Bengal Tiger: ବହୁବଚନ: ସମୟର ମହାବଳ ବାଘର ହେଣ୍ଟାଳ
ବିଜୟ ନାୟକ ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ବିଚରଣ କେବଳ ପର୍ଯ୍ୟଟକମାନଙ୍କୁ ନୁହେଁ, ରାଜ୍ୟବାସୀଙ୍କ ସମେତ ଦେଶବାସୀଙ୍କୁ ଆମୋଦିତ କରିଛି।
ଆଗାମୀ ଦିନରେ ବଣରେ ନୁହେଁ, ଛବିରେ ବାଘ ଦେଖିବାକୁ ହେବ ବୋଲି ପ୍ରାଣୀବିଜ୍ଞାନୀମାନଙ୍କ ଭବିଷ୍ୟବାଣୀ ପରିପ୍ରେକ୍ଷୀରେ ଏହା ଅବଶ୍ୟ ଏକ ବିରଳ ଘଟଣା।
ଆଉ ଏକ ଘଟଣା ଘଟିଛି ସୁନାବେଡ଼ାରେ।
ଜନବସତି ପାଖରେ ବାଘର ପଦଚିହ୍ନ ଚିହ୍ନଟ କରାଯାଇଛି।
ଗୋଟିଏ ଘଟଣା ଆଶାର ସଙ୍କେତ ତ ଅନ୍ୟଟି ଆଶଙ୍କାର ବାହକ।
ଏପରି ଅନେକ ବିରୋଧାଭାସର ସମାହାର ସାମ୍ପ୍ରତିକ ପୃଥିବୀ।
ବାଘମାନଙ୍କ ଜୀବନଧାରଣ ସ୍ବଚ୍ଛନ୍ଦ ଓ ସାବଲୀଳ କି?
ବାଘମାନେ କେବଳ କାହିଁକି, ଅନ୍ୟ ବଣ୍ୟପ୍ରାଣୀମାନେ ନିରାପଦ ଓ ନିର୍ଭୟରେ ବଞ୍ଚିପାରୁଛନ୍ତି ତ?
ରହିବା, ଖାଇବାରେ ସେମାନଙ୍କର ଅସୁବିଧା ନାହିଁ ତ?
ସେମାନେ ଅନ୍ତରଙ୍ଗ ଜୀବନଯାପନ କରିପାରୁଛନ୍ତି ତ?
କରିପାରୁଛନ୍ତି ତ ବଂଶବୃଦ୍ଧି?
ଏସବୁ ପ୍ରଶ୍ନର ସକାରାତ୍ମକ ଉତ୍ତର ଅଛି କି?
ବଣ ବିପଦରେ।
ବଣରେ ରହୁଥିବା ଜୀବଜନ୍ତୁ ନିରାପଦରେ ରହିବେ କିପରି?
ଅରଣ୍ୟ ଆଉ ବୈଭବର ଗନ୍ତାଘର ହୋଇ ରହିନାହିଁ, ଅନଟନର ନାମାନ୍ତର ପାଲଟିଛି।
ହାତୀମାନେ ବଣ ଛାଡ଼ି ଗାଁ, ସହରମୁହାଁ।
ବାଘଭାଲୁ, ଗଣ୍ଡାଗୟଳ ଏପରିକି ସାପ ଓ ଅନ୍ୟ ସରୀସୃପମାନେ ମଣିଷର ଜମିବାଡ଼ିକୁ ଅକ୍ତିଆର କରିବା ପାଇଁ ଆଗଭର ହେଲେଣି, ତତ୍ପର ହେଲେଣି ମଣିଷ ଖାଦ୍ୟରେ ଭାଗ ବସାଇବା ପାଇଁ।
ନା, ନା।
ଏସବୁ ମିଛକଥା।
ଏହା ମଣିଷର କପୋଳକଳ୍ପିତ କାହାଣୀ।
କଥା କହିପାରୁ ନ ଥିବା ପ୍ରାଣୀମାନଙ୍କ ବିରୁଦ୍ଧରେ ଷଡ୍ଯନ୍ତ୍ର।
ମଣିଷ ଜୀବଜନ୍ତୁଙ୍କ ଜାଗା ଜବରଦଖଲ କରିଛି, ସେମାନଙ୍କ ମୁହଁରୁ ଖାଦ୍ୟ ଛଡ଼ାଇ ଆଣିଛି।
ସେମାନେ କହିପାରୁଥିଲେ ସିନା ହାକିମହୁକୁମାଙ୍କ ପାଖରେ ଅଭିଯୋଗ କରନ୍ତେ ବା ନେତାମାନଙ୍କୁ ଗୁହାରି ଜଣାନ୍ତେ!
