16 JULY 2026

Welcome!

Unlock your personalized experience.
Sign Up

CMO: ସିଏମ୍‌ଓରୁ ତଦନ୍ତ କମିସନ ଫାଇଲ୍‌ ହଜିବା ଘଟଣା: ରାଜେଶ ବର୍ମା, ମନୋଜ ମିଶ୍ରଙ୍କୁ ସମନ

Jul 16, 2026 - 03:20
CMO: ସିଏମ୍‌ଓରୁ ତଦନ୍ତ କମିସନ ଫାଇଲ୍‌ ହଜିବା ଘଟଣା: ରାଜେଶ ବର୍ମା, ମନୋଜ ମିଶ୍ରଙ୍କୁ ସମନ

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ଅନ୍ୟମାନଙ୍କ ହତ୍ୟା ଘଟଣାରେ ଜଷ୍ଟିସ୍ ନାଇଡ଼ୁ କମିସନ ଦେଇଥିବା ତଦନ୍ତ ରିପୋର୍ଟ ଏବଂ ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାର ଆର୍‌ଡିସି ତଦନ୍ତ ରିପୋର୍ଟ ହଜିବା ମାମଲାରେ ତଦନ୍ତକାରୀ ଟିମ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ପ୍ରମୁଖ ସଚିବ ରାଜେଶ ବର୍ମା ଏବଂ ଓଏସ୍‌ଡି ମନୋଜ ମିଶ୍ରଙ୍କୁ ସମନ କରିଛି। ଏହି ଦୁଇ ଅଧିକାରୀଙ୍କୁ ଜୁଲାଇ ୨୨ ତାରିଖ ପୂର୍ବାହ୍ନ ୧୧ଟାରେ ତଦନ୍ତକାରୀ ଅଧିକାରୀ ତଥା କ୍ୟାପିଟାଲ ଥାନାର ଅତିରିକ୍ତ ଆଇଆଇସି ବିପିନ ବିହାରୀ ହୋତାଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। ଏହାସହ ସେମାନଙ୍କ ପାଖରେ ଯଦି ଏହି ଦୁଇଟି ତଦନ୍ତ କମିସନ ଫାଇଲ୍‌ ସମ୍ପର୍କିତ କୌଣସି ଡକୁମେଣ୍ଟ, ରେକର୍ଡ, ଇଲେକ୍ଟ୍ରୋନିକ ଡିଭାଇସ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଅଛି ତେବେ ତାହାକୁ ଆଣିବାକୁ କୁହାଯାଇଛି। ନୋଟିସ୍‌ରେ କୁହାଯାଇଛି ଯେ ଏହି ମାମଲାରେ ତଦନ୍ତ ସମୟରେ ସଂଗୃହୀତ ହୋଇଥିବା ତଥ୍ୟ ଅନୁଯାୟୀ, ଆପଣ ଏହି ମାମଲାର ତଥ୍ୟ ଓ ପରିସ୍ଥିତି ସହିତ ସଂପୃକ୍ତ ଥିବା ମନେ ହେଉଥିବାରୁ ଆପଣଙ୍କୁ ହାଜର ହେବାକୁ ନୋଟିସ୍‌ କରାଯାଇଛି। ତେଣୁ ତଦନ୍ତରେ ଆଇନ ଅନୁଯାୟୀ ସହଯୋଗ କରିବେ। ତଦନ୍ତକାରୀ ଅଧିକାରୀ ଏହି ନୋଟିସ୍‌ କରିଥିଲେ ହେଁ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ କୌଣସି ନୋଟିସ୍‌ କରିନି କି କାହାକୁ ନୋଟିସ୍‌ ହୋଇନି। ଯଦି ତଦନ୍ତକାରୀ ଅଧିକାରୀ ନୋଟିସ୍‌ କରିନାହାନ୍ତି ତେବେ କିଏ ତାଙ୍କ ନାମରେ ନୋଟିସ୍‌ କରିଛି? ନା ତଦନ୍ତକାରୀ ଅଧିକାରୀ ଘଟଣାକୁ ଲୁଚାଇବାକୁ ଗଣମାଧ୍ୟମକୁ ଏମିତି କହିଛନ୍ତି, ସେ ନେଇ ଏବେ ପ୍ରଶ୍ନ ଉଠିଛି। 

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ

ଜୁଲାଇ ୨୨ରେ କ୍ୟାପିଟାଲ ଥାନାରେ ହାଜର ହୋଇ ପକ୍ଷ ରଖିବେ
ନୋଟିସ୍‌ ସମ୍ପର୍କରେ ଜାଣି ନଥିବା କହିଲେ ତଦନ୍ତକାରୀ ଅଧିକାରୀ

ସୂଚନାଯୋଗ୍ୟ, ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ରାଜେଶ ବର୍ମା ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ। ୨୦୨୨ ମସିହାରେ ସେ ରାଷ୍ଟ୍ରପତିଙ୍କ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଚାକିରିରୁ ଅବସର ନେବା ପରେ ସେ ଏବେ ନୂଆଦିଲ୍ଲୀରେ କମିସନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ପୂର୍ବତନ ଆଇଆର୍‌ଟିଏସ୍‌ ଅଧିକାରୀ ମନୋଜ ମିଶ୍ର ଚାକିରିରୁ ଇସ୍ତଫା ଦେବା ପରେ ରାଜ୍ୟ ସରକାର ତାଙ୍କୁ ପୁଣି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଥିଲେ। ସରକାର ବଦଳିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହି ଦୁଇ ଅଧିକାରୀ ସିଏମ୍‌ଓର ଗୁରୁତ୍ବପୂର୍ଣ୍ଣ ପଦବିରେ କାର୍ଯ୍ୟ କରୁଥିବାବେଳେ ସମସ୍ତ ପ୍ରମୁଖ ଫାଇଲ୍‌ ଦାୟିତ୍ବରେ ଥିଲେ। ଏପରିକି ଶ୍ରୀ ବର୍ମାଙ୍କ ସମୟରେ ଏହି ଦୁଇଟି ତଦନ୍ତ କମିସନଙ୍କ ଫାଇଲ୍‌ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲା। ସେହିପରି ଶ୍ରୀ ମିଶ୍ର ଓଏସ୍‌ଡି ଥିବାବେଳେ ସିଏମ୍‌ଓରୁ ବିଭିନ୍ନ ଫାଇଲ୍‌ ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ତେଣୁ ଏହି ଦୁଇ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ ଥିବାରୁ ଉଭୟଙ୍କୁ ସମନ କରାଯାଇଛି।

Horoscope 2026 July 16: ଜାଣନ୍ତୁ ଆଜିର ରାଶିଫଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।