Children and Smartphones: ସ୍ମାର୍ଟଫୋନ୍ କବଜାରେ ଶୈଶବ; ମୋବାଇଲ ପରଦାରେ ହଜୁଛି ପିଲାଦିନ, ଖେଳକୁଦ ବଦଳରେ ମୋବାଇଲ ଗେମ୍

Nov 14, 2026 - 20:52
Children and Smartphones: ସ୍ମାର୍ଟଫୋନ୍ କବଜାରେ ଶୈଶବ; ମୋବାଇଲ ପରଦାରେ ହଜୁଛି ପିଲାଦିନ, ଖେଳକୁଦ ବଦଳରେ ମୋବାଇଲ ଗେମ୍

ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ।

ହେଲେ ପ୍ରଶ୍ନ ଉଠୁଛି, ଆଧୁନିକତା ଓ ଡିଜିଟାଲ୍ ଯୁଗର ଦୌଡ଼ରେ ଆମ ପିଲାମାନଙ୍କର ସୁନ୍ଦର ପିଲାଦିନ ସୁରକ୍ଷିତ ଅଛି ତ ?

କାରଣ, ଡିଜିଟାଲ ଯୁଗରେ ବଦଳିଯାଇଛି ଶୈଶବର ପରିଭାଷା।

ଖେଳପଡ଼ିଆ ବଦଳରେ ମୋବାଇଲର ୬ ଇଞ୍ଚ ପରଦା ଭିତରେ ହଜିଯାଉଛି ପିଲାଦିନ।

ମୋବାଇଲ୍ ପ୍ରେମରେ ପଡ଼ି ପିଲାମାନେ ଆଉ ପରିବାର କି ସାଙ୍ଗସାଥିଙ୍କ ସହ ସମୟ ବିତାଇବାକୁ ଚାହୁଁ ନାହାନ୍ତି।

Advertisment ଛୋଟିଆ କଅଁଳ ଆଙ୍ଗୁଠି ସାଇଁ ସାଇଁ ଚାଲିଛି ମୋବାଇଲ ସ୍କ୍ରିନ୍ ଉପରେ।

ଉପର-ତଳ କରି ଘାଣ୍ଟି ପକାଉଛନ୍ତି ପୁରା ମୋବାଇଲକୁ।

କେଉଁଠି ଅଛି କାର୍ଟୁନ୍, କେଉଁଠି ଗେମ୍, ସବୁ ଜଣା।

ଘଣ୍ଟା ଘଣ୍ଟା ଧରି ବିତୁଛି ସମୟ।

ସକାଳୁ ଆଖି ଖୋଲିବା ମାତ୍ରେ ଦରକାର ମୋବାଇଲ।

ଖାଇବା ବେଳେ, ଖେଳ ସମୟରେ ମୋବାଇଲ, ଟିକେ ଖାଲି ସମୟ ମିଳିଲେ ସେହି ମୋବାଇଲକୁ ଖୋଜା।

ଆଉ ମାଆର ଗପ ନୁହେଁ, ମୋବାଇଲରେ କାର୍ଟୁନ୍ ନଦେଖିଲେ ପିଲାଙ୍କ ପାଟିକୁ ଦାନା ଯାଉନି।

ଘର ହେଉ କି ବାହାର ସ୍କ୍ରିନ ଉପରୁ ହଟୁନି ନଜର।

ସାଙ୍ଗ ସହ ଖେଳକୁଦର ସ୍ଥାନ ନେଇଛି ମୋବାଇଲ ଗେମ୍।

ଏକାଠି ନାଚ-ଗୀତ ବଦଳରେ ଦେଖୁଛନ୍ତି ରିଲ୍ସ।

ସାଇକେଲ ଚଲାଇବା କମ୍, କାର୍ଟୁନ୍ ଓ ସୋସିଆଲ ମିଡିଆ ପାଗଳ କରୁଛି।

ମୋବାଇଲ ଭିତରେ ହଜିଯାଉଛି ପିଲାଦିନ।.

Advertisment ଦିନ ଥିଲା ଗାଁ ଗାଁରେ ପିଲାଙ୍କ ପାଇଁ ଥିଲା ଖେଳର ଅନେକ ବିକଳ୍ପ।

ବାଟି, ଲୁଚକାଳି, ବୋହୂଚୋରି ସାଙ୍ଗକୁ କବାଡ଼ି ଓ କ୍ରିକେଟରେ କଟୁଥିଲା ପିଲାଦିନ।

ସେହି ଖେଳ ଭିତରେ ଥିଲା ଶାରୀରିକ ପରିଶ୍ରମ, ସାଙ୍ଗର ମହତ୍ତ୍ବ, ସହଯୋଗ ଓ ଜିତିବା ହାରିବାର ଅନୁଭୂତି।

