Puri Jagannath: କେଉଁ ନାମ ଧରି ଡାକିବି ତୁମକୁ... ତୁମେ ତ ସର୍ବନାମ

Jul 16, 2026 - 06:15
Puri Jagannath: କେଉଁ ନାମ ଧରି ଡାକିବି ତୁମକୁ... ତୁମେ ତ ସର୍ବନାମ

"ଭୁବନେଶ୍ବର (ଶେଖ୍ ଅବଦୁଲ୍ ହଲିମ୍): ଜଗନ୍ନାଥଙ୍କ ମହିମା ଅପରମ୍ପାର।

ସେ ଭାବ ବିନୋଦିଆ।

ସେ ଭାବକୁ ନିକଟ ଆଉ ଅଭାବକୁ ଦୂର।

ଭକ୍ତର ଭାବରେ ସେ ବନ୍ଧା।

ସେହିପରି ସେ ହେଉଛନ୍ତି ସର୍ବନାମ।

ତାଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ନାମରେ ଡକାଯାଇ ପାରେନା।

ଜଗାକାଳିଆଙ୍କର ନାମ ପରି କୌଣସି ଏକ ନିର୍ଦ୍ଦିଷ୍ଟ ବେଶ ମଧ୍ୟ ନାହିଁ।

ବିଭିନ୍ନ ତିଥିରେ ସେ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି।

ସେହିପରି ପ୍ରତିଦିନ ବାର ଅନୁସାରେ ଭିନ୍ନ ଭିନ୍ନ ପାଟବସ୍ତ୍ର ଶ୍ରୀଦିଅଁଙ୍କ ଅଙ୍ଗରେ ଲାଗି ହୋଇଥାଏ।Advertisment ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୨ଟି ବେଶ ମଧ୍ୟରୁ ପ୍ରତିବର୍ଷ ୩୦ଟି ବେଶ ସମ୍ପନ୍ନ ହୋଇଥାଏ।

ତେବେ  ଅନ୍ୟ ଦୁଇଟି ବେଶ ବିରଳ ତିଥିରେ ସମ୍ପନ୍ନ ହୋଇଥାଏ।

ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ।

ଯେଉଁ ବର୍ଷ ବୈଶାଖ କୃଷ୍ଣପକ୍ଷ ନବମୀ ଗୁରୁବାର ଶ୍ରବଣା ମକର ପଡ଼ିଥାଏ ସେହି ବର୍ଷ ଶ୍ରୀଜଗନ୍ନାଥଙ୍କର ରଘୁନାଥ ବେଶ ହୋଇଥାଏ।

୧୯୦୫ ମସିହା  ଅପ୍ରେଲ ୨୭ ଓ ମେ" ୩ ପରଠାରୁ ରଘୁନାଥ ବେଶ ଆଉ ହୋଇନାହିଁ।

ଅପ୍ରେଲ ମାସ ୨୭ ତାରିଖ ଗୁରୁବାର ଦିନ ଏବଂ ପ୍ରବଳ ଭିଡ଼ ଯୋଗୁ ଅନେକ ଶ୍ରଦ୍ଧାଳୁ ଏ ବେଶ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ପୁନଶ୍ଚ ମେ" ୩ ତାରିଖ ବୁଧବାର ଦିନ ଶେଷଥର ନିମନ୍ତେ ରଘୁନାଥ ମହାବେଶ ହୋଇଥିଲା।

