Passport ନାଗରିକତାର ପ୍ରମାଣ ନୁହେଁ, ଏହା କେବଳ ଯାତ୍ରା ଦଲିଲ: ବିଦେଶ ମନ୍ତ୍ରଣାଳୟ

Jun 24, 2026 - 22:40
Passport ନାଗରିକତାର ପ୍ରମାଣ ନୁହେଁ, ଏହା କେବଳ ଯାତ୍ରା ଦଲିଲ: ବିଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପାସପୋର୍ଟକୁ ନାଗରିକତାର ଚୂଡ଼ାନ୍ତ ପ୍ରମାଣପତ୍ର ଭାବେ ଧରାଯିବା ଉଚିତ ନୁହେଁ। ଏହା ମୂଳତଃ ବିଦେଶ ଯାତ୍ରା ପାଇଁ ଜାରି ହେଉଥିବା ଏକ ଯାତ୍ରା ଦଲିଲ ବୋଲି ବିଦେଶ ମନ୍ତ୍ରଣାଳୟ (ଏମ୍‌ଇଏ) ସ୍ପଷ୍ଟ କରିଛି। ୧୪ଶ ‘ପାସପୋର୍ଟ ସେବା ଦିବସ’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏହି ମତ ପ୍ରକାଶ କରିଥିଲେ।

ଅଧିକାରୀମାନଙ୍କ କହିବା ଅନୁସାରେ, ପାସପୋର୍ଟ ଜାରି ହେବା ପୂର୍ବରୁ ଆବେଦକଙ୍କ ତଥ୍ୟ ଓ ଦଲିଲ ଯାଞ୍ଚ କରାଯାଏ। ତଥାପି ଏହାକୁ ନାଗରିକତା ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଅନ୍ତିମ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ପାସପୋର୍ଟର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଜଣେ ବ୍ୟକ୍ତିଙ୍କୁ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଅନୁମତି ଓ ପରିଚୟ ଦେବା।

Election: ବିଶ୍ବଶର୍ମାଙ୍କ ପତ୍ନୀଙ୍କ ପାଖରେ ତିନିଟି ପାସପୋର୍ଟ: କଂଗ୍ରେସ

ଏହି ଅବସରରେ ବିଦେଶ ମନ୍ତ୍ରଣାଳୟ ଦେଶବ୍ୟାପୀ ପାସପୋର୍ଟ ସେବା ବିସ୍ତାରର ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲା। ଗତ କିଛି ବର୍ଷ ଧରି ପାସପୋର୍ଟ ସେବାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ଅଞ୍ଚଳରେ ପାସପୋର୍ଟ ସେବା କେନ୍ଦ୍ର ଓ ଡାକଘର ପାସପୋର୍ଟ ସେବା କେନ୍ଦ୍ର ସ୍ଥାପନ କରାଯାଇଥିବାରୁ ଲୋକମାନେ ଏବେ ଅଧିକ ସହଜରେ ଏହି ସୁବିଧା ପାଇପାରୁଛନ୍ତି। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ପାସପୋର୍ଟ ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଓ ପ୍ରଯୁକ୍ତିନିର୍ଭର କରାଯାଇଛି। ଅନଲାଇନ୍ ବ୍ୟବସ୍ଥା, ଡିଜିଟାଲ୍ ସେବା ଓ ଉନ୍ନତ ଯାଞ୍ଚ ପ୍ରକ୍ରିୟା ଫଳରେ ଆବେଦକମାନେ ପୂର୍ବପେକ୍ଷା କମ୍ ସମୟରେ ପାସପୋର୍ଟ ପାଉଛନ୍ତି।