ବୋଲି ସେମାନେ କହିଛନ୍ତି।

ଇରାନ ଯୁଦ୍ଧ ସମୟରେ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ୧୨୦ ଡଲାରରୁ ଉଚ୍ଚ ସ୍ତରକୁ ବଢ଼ିଥିଲା। ଦୁଇ ମାସ ପର୍ଯ୍ୟନ୍ତ ଦାମ ୧୦୦ ଡଲାରରୁ ଅଧିକ ରହିଥିଲା। ତେଣୁ ତୈଳ କମ୍ପାନିଗୁଡ଼ିକ ଚାରି ଥରରେ ପେଟ୍ରୋଲ ଓ ଡିଜେଲ ଦରରେ ୮ ଟଙ୍କା ‌ଲେଖାଏଁ ବୃଦ୍ଧି କରିଥିଲେ। ଅଶୋଧିତ ତେଲ ଦରରେ ହୋଇଥିବା ହ୍ରାସ ଦୀର୍ଘ ସମୟ ରହିଲେ ଓ ଶସ୍ତାରେ କିଣାଯାଇଥିବା ତେଲ ଦେଶରେ ପହଞ୍ଚିଲେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ବିଷୟରେ ବିଚାର କରାଯିବ ବୋଲି କିଛି ଦିନ ତଳେ ପେ‌ଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଛି। ସେଥିପାଇଁ ଏହାର ଦରରେ ଯେକୌଣସି ପ୍ରକାର ବୃଦ୍ଧି ଦ୍ବାରା ଏହା ପ୍ରଭାବିତ ହେଉଛି।