ରଘୁନାଥ ବେଶଶ୍ରୀମନ୍ଦିର ତଥ୍ୟ ଅନୁଯାୟୀ ରଘୁନାଥ ବେଶ ଦଶଥର ଅନୁଷ୍ଠିତ ହୋଇଥିଲା।

ସେଥି ମଧ୍ୟରେ ୧୫୭୭ ମସିହା (ବୈଶାଖ କୃଷ୍ଣ ଦଶମୀ),୧୭୩୯ ମସିହା (ବୈଶାଖ କୃଷ୍ଣ ଦଶମୀ), ୧୮୦୯ ମସିହା (ମୁକୁନ୍ଦ ଦେବଙ୍କ ୧୪ ଅଙ୍କ),୧୮୩୩ ମସିହା (ରାମଚନ୍ଦ୍ରଦେବଙ୍କ ୧୯ ଅଙ୍କ),୧୮୪୨ ମସିହା (ବୀର କିଶୋର ଦେବଙ୍କ ୩ ଅଙ୍କ),୧୮୫୦ ମସିହା (ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ),୧୮୯୩ ମସିହା (ମୁକୁନ୍ଦ ଦେବଙ୍କ ରାଜତ୍ୱର ୧୪ ଅଙ୍କ),୧୮୯୬ ମସିହା (ମୁକୁନ୍ଦ ଦେବଙ୍କ ରାଜତ୍ୱର ୧୮ ଅଙ୍କ),୧୯୦୫ ମସିହା ଏପ୍ରିଲ ୨୭ ତାରିଖ, ବୈଶାଖ କୃଷ୍ଣ ନବମୀ, ଗୁରୁବାର ଏବଂ ୧୯୦୫ ମସିହା ମେ" ୩ ତାରିଖ, ବୁଧବାର ଦିନ ହୋଇଥିଲା।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶସେହିପରି ନାଗାର୍ଜୁନ ବେଶ ଯାହାକି ପର୍ଶୁରାମ ବେଶ ନାମରେ ମଧ୍ୟ ଜଣାଶୁଣା ଶ୍ରୀଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କୁ କରାଯାଉଥିବା ବେଶଗୁଡ଼ିକ ଭିତରୁ ଏକ ବିରଳ ବେଶ।

ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୋଇଥାଏ।

ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ଏବଂ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା।

ଶେଷଥର ପାଇଁ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥିଲା।

ପରବର୍ତ୍ତୀ ନାଗାର୍ଜୁନ ବେଶ ନିମନ୍ତେ ତିଥି ଯୋଗ ଆସନ୍ତା ୨୦୨୯ ମସିହା ନଭେମ୍ବର ୨୦ ତାରିଖରେ ମଳ ଚତୁର୍ଦ୍ଦଶୀ ଦିନ ପଡ଼ିବ।

ତା"ପରେ ୨୦୩୦ରେ ବି ଛଅଦିନିଆ ପଞ୍ଚକ ପଡୁଛି।

ତାହା ୨୦୩୦ ‌ନଭେମ୍ବର ୯ ତାରିଖରେ ପଡ଼ିବ।

ପୁଣି ୬ବର୍ଷ ପରେ ୨୦୩୬ ନଭେମ୍ବର ୨ ତାରିଖରେ ମଧ୍ୟ ନାଗାର୍ଜୁନ ବେଶ ଯୋଗ ଅଛି।

ଏସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା, କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ଶିବ, ରାମ-କୃଷ୍ଣାଦି ରୂପ ଧାରଣ କରିଥାନ୍ତି।

ମହାପ୍ରଭୁଙ୍କ ସମସ୍ତ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଦ୍ଧ ଓ ହରିହର ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।

ଜଗନ୍ନାଥଙ୍କ ବେଶ ମଧ୍ୟରୁ କେତେକ  ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ।

ସେଥିମଧ୍ୟରୁ ସୁନାବେଶ ପାଞ୍ଚଥର ଓ ଶ୍ରାଦ୍ଧ ବେଶ ତିନିଦିନ, ଝୁଲଣ ସନ୍ଧ୍ୟା ବେଶ ସାତ ଦିନ, ଚନ୍ଦନଲାଗି ବେଶ ବୟାଳିଶ ଦିନ, ରାଧାଦାମୋଦର ବେଶ ଏକମାସ ପାଇଁ ହୋଇଥାଏ।

ସେହିପରି ଅବକାଶ ବେଶ, ନିତ୍ୟଧୂପ ବେଶ ଏବଂ ବଡ଼ସିଂହାର ବେଶ ଆଦି ତିନୋଟି ବେଶ ପ୍ରତ୍ୟହ ସଂପନ୍ନ ହୋଇଥାଏ।