ମଣିଷର 'ରୋଟି, କପଡ଼ା ଆଉ ମକାନ'ର ଅଭାବ ଇତିହାସରେ ଶତସହସ୍ର ବିପ୍ଳବକୁ ଜନ୍ମ ଦେଇଛି।
ବଣ୍ୟପ୍ରାଣୀମାନଙ୍କର ଯାହା ହେଉ କପଡ଼ା ଦରକାର ନାହିଁ, କିନ୍ତୁ ରୋଟି ଓ ମକାନ ପାଇଁ ତ ସେମାନେ ଦ୍ରୋହ କରିପାରନ୍ତେ?
ଦ୍ରୋହ କରୁ ନାହାନ୍ତି କି?
ରାଜଧାନୀରେ ରାଲି କଲେଣି ହାତୀମାନେ, ମର୍କଟବାହିନୀ ଫସଲ ଲୁଟିଲେଣି, ସାପମାନେ ଆତଙ୍କ ଖେଳେଇଲେଣି ଘରେ ଘରେ।
ବଣ ସେମାନଙ୍କର, ଗଛ ସେମାନଙ୍କର ପୁଣି ମାଟି ସେମାନଙ୍କର।
ସେମାନଙ୍କ ଅଧିକାରକୁ ଛିନ୍ନ କରିବାର ଅଧିକାର ମଣିଷକୁ ଦେଲା କିଏ?
ମଣିଷ ବିଜ୍ଞାନୀ ହୋଇଛି, ବିବେକୀ ହୋଇ ରହିନାହିଁ।
ଜଙ୍ଗଲ ସଫା କରିବା ଏବଂ ଲଗାମଛଡ଼ା ପଶୁମାନଙ୍କୁ ଗୃହପାଳିତ କରିବା ପ୍ରୟାସରୁ ହୋଇଛି ମାନବ ସଭ୍ୟତାର ସୂତ୍ରପାତ।
କୃଷି ସଭ୍ୟତା ଜଙ୍ଗଲକୁ ଚାଷଜମିରେ ପରିଣତ କଲା, ଜିଆଜୋକଙ୍କୁ ନିପାତ କଲା, ହିଡ଼ବାଡ଼ ମାଧ୍ୟମରେ 'ତୋର-ମୋର' ଭାବ ସୃଷ୍ଟି କଲା, ବାଛୁରୀକୁ କ୍ଷୀରରୁ ବଞ୍ଚିତ କଲା ଏବଂ ତାକୁ ବଳଦ କରି ତା' କାନ୍ଧରେ ଜୁଆଳି ପକାଇଲା।
ନଦୀରୁ ମାଠିଆରେ ପାଣିଆଣି 'ମୋର' ବୋଲି କହିଲା।
ଶିଳ୍ପବିପ୍ଳବ, କୃଷି ବିପ୍ଳବଠାରୁ କାହିଁ କେତେ ଗୁଣରେ ଅଧିକ ଭୟଙ୍କର।
ତା'ରି ମାଧ୍ୟମରେ ମଣିଷ ସସାଗରାଧରାକୁ ଆପଣାର କଲା।
ହେଲା ତ୍ରିପୁରବିଜୟୀ।
ନିରୀହ ବଣ୍ୟ ପ୍ରାଣୀମାନଙ୍କୁ ହିଂସ୍ର ଆଖ୍ୟା ଦେଇଛି ଚତୁର ମଣିଷ।
ମଣିଷର ହିଂସ୍ରତା ପାଖରେ କିନ୍ତୁ ଚରାଚର ତ୍ରସ୍ତ।
ବର୍ଷାଋତୁରେ ଓଡ଼ିଶାର ଗାଁଗଣ୍ଡାରେ ଆଉ ବେଙ୍ଗମାନଙ୍କର ରଡ଼ି ଶୁଭୁଛି କି?
କର୍କଶ ଶବ୍ଦରେ ପରିବେଶକୁ କମ୍ପାଇ ଦେଉଥିବା ବେଙ୍ଗମାନଙ୍କୁ ଲକ୍ଷ୍ୟକରି କବିବର ରାଧାନାଥ ଲେଖିଥିଲେ: 'ଦର୍ଦୁର ରବ ଶୁଣି ନିରବ ପିକ।' ଦର୍ଦୁର ରବରେ କିନ୍ତୁ ଥିଲା ପ୍ରାଣ-ପ୍ରାଚୁର୍ଯ୍ୟ।
ଦର୍ଦୁରଙ୍କ ରବ ଆଉ ଶୁଭୁ ନାହିଁ।
ଆଗରୁ ଜାତିଜାତିକା ବେଙ୍ଗ ଥିଲେ- କାଠବେଙ୍ଗ, କୁଜିବେଙ୍ଗ, ରଙ୍ଗରଙ୍ଗିଆ ବେଙ୍ଗ।
ସେମାନେ ଗଲେ କୁଆଡ଼େ?
ଚିଲ, ଶାଗୁଣା ଆଉ କ'ଣ ଦେଖିବାକୁ ମିଳୁଛନ୍ତି?
