Cyclone Akvan Impact: ଅକଓ୍ୱାନ ଉଡ଼ାଇଲା କମ୍, ବୁଡ଼ାଇଲା ବେଶି; ଲଗାଣ ବର୍ଷାରେ ବେହାଲ ଗଂଜାମ, ବ୍ରହ୍ମପୁର ସହର ଉବୁଟୁବୁ
ଅକୱାନ ଆସି ଉଡ଼ାଇଲା କମ୍, ବୁଡ଼ାଇଲା ବେଶି।
ବାତ୍ୟା ଅକୱାନ୍ ପ୍ରଭାବରେ କାଲିଠୁ ଲଗାଣ ବର୍ଷା ପରେ ବିଗିଡ଼ି ଯାଇଛି ଦକ୍ଷିଣରୁ ଉପକୂଳ ଯାଏଁ ସ୍ଥିତି।
ମୂଷଳ ଧାରାର ବର୍ଷା, ଅନେକ ଜିଲ୍ଲାରେ ସୃଷ୍ଟି କରିଛି ବନ୍ୟା ପରିସ୍ଥିତି।
କେଉଁଠି ଗାଁ ଗଣ୍ଡା ବୁଡ଼ିଛି ତ ଆଉ କେଉଁଠି ରାସ୍ତାଘାଟ।
ବିଶେଷକରି ଗଂଜାମରେ କ୍ଷୟକ୍ଷତିର ଚିତ୍ର ଅଧିକ ସାମ୍ନାକୁ ଆସିଥିବା ବେଳେ କଟକ ସହର ଆଉ ରାଜଧାନୀ ଭୁବନେଶ୍ବର ବି ବାତ୍ୟା ଜନିତ ବର୍ଷା ପ୍ରକୋପରୁ ବର୍ତ୍ତି ପାରିନି।
Advertisment ଗଂଜାମରେ ଉବୁଟୁବୁ ସ୍ଥିତି।
ରାଜଧାନୀରେ ସଙ୍ଗୀନ ଆଉ ଆକ୍ତାମାକ୍ତା କଟକ ସହର।
ବାତ୍ୟା ଅକୱନ୍ ପ୍ରଭାବରେ ଲଗାଣ ବର୍ଷା ପରେ ବେହାଲ ଦକ୍ଷିଣରୁ ଉଉକୂଳ।
ଗତକାଲିଠୁ ତୁହାକୁ ତୁହା ପ୍ରବଳ ବର୍ଷା ପରେ ଇଏ ଆଜିର ସ୍ଥିତି।
ଏ ଦୃଶ୍ୟ ବ୍ରହ୍ମପୁର ସହର ଓ ସହର ତଳି ଅଞ୍ଚଳର।
ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଭିତରେ ଏପଟେ ଅଣାୟତ୍ତ ହେଉଥିଲା ଗଂଜାମ ଜିଲ୍ଲାର ସ୍ଥିତି।
ମୂଷଳ ଧାରାରେ ବର୍ଷା ଯୋଗୁଁ ଉବୁଟୁବୁ ହୋଇଥିଲା ବ୍ରହ୍ମପୁର ସହରର ବିଭିନ୍ନ ଅଂଚଳ।
ବିଶେଷକରି ନୀଳାଚଳ ନଗର, ଅଶୋକ ନଗର, ଗଜପତି ନଗର, ଜୟପ୍ରକାଶ ନଗର ଆଦି ୧୧ରୁ ଅଧିକ ଜନବସତି ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା।
କେଉଁଠି ଅଣ୍ଟାଏ ତ କେଉଁଠି ଆଣ୍ଠୁଏ ପାଣି ପରେ ଘରୁ ବାହାରି ପାରି ନଥିଲେ ଲୋକେ।
କିଛି ସ୍ଥାନରେ ପାୱାର ବୋଟ୍ ଜରିଆରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ।
Advertisment ଏପଟେ ନନଷ୍ଟପ୍ ବର୍ଷାରୁ ସଙ୍ଗୀନ ସ୍ଥିତି ସୃଷ୍ଟି ହୋଇଥିଲା କଟକ ସହରରେ।
ଇଏ ମାଲଗୋଦାମ ଅଞ୍ଚଳ।
ଅବିଶ୍ରାନ୍ତ ବର୍ଷା ପରେ ରାସ୍ତାରେ ଲହଡ଼ି ଭାଙ୍ଗିଥିଲା ଆଣ୍ଠୁଏ ଉଚ୍ଚର ପାଣି।
ସେହିଭଳି କଟକ ସହରର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଜଳବନ୍ଦୀ ସ୍ଥିତି।
ଏସବୁ ସ୍ଥାନରୁ ପାଣି ଖାଲି କରିବାକୁ କେଏମସି ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ୩୧୦ଟି ମୋଟର ପମ୍ପକୁ କାମରେ ଲଗାଯାଇଥିଲା।