ଜଗନ୍ନାଥ ସଂସ୍କୃତିରେ ଉଲ୍ଲେଖ ଥିବା ଜଗନ୍ନାଥଙ୍କର ବିଭିନ୍ନ ପ୍ରକାର ବେଶ:ଅବକାଶ ବେଶ ବା ତଡ଼ପ ଉତ୍ତରୀ ବେଶ: ପ୍ରତ୍ୟେକ ଦିନ ସକାଳେ ଅବକାଶ ପୂଜା ସମୟରେ ଏହି ବେଶ ଅନୁଷ୍ଠିତ ହୁଏ।ନିତ୍ୟଧୂପ ବେଶ ବା ପ୍ରତିଦିନ ବେଶ ବା ସାଧା ବେଶ: ପ୍ରତ୍ୟେକ ଦିନ ତିନି ଧୂପ ସମୟରେ ଏହି ବେଶ ଅନୁଷ୍ଠିତ ହୁଏ।ବଡ଼ସିଂହାର ବେଶ: ପ୍ରତ୍ୟେକ ଦିନ ଏହି ବେଶ ସହିତ ରାତ୍ର ପହୁଡ଼ ଅନୁଷ୍ଠିତ ହୁଏଚନ୍ଦନଲାଗି ବେଶ: ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଦୀର୍ଘ ବୟାଳିଶ ଦିନଧରି ଏହି ବେଶ ଅନୁଷ୍ଠିତ ହୁଏ।ଗଜାନନ ବେଶ ବା ଗଣପତି ବେଶ ବା ହାତୀ ବେଶ: ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଏହି ବେଶ ଅନୁଷ୍ଠିତ ହୁଏ।ନବଯୌବନ ବେଶ: ଆଷାଢ ପ୍ରତିପଦ ଅର୍ଥାତ୍, ରଥଯାତ୍ରାର ପୂର୍ବଦିନ ଏହି ବେଶ ଅନୁଷ୍ଠିତ ହୁଏ।ସେନାପଟାଲାଗି ବେଶ: ରଥଯାତ୍ରା, ସ୍ନାନଯାତ୍ରା ଓ ବାହୁଡା ଯାତ୍ରାର ପୂର୍ବଦିନ ଏହି ବେଶ ଅନୁଷ୍ଠିତ ହୁଏ।ଟାହ୍ୟାଲାଗି ବେଶ: ରଥଯାତ୍ରା, ସ୍ନାନଯାତ୍ରା,ବାହୁଡା ଯାତ୍ରା, ଆଡପ ବିଜେ ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଏହି ବେଶ ଅନୁଷ୍ଠିତ ହୁଏ।ସୁନାବେଶ ବା ବଡ଼ତଢ଼ାଉ ବେଶ: ଆଷାଢ଼ ଶୁକ୍ଳ ଏକାଦଶୀ ରଥ ଉପରେ, ଆଶ୍ୱିନ ଶୁକ୍ଳ ଦଶମୀ(ଦଶହରା), କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଏବଂ ଦୋଳ ପୂର୍ଣ୍ଣିମା ଉକ୍ତ ପାଞ୍ଚ ତିଥିରେ ଏହି ବେଶ ଅନୁଷ୍ଠିତ ହୁଏ।ଝୁଲଣ ସନ୍ଧ୍ୟାଧୂପ ବେଶ: ଶ୍ରାବଣ ଶୁକ୍ଳ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ ସାତଦିନ ଏହି ବେଶ ଅନୁଷ୍ଠିତ ହୁଏ।ବଣଭୋଜି ବେଶ: ଭାଦ୍ରବ କୃଷ୍ଣ ଦଶମୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ।କାଳୀୟଦଳନ ବେଶ: ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ।ପ୍ରଳମ୍ବାସୁରବଧ ବେଶ: ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ।କୃଷ୍ଣ ବଳରାମ ବେଶ: ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ। (ପୂର୍ବେ ଏହି ବେଶ ବଦଳରେ ଗିରି ଗୋବର୍ଦ୍ଧନ ବେଶ ହେଉଥିଲା।)ବଳିବାମନ ବେଶ ବା ବାମନ ବେଶ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ।ରାଧାଦାମୋଦର ବା ରାଇଦାମୋଦର ବେଶ: ପ୍ରତ୍ୟେକ ବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ।ହରିହର ବେଶ: ଦୀପାବଳି ଅମାବାସ୍ୟାଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସମସ୍ତ ସୋମବାରରେ ଏହି ବେଶ ଅନୁଷ୍ଠିତ ହୁଏ।ଠିଆକିଆ ବେଶ ବା ଲକ୍ଷ୍ମୀନାରାୟଣ ବେଶ: କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ।ବାଙ୍କଚୂଡ଼ା ବେଶ: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ।ଡାଳିକିଆ ବେଶ ବା ତ୍ରିବିକ୍ରମ ବେଶ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ।ଆଡ଼କିଆ ବେଶ ବା ଲକ୍ଷ୍ମୀନୃସିଂହ ବେଶ: କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏହି ବେଶ ଅନୁଷ୍ଠିତ ହୁଏ।ନାଗାର୍ଜୁନ ବେଶ: କାର୍ତ୍ତିକ ମଳ ତିଥିଯୁକ୍ତ ହୋଇ ପଞ୍ଚୁକ ପାଞ୍ଚଦିନ ବଦଳେ ଛଅଦିନ ହେଲେ ଏହି ବେଶ ଅନୁଷ୍ଠିତ ହୋଇଥାଏ।ଘୋଡ଼ଲାଗି ବେଶ: ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଘ ଶୁକ୍ଳ ପଞ୍ଚମୀ ପର୍ଯ୍ୟନ୍ତ କରାଯାଏ।ଶ୍ରାଦ୍ଧବେଶ: ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀରୁ ପ୍ରତିପଦ ପର୍ଯ୍ୟନ୍ତ ଦିନ ଏହି ବେଶ ଅନୁଷ୍ଠିତ ହୁଏ।(ଦେବ ଦୀପାବଳି ୩ ଦିନ ଧରି ଯାଏ)।ପୁଷ୍ୟାଭିଷେକ ବେଶ ବା ସୁନାବେଶ: ପୌଷ ପୂର୍ଣ୍ଣିମା ଦିନ ଏହି ବେଶ ଅନୁଷ୍ଠିତ ହୁଏ।ନବାଙ୍କ ବେଶ ବା ମହାନାରାୟଣ ବେଶ: ମକର ସଂକ୍ରାନ୍ତି ପୂର୍ବଦିନ ଏହି ବେଶ ଅନୁଷ୍ଠିତ ହୁଏ।ମକରଚୌରାଶି ବେଶ: ମକର ସଂକ୍ରାନ୍ତି ଦିନ ଏହି ବେଶ ଅନୁଷ୍ଠିତ ହୁଏ।ପଦ୍ମବେଶ: ମାଘ ଅମାବାସ୍ୟାରୁ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର ବା ଶନିବାର ଦିନ ଏହି ବେଶ କରାଯାଇଥାଏ।

