Puri Rath Jatra: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୪୦୦ ବସ୍‌; ଅନ୍ୟ ରୁଟ୍ ବସ୍‌କୁ ମିଳିବ ଅସ୍ଥାୟୀ ପରମିଟ୍‌

Jun 24, 2026 - 22:21
Puri Rath Jatra: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୪୦୦ ବସ୍‌; ଅନ୍ୟ ରୁଟ୍ ବସ୍‌କୁ ମିଳିବ ଅସ୍ଥାୟୀ ପରମିଟ୍‌

"ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କୁ ଯେପରି ସୁଗମ ପରିବହନ ସେବା ଯୋଗାଇ ଦିଆଯାଇପାରିବ ସେନେଇ ପରିବହନ କମିସନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ନିଷ୍ପତ୍ତି ହୋଇଛି ଯେ ଏବେ ପୁରୀକୁ ପ୍ରତିଦିନ ପ୍ରାୟ ୨୦୦ଟି ଘରୋଇ ବସ୍‌ ଯାତାୟତ କରୁଥିବାବେଳେ ରଥଯାତ୍ରା ସମୟରେ ଅନ୍ୟ ରୁଟ୍‌ରେ ଯାତାୟତ କରୁଥିବା ପ୍ରାୟ ଆଉ ୨୦୦ଟି ବସ୍‌କୁ ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ।

ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଏହି ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ।

ଏହିପରି ପ୍ରାୟ ୪୦୦ ଘରୋଇ ବସ୍‌ ଚଳାଇବାକୁ ଯୋଜନା ହୋଇଛି।

ଏହା ସହ ଓଏସ୍‌ଆର୍‌ଟିସି ଏବଂ କ୍ରୁଟ୍‌ର ବସ୍‌ ସେବାକୁ ବଢ଼ାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।Advertisment ଭୁବନେଶ୍ବର ଆର୍‌ଟିଓ-୧ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ବସ୍‌ରେ କୌଣସି ଯାତ୍ରୀ ଅସୁସ୍ଥ ହେଲେ ତୁରନ୍ତ ସହାୟତା ପ୍ରଦାନ ପାଇଁ ସମସ୍ତ ‎ବସ୍‌ରେ ପ୍ରାଥମିକ ଚିକିତ୍ସା କିଟ୍ ରଖାଯିବ।

ପ୍ରମୁଖ ବସ୍ ଟର୍ମିନାଲ, ବସ୍ ଷ୍ଟପ୍ ଏବଂ ବସ୍‌ଗୁଡ଼ିକରେ ‎ଯାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଓଆର୍‌ଏସ୍‌ ପ୍ୟାକେଟ୍ ବ୍ୟବସ୍ଥା କରାଯିବ।

ରଥଯାତ୍ରା ସମୟରେ ପୁରୀଠାରେ ଏକ ସୂଚନା କେନ୍ଦ୍ର ତଥା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ଖୋଲା ରହିବ। ‎ଏଥିପାଇଁ ସ୍ୱତନ୍ତ୍ର ନମ୍ବର ଜାରି ହେବ।

ତାଳବଣିଆରେ ମଧ୍ୟ ଏକ ହେଲ୍‌ପ ଡେସ୍କ କାର୍ଯ୍ୟ କରିବ।

ଏହାସହ ଏସ୍‌ଟିଏର ‎୨୪ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ମଧ୍ୟ ସୂଚନା ପ୍ରଦାନ ପାଇଁ କାର୍ଯ୍ୟ କରିବ।

ଯାତ୍ରୀଙ୍କ ସୁବିଧା ପାଇଁ ତାଳବଣିଆଠାରେ ପାନୀୟ ଜଳ ଏବଂ ବିଦ୍ୟୁତ ସୁବିଧା ଥାଇ ବିଶ୍ରାମ ଗୃହ ନିର୍ମାଣ କରାଯିବ। ‎ଏହା ସହ ନିଃଶୁଳ୍କ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ।

ସେହିଭଳି ମାଳତୀପାଟପୁରରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା ‎କରାଯିବ।