ହେଲେ ଏବେ ବଦଳିଯାଇଛି ପିଲାଦିନର ପରିଭାଷା।

ସ୍ମାର୍ଟଫୋନ୍ କବଜାରେ ଶୈଶବ।

ଆଜିର ଡିଜିଟାଲ୍ ଯୁଗରେ ହଜିଯାଇଛି ପାରମ୍ପରିକ ଖେଳ ପ୍ରତି ଆଗ୍ରହ।

ପାଠର ଚାପରୁ ଟିକିଏ ମୁକ୍ତି ମିଳିଲେ ମୋବାଇଲରେ ବିତୁଛି ସମୟ।

ତେବେ ଏହାର ଅର୍ଥ ନୁହେଁ ଯେ ମୋବାଇଲ୍ ସମ୍ପୂର୍ଣ୍ଣ ଖରାପ।

ଡିଜିଟାଲ ଯୁଗରେ ମୋବାଇଲ ଓ ଇଣ୍ଟରନେଟର ଆବଶ୍ୟକତା ଅତି ଜରୁରୀ।

ଅନଲାଇନରେ କ୍ଲାସ ହେଉ କି ଶିକ୍ଷଣୀୟ ବିଷୟ, ମୋବାଇଲ ନଥିଲେ ନଚଳେ।

ତେବେ ପାଠପଢ଼ା ଓ ମନୋରଞ୍ଜନ ପାଇଁ ମୋବାଇଲ୍ ଯେତିକି ଉପଯୋଗୀ, ଅତ୍ୟଧିକ ବ୍ୟବହାର ସେତିକି ଚିନ୍ତାର ବିଷୟ।

ପିଲାଙ୍କ ଖେଳକୁଦ, ପାଠପଢ଼ା, ପରିବାର ସହ ସମୟ ବିତାଇବା ଓ ସାମାଜିକ ମିଳାମିଶା ଉପରେ ଏହାର ପଡୁଛି ପ୍ରଭାବ।

ତେଣୁ ଆବଶ୍ୟକ ହେଉଛି ମୋବାଇଲର ସନ୍ତୁଳିତ ବ୍ୟବହାର।

ଘଣ୍ଟା ଘଣ୍ଟା ଧରି ମୋବାଇଲ ସ୍କ୍ରିନ୍ ଆଗରେ ସମୟ କାଟିବା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପକାଉଛି ଗୁରୁତର ପ୍ରଭାବ।

ବାହାରେ ଖେଳକୁଦ ନ କରିବାରୁ ମୋଟାପଣ ବଢୁଛି।

ଆଖି ଉପରେ ପଡୁଛି ସବୁଠୁ ଅଧିକ ପ୍ରଭାବ।

ସେଥିପାଇଁ ତ ଅଧିକାଂଶ କମ୍ ବୟସର ପିଲାଙ୍କ ଆଖିରେ ଏବେ ଲାଗିଲାଣି ଚଷମା।

ମୋବାଇଲ ଲାଇଟ୍ ପାଇଁ ନିଦ୍ରାହୀନତା ଭଳି ସମସ୍ୟା ମଧ୍ୟ ବଢ଼ୁଛି।

ଅଧିକ ସମୟ ମୋବାଇଲ ଦେଖିବା ଦ୍ୱାରା ପିଲାମାନେ ଚିଡ଼ଚିଡ଼ା ହୋଇଯାଉଛନ୍ତି।

ସେମାନଙ୍କ ମଧ୍ୟରେ ଏକାଗ୍ରତା ଓ ଧୈର୍ଯ୍ୟ କମିବାରେ ଲାଗିଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ଓ ଚିନ୍ତାର ବିଷୟ ହେଉଛି, ପିଲାମାନେ ପରିବାର ଲୋକ କି ସାଙ୍ଗସାଥୀଙ୍କ ସହ ମିଶିବା ବଦଳରେ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି।

ପିଲାଦିନ ଜୀବନର ସବୁଠୁ ସୁନ୍ଦର ଅଧ୍ୟାୟ।

ଏହାକୁ କେବଳ ମୋବାଇଲ୍ ସ୍କ୍ରିନରେ ସୀମିତ ନ ରଖି, ଖେଳପଡ଼ିଆର ସାଙ୍ଗଙ୍କ ସହ ହସ ମଜା ଓ ପରିବାର ସଦସ୍ୟଙ୍କ ସ୍ନେହରେ ଭରିଦେବା ଆମ ସମସ୍ତଙ୍କ ଦାୟିତ୍ୱ।

ନଚେତ୍ ଆଗାମୀ ପିଢ଼ି ପାଇଁ ପିଲାଦିନ ହୁଏତ କେବଳ ଏକ ପୁରୁଣା କାହାଣୀ ହୋଇ ରହିଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)