ଜାମାଲାଗି ବେଶ: ମାଘ ଶୁକ୍ଳ ପଞ୍ଚମୀଠାରୁ ଫାଲଗୁନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ବେଶ ଅନୁଷ୍ଠିତ ହୁଏ।ଗଜ ଉଦ୍ଧାରଣ ବେଶ: ମାଘ ପୂର୍ଣ୍ଣିମା ଦିନ ଏହି ବେଶ ଅନୁଷ୍ଠିତ ହୁଏ।ଚାଚେରୀ ବେଶ: ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ (ଦୋଳ ପୂର୍ଣ୍ଣିମା ପୂର୍ବଦିନ) ଏହି ବେଶ ଅନୁଷ୍ଠିତ ହୁଏ।ରଘୁନାଥ ବେଶ: ବୈଶାଖ କୃଷ୍ଣ ନବମୀ ଗୁରୁବାର ଶ୍ରବଣା ମକର ଯୁକ୍ତହେଲେ ଏହି ବେଶ ଅନୁଷ୍ଠିତ ହୁଏ।

ବାର ଅନୁଯାୟୀ ଶ୍ରୀମନ୍ଦିରରରେ ଦିଅଁଙ୍କର ପାଟବସ୍ତ୍ରର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ।

ରବିବାର ନାଲି ରଙ୍ଗର ପାଟବସ୍ତ୍ର,ସୋମବାର  ଧଳାଛିଟ ପାଟବସ୍ତ୍ର,ମଙ୍ଗଳବାର ବାର ପଟିଆ ପାଞ୍ଚଟି ରଙ୍ଗ ବିଶିଷ୍ଟ ପାଟବସ୍ତ୍ର, ବୁଧବାର ନୀଳ ରଙ୍ଗର ପାଟବସ୍ତ୍ର,ଗୁରୁବାର  ହଳଦିଆ ପାଟବସ୍ତ୍ର ଲାଗି ହୋଇଥାଏ।

ସେହିପରି ଶୁକ୍ରବାର  ଧଳା ପାଟବସ୍ତ୍ର ଏବଂ ଶନିବାର କଳା ପାଟବସ୍ତ୍ର ଶ୍ରୀଦିଅଁଙ୍କୁ ଲାଗି ହୋଇଥାଏ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।