ଅନ୍ୟ ରାଜ୍ୟର ବସ୍‌ଗୁଡ଼ିକ ମାଳତୀପାଟପୁରଠାରେ ଅଟକିବା ପାଇଁ ବ୍ୟବସ୍ଥା ହେବ ଏବଂ ସେଠାରୁ ଶ୍ରଦ୍ଧାଳୁଙ୍କ ‎ପାଇଁ ନିଃଶୁଳ୍କ ସଟଲ୍ ସର୍ଭିସ୍ ପ୍ରଦାନ କରାଯିବ।

ସେହିଭଳି ତାଳବଣିଆ ଓ ଅନ୍ୟ ପ୍ରମୁଖ ପାର୍କିଂ ସ୍ଥାନରୁ ନିଃଶୁଳ୍କ ଇ-ରିକ୍ସା ‎ସୁବିଧା ପରିବହନ ବିଭାଗ ଦ୍ୱାରା କରାଯିବ।

ଏଥିପାଇଁ ୪୫୦ଟି ଇ-ରିକ୍ସା ନିୟୋଜିତ ହେବ।

Puri Rath Yatra 2026 ପୁରୀ ରଥଯାତ୍ରା ପାଇଁ ୧୩ ଓଏଏସ୍‌ ଅଧିକାରୀ ନିଯୁକ୍ତ ପ୍ରତି ବସ୍‌ରେ ଭଡ଼ା ଚାର୍ଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି।

କୌଣସି ବସ୍ ଯେପରି ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ‎ଆଦାୟ ନ କରନ୍ତି, ସେଥିପାଇଁ ପରିବହନ ବିଭାଗ ସହ ବସ୍ ମାଲିକ ସଂଘ ମଧ୍ୟ କଡ଼ା ଦୃଷ୍ଟି ଦେବେ।

ସେହିଭଳି ପୁରୀରେ ‎ଅଟୋ ରିକ୍ସା ଭଡ଼ା ପ୍ରତି ମଧ୍ୟ ଆର୍‌ଟିଓ ଦୃଷ୍ଟି ଦେବେ।

ଯାତ୍ରୀମାନେ ଯେପରି କୌଣସି ପ୍ରକାର ଶୋଷଣର ଶିକାର ନ ହୁଅନ୍ତି, ‎ତାହା ସର୍ବାଧିକ ପ୍ରାଥମିକତାରେ ରହିବ।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱରରୁ ପୁରୀ ରାସ୍ତାରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ରେନ୍ ଓ ଆମ୍ବୁଲାନ୍ସ ‎ମୁତୟନ କରାଯିବ।

ଏଥିପାଇଁ ପୁଲିସ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ରହିବ।

ଉଭୟ ସରକାରୀ ଓ ‎ଘରୋଇ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରାଯିବ।‌ ସେହିପରି ଭୁବନେଶ୍ୱର-ପୁରୀ ଏବଂ ପୁରୀ-କୋଣାର୍କ ରାଜପଥରେ ଯଦି କୌଣସି ଗାଡ଼ି ଖରାପ ହୁଏ, ତେବେ ‎ତୁରନ୍ତ ମରାମତି ସେବା ଯୋଗାଇଦେବା ପାଇଁ ଗାଡ଼ି ନିର୍ମାତା ଓ ଡିଲରମାନଙ୍କୁ କୁହାଯାଇଛି।

କିଛି ମୁଖ୍ୟ ସ୍ଥାନମାନଙ୍କରେ ‎ଗାଡ଼ି ନିର୍ମାତା ଓ ଡିଲରମାନେ ସହାୟତା କ୍ୟାମ୍ପ ସ୍ଥାପନ କରିବେ।

ଏହି ବୈଠକରେ ଭୁବନେଶ୍ୱର ଓ କଟକ ଡିସିପି, ଟ୍ରାଫିକ ଡିସିପି, ପୁରୀର ଅତିରିକ୍ତ ଏସ୍‌ପି, ଏସ୍‌ଟିଏ କର୍ତ୍ତୃପକ୍ଷ, ବସ୍ ମାଲିକ ସଂଘର ‎କର୍ମକର୍ତ୍ତା, ଓଏସ୍‌ଆର୍‌ଟିସି ଏବଂ କ୍ରୁଟ୍‌ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପୁରୀ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

"