Chess: ବିଶ୍ବବିଜେତା ବିଶ୍ୱନାଥନ ଆନନ୍ଦଙ୍କୁ ଏସ୍‌ଜେଏଫ୍‌ଆଇ ପଦକ

Jun 24, 2026 - 21:03
Chess: ବିଶ୍ବବିଜେତା ବିଶ୍ୱନାଥନ ଆନନ୍ଦଙ୍କୁ ଏସ୍‌ଜେଏଫ୍‌ଆଇ ପଦକ

ଭୁବନେଶ୍ବର: ପାଞ୍ଚ ଥର ବିଶ୍ବବିଜେତା ବିଶ୍ୱନାଥନ ଆନନ୍ଦଙ୍କୁ ବୁଧବାର ଚେନ୍ନାଇର ମାଡ୍ରାସ୍‌ କ୍ରିକେଟ୍‌ କ୍ଲବ୍‌ରେ ଆୟୋଜିତ ଏକ ଆଡ଼ମ୍ବରପୂର୍ଣ୍ଣ ସମାରୋହରେ ସମ୍ମାନଜନକ ଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ (ଏସ୍‌ଜେଏଫ୍‌ଆଇ) ପଦକ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ତାମିଲନାଡ଼ୁ କ୍ରୀଡ଼ା ସାମ୍ବାଦିକ ସଂଘ (ଟିଏନ୍‌ଏସ୍‌ଜେଏ) ସହଯୋଗରେ ଆୟୋଜନ କରାଯାଇଥିଲା। 

ସଂପ୍ରତି ବିଶ୍ୱ ଚେସ୍ ମହାସଂଘ (ଫିଡେ) ଉପସଭାପତି ଭାବେ କାର୍ଯ୍ୟରତ ଆନନ୍ଦ ଏଥିସହିତ ପୂର୍ବରୁ ଏହି ପଦକ ପାଇ ସାରିଥିବା ମହାନ କ୍ରିକେଟର୍‌ ସୁନୀଲ ଗାଭାସ୍କର୍‌, ଟେନିସ୍‌ କିଂବଦନ୍ତି ବିଜୟ ଅମୃତରାଜ, ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରକାଶ ପାଦୁକୋନ, ଦୌଡ଼ରାଣୀ ପିଟି ଉଷା, ମହାନ ଧାବକ ସିଲଖା ସିଂହ ପ୍ରମୁଖଙ୍କ ଭଳି ବହୁ ବିଶିଷ୍ଟ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ୫୬ ବର୍ଷୀୟ ଆନନ୍ଦଙ୍କୁ ଏହି ପଦକ ପ୍ରଦାନ କରିଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କୃଷ୍ଣମଚାରୀ ଶ୍ରୀକାନ୍ତ।

History in Chess: ଇତିହାସ ରଚିଲେ ପ୍ରଜ୍ଞାନନ୍ଦ: ନରୱେ ଚେସ୍‌ ଜିତିବାରେ ପ୍ରଥମ ଭାରତୀୟ

ଉଲ୍ଲସିତ ଆନନ୍ଦ କହିଥିଲେ ଯେ ଭାରତରେ ଚେସ୍‌ର ବିକାଶରେ ଜଣେ ଅନୁପ୍ରେରକ ଭୂମିକା ନେଇଥିବାରୁ ମୁଁ ବେଶ୍‌ ଗର୍ବିତ। ଏହା ମୋର ସଫଳତା ଓ ଅବଦାନ ପ୍ରତି ସହକର୍ମୀମାନଙ୍କର ସ୍ୱୀକୃତି। ଏହି ସମ୍ମାନ ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ଓ ସ୍ମରଣୀୟ ହୋଇ ରହିବ। ଏହି ଅବସରରେ ଆନନ୍ଦ ପତ୍ନୀ ଅରୁଣାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ହକି ତାରକା ଭି. ଭାସ୍କରନ୍‌ ଏବଂ ବରିଷ୍ଠ ସାମ୍ବାଦିକ ଆର୍‌ ‌ମୋହନ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଭାସ୍କରନ ଏସ୍‌ଜେଏଫ୍‌ଆଇର କ୍ରୀଡ଼ା ପ୍ରୋତ୍ସାହନ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏସ୍‌ଜେଏଫ୍‌ଆଇ ସଭାପତି ସରଜୁ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂପାଦକ ଭି ରମେଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗ୍ରାଣ୍ଡମାଷ୍ଟର କେ ଶଶିକିରଣ, ଶ୍ୟାମ ସୁନ୍ଦରr, ଆଇଏମ୍ ମାନୁଏଏଲ୍‌ ଆରୋନ, ଭି ସର୍ବାନନ୍ ଏବଂ ପୂର୍ବତନ ଭାରତୀୟ ହକି ଖେଳାଳି ମହମ୍ମଦ ରିୟାଜଙ୍କ ସମେତ ଅନେକ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।