ଏଣେ ବର୍ଷା ସାଙ୍ଗକୁ ପବନ ପରେ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜନକୁ ଲାଗିଛି ଶକ୍ତ ଧକ୍କା।
ପଡ଼ିଆରେ ପାଣି ଜମିବା ସହ ଷ୍ଟଲ୍ ଓ ଅନ୍ୟ ବ୍ୟବସାୟୀକ ପ୍ରସ୍ତୁତି ଗୁରୁତର ପ୍ରଭାବିତ ହୋଇଛି।
ସେପଟେ ବର୍ଷା, ପବନରେ ମୁଣ୍ଡୁଳି ସ୍ଥିତ ବାଲିଯାତ୍ରା ଅସ୍ଥାୟୀ ଗେଟ୍ ଭାଙ୍ଗି ପଡ଼ିଛି।
ଏଣେ ବାତ୍ୟା ଅକୱନ ଆଣିଥିବା ପ୍ରବଳ ବର୍ଷାର ପ୍ରକୋପରୁ ବର୍ତ୍ତିପାରିନଥିଲା ରାଜଧାନୀ ଭୁବନେଶ୍ବର।
କାଲି ସଂଧ୍ୟାରୁ ଲଗାଣ ବର୍ଷା ପରେ ଜଳାର୍ଣ୍ଣବ ହୋଇଥିବା ସ୍ମାର୍ଟସିଟିର କିଛି ତଳିଆ ଅଞ୍ଚଳ।
ହଂସପାଳ ସ୍ୱାଇଁ ସାହିରେ ଜଳବନ୍ଦୀ ସ୍ଥିତି ପରେ ପମ୍ପ ଲଗାଇ ପାଣି ଖାଲି କରିଥିଲା ବିଏମସି।
ବାତ୍ୟା ଅକୱାନର ପବନ ଯେତିକି ଉଡ଼ାଇଛି, ତାଠୁ ବୁଡାଇଛି ଅଧିକ।
ଇଏ ଗଂଜାମ ଜିଲ୍ଲା ଦିଗପହଣ୍ଡିର ଦୃଶ୍ୟ।
ପ୍ରବଳ ବର୍ଷା ପରେ ଦିଗପହଣ୍ଡି ବଜାର ଓ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିଲା।
ସେହିଭଳି ଖଲ୍ଲିକୋଟ ଓ ପୋଲସରା ଅଞ୍ଚଳରେ ବି ସୃଷ୍ଟି ହୋଇଥିଲା ବନ୍ୟା ସ୍ଥିତି।
ଖଲ୍ଲିକୋଟ ବ୍ଲକର ବହୁ ବହୁ ଗାଁ ଏବେ ଜଳବନ୍ଦୀ।
ସେହିଭଳି ପୋଲସରା ବ୍ଲକ ଚିରିକିପଡ଼ା ଶାସନ ତୁମ୍ବେଶ୍ୱର ପୀଠ ନିକଟରେ ବାଘୁଆ କେନାଲର ବନ୍ଧ ଭାଙ୍ଗିଯିବାରୁ ଏକର ଏକର ଚାଷ ଜମିରେ କ୍ଷତିଗ୍ରସ୍ତ ହୋଇଛି।
ଏପଟେ ବାଘୁଆ ଡ୍ୟାମରେ ଆଗକୁ ଜଳପତ୍ତନ ବଢ଼ିଯିବା ଆଶଙ୍କା କରି ବନ୍ୟାଜଳ ନିଷ୍କାସନ କରିଛି ପ୍ରଶାସନ।
ସେପଟେ ମା ତାରାତାରିଣୀ ମନ୍ଦିରକୁ ଯିବାକୁ ଥିବା ମୁଖ୍ୟ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଧସିଥିବା ଓ ଗଛ ଭାଙ୍ଗିଥିବା ଦେଖିବକୁ ମିଳିଛି।
ଏଥିପାଇଁ କିଛି ସମୟ ଧରି ରାସ୍ତା ଅବରୋଧ ପରେ ଏହାକୁ ତୁରନ୍ତ ହଟାଇଥିଲା ଅଗ୍ନିଶମ ଓ ଓଡ୍ରାଫ୍ ବାହିନୀ।
ବାତ୍ୟା 'ଅକୱାନ୍' ପ୍ରଭାବରେ ବର୍ଷା ଓ ପବନ ଫଳରେ ଗଜପତି ଜିଲ୍ଲାରୁ ବି ଆସିବାରେ ଲାଗିଛି କ୍ଷୟକ୍ଷତିର ଚିତ୍ର।
ମହେନ୍ଦ୍ର ତନୟା ନଦୀ ଉପରେ ଥିବା ମଛମୋରା ସେତୁ ନିକଟରେ ଗଛ ଉପୁଡ଼ି ପଡ଼ିବା ପରେ ଏହାକୁ ତୁରନ୍ତ ହଟାଇଛି ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ନିୟୋଜତ ଟିମ୍।
ସେପଟେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ବହୁ ସଂଖ୍ୟାରେ ଗଛ ଭାଙ୍ଗିଛି।
ସେହିପରି ନିମାପଡ଼ା ଥାନା ପରିସରରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