ଆକାଶକୁ ଘୋଟିଥିବା କଳାମେଘ ତଳେ ଉଡ଼ିଯାଉଥିବା ବଗଦଳର ବର୍ଣ୍ଣନା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀରେ ଅନନ୍ୟ: “ଦେଖି ନବକାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତ ସ୍ମରି।” ଏମନ୍ତ ଦୃଶ୍ୟ ଏବେ ଦୁର୍ଲଭ।
ଗେଣ୍ଡାଳିଆମାନେ ବି ଆଗପରି ଆଉ ପର ଝାଡ଼ି ଉଡୁନାହାନ୍ତି।
କୋଇଲିମାନେ ଗୀତ ଗାଇବାକୁ କୁଣ୍ଠିତ ହେଲେଣି।
ହଳଦୀବସନ୍ତ ଦେଶାନ୍ତରିତ।
ନାଲି ଗୁଲୁଗୁଲୁ ସାଧବବୋହୂମାନେ ଶରମରେ କେଉଁ ଆଡ଼େ ଲୁଚିଗଲେ କି?
ଏଣ୍ଡୁଅ, ଘରଚଟିଆ, ବାଇ ଚଢ଼େଇମାନଙ୍କ ଠିକଣା ହଜିଯାଇଛି କି?
'ହୁକେହୋ' ଆଉ କ'ଣ ଶୁଣିବାକୁ ମିଳୁଛି?
ବାଘମାମୁ କାହିଁ ଯେ ଟୁଆଁଟୁଇଁଙ୍କ ପିଠା ଖାଇବାକୁ ଲୋଭେଇବ!
ଧରିତ୍ରୀ ସମସ୍ତଙ୍କର ଧାତ୍ରୀ।
ନର, ପଶୁ, ପକ୍ଷୀ, କୀଟ, ତରୁ, ଲତା- ସବୁରି ସେ କମଧେନୁ।
ଗୋଟିଏ ବର୍ଗର ଆଧିପତ୍ୟକୁ କାହିଁକି ସହିବ ବସୁନ୍ଧରୀ?
ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ।
ଦେଖୁ ଦେଖୁ ସୃଷ୍ଟି ନାଶ ହେଉଛି।
ମଣିଷ କିଛି କିନ୍ତୁ ହେଜୁନାହିଁ।
ବାୟୁ ନାହିଁ ତ ପ୍ରାଣ ନାହିଁ, ଜଳ ନାହିଁ ତ ଜୀବନ ନାହିଁ, ସନ୍ତୁଳନ ନାହିଁ ତ ସମାଜ ନାହିଁ।
ପାରସ୍ପରିକ ନିର୍ଭରଶୀଳତା ଉପରେ ଜୀବନର ଅସ୍ତିତ୍ବ ଓ ସ୍ଥାୟିତ୍ବ ନିର୍ଭରଶୀଳ।
ବାଘଭାଲୁ, ସାପବେଙ୍ଗ, ଏପରିକି ଚଢ଼େଇଚିରୁଗୁଣୀ ବିନା ମଣିଷର ଜୀବନଯାତ୍ରା ସୁଗମ ହୋଇପାରିବ ନାହିଁ।
ଜମି, ଜଳ, ଜୀବ ଓ ଜଙ୍ଗଲକୁ ମଣିଷ ସୁରକ୍ଷା ଦେବ କ'ଣ, ସେସବୁର ବିନାଶର କାରକ ହୋଇଛି।
ଯଜୁର୍ବେଦର ଶାନ୍ତିମନ୍ତ୍ରରେ ଆକାଶ, ଅନ୍ତରୀକ୍ଷ, ପୃଥିବୀ, ଜଳ, ଔଷଧୀୟ ଗୁଳ୍ମ, ବନସ୍ପତି ସବୁର ପ୍ରଶାନ୍ତି କାମନା କରାଯାଇଛି: “ଦୈାଃ ଶାନ୍ତିରନ୍ତରୀକ୍ଷଃ ଶାନ୍ତିଃ ପୃଥ୍ବୀ ଶାନ୍ତିରାପଃ ଶାନ୍ତିରୋଷଧୟଃ ଶାନ୍ତିଃ।
ବନସ୍ପତୟଃ ଶାନ୍ତିର୍ବିଶ୍ବେ ଦେବାଃ ଶାନ୍ତିର୍ବହ୍ମ ଶାନ୍ତିଃ ସର୍ବ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ସା ମା ଶାନ୍ତିରୋଧି।” ବିଶ୍ବବ୍ରହ୍ମାଣ୍ଡର ସ୍ଥିରତା ବିନା ମଣିଷର ସ୍ଥିତି କାହିଁ?
କିନ୍ତୁ ଏସବୁର ବ୍ୟତିକ୍ରମ ହିଁ ବିଡ଼ମ୍ବନା, ଆଗତପ୍ରାୟ ପ୍ରଳୟର ମନ୍ଦ୍ର ଧ୍ବନି।
ଆମେ ବାଘ ଦେଖି ବିହ୍ବଳ।
ଶୁଣିପାରୁନାହୁଁ କିନ୍ତୁ ସମୟର ମହାବଳ ବାଘର ହେଣ୍ଟାଳ! (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୧୪୩୮୯୬ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
