Another Building Collapse in Delhi: ଦିଲ୍ଲୀରେ ହଠାତ୍ ଭୁଶୁଡ଼ିଲା ଦୁଇ ମହଲା ଘର, ୩ ବର୍ଷର ଶିଶୁ ସମେତ ୨ ମୃତ
ହଠାତ୍ ଘଟିଲା ବଡ଼ ଅଘଟଣ।
ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା ଦୁଇ ମହଲା ଘର।
ଘର ଭିତରେ ଥିବା ଲୋକଙ୍କୁ ମିଳିଲାନି ବାହାରିବାକୁ ସୁଯୋଗ।
ଚାରିଆଡ଼େ ଖାଲି ଚିତ୍କାର ଓ ଆର୍ତ୍ତନାଦ।
ଭଗ୍ନାବଶେଷ ତଳେ ଫସି ରହିଗଲେ ୬ ଜଣ।
ଶେଷରେ ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ବାହାର କଲା ସତ, ହେଲେ ବଞ୍ଚିପାରିଲେନି ୩ ବର୍ଷର ନିଷ୍ପାପ ଶିଶୁ ସମେତ ଦୁଇ ଜଣ।
Advertisment ଏଭଳି ହୃଦୟବିଦାରକ ଘଟଣା ଘଟିଛି ଦିଲ୍ଲୀର ଶାହଦରା ଅଞ୍ଚଳ ଅନ୍ତର୍ଗତ ବିବେକ ବିହାରରେ।
ମଙ୍ଗଳବାର ସକାଳେ ହଠାତ୍ ଏକ ଦୁଇ ମହଲା ଘର ଭୁଶୁଡ଼ି ପଡ଼ିଥିଲା।
ଏହି ଘରେ ଭଡ଼ାରେ ରହୁଥିବା ୬ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।
ଖବର ପାଇବା ପରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଆମ୍ବୁଲାନ୍ସର ସହାୟତାରେ ଭଗ୍ନାବଶେଷ ତଳୁ ସମସ୍ତ ୬ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲା।
ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ମୃତକଙ୍କ ମଧ୍ୟରେ ରହିଛି ମାତ୍ର ୩ ବର୍ଷର ଜଣେ ଶିଶୁ।
ଅନ୍ୟ ମୃତକ ହେଉଛନ୍ତି ୩୦ ବର୍ଷୀୟ ପିଣ୍ଟୁ, ସିଏ ଘରର ତଳ ମହଲାରେ ରହୁଥିଲେ।
ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।
Advertisment ଅଗ୍ନିଶମ ବିଭାଗର ଏଡିଓ ଦୀପକ ହୁଡ୍ଡାଙ୍କ ସୂଚନା ଅନୁସାରେ, ଘରଟିର ତଳ ମହଲା ସହ ପ୍ରଥମ ମହଲା ଥିଲା।
ଘରର ମାଲିକଙ୍କ ନାମ ସୁରେନ୍ଦର ସିଂହ ବୋଲି ଜଣାପଡ଼ିଛି।
ତେବେ ଘରଟି କେଉଁ କାରଣରୁ ଭୁଶୁଡ଼ିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
କେବଳ ବିବେକ ବିହାର ନୁହେଁ, ଦିଲ୍ଲୀରେ ଗତ କିଛି ଦିନ ମଧ୍ୟରେ ଏକାଧିକ କୋଠା ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି।
ଏହାର କିଛି ଦିନ ପୂର୍ବରୁ ପାହାଡ଼ଗଞ୍ଜରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପ୍ରାୟ ୮ ଜଣ ଶ୍ରମିକ ଆହତ ହୋଇଥିଲେ।
ନିର୍ମାଣ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ ଘର ମାଲିକ ଓ ଠିକାଦାରଙ୍କୁ ଗିରଫ କରିଥିଲା।
ସେହିପରି ଏହାର ଗୋଟିଏ ସପ୍ତାହରୁ ଅଧିକ ସମୟ ପୂର୍ବରୁ ପୁରୁଣା ଦିଲ୍ଲୀର ଚାୱଡ଼ି ବଜାରରେ ଏକ କୋଠା ଭୁଶୁଡ଼ି ୭ ଜଣଙ୍କ ଜୀବନ ଯାଇଥିଲା।
ଏପରିକି ସେପ୍ଟେମ୍ବର ମାସରେ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ଏକ ୬ ମହଲା କୋଠା ଭୁଶୁଡ଼ି ୫ ଜଣ ଛାତ୍ରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ, ଅନୁମତି ବିନା ପୁରୁଣା କୋଠାକୁ ବେଆଇନ ଭାବେ ସମ୍ପ୍ରସାରଣ କରାଯାଇଥିଲା।
ଲଗାତାର ଏଭଳି ଘଟଣା ଦିଲ୍ଲୀରେ ଘର ଓ କୋଠା ନିର୍ମାଣର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଠିଆ କରିଛି।
ଘର ଭୁଶୁଡ଼ିବା ପଛରେ ରହିଛି କି ନିର୍ମାଣରେ ଅବହେଳା, ନା ପୁରୁଣା କୋଠାର ଦୁର୍ବଳ ସ୍ଥିତି?
ତଦନ୍ତ ପରେ ହିଁ ଏହାର ପ୍ରକୃତ କାରଣ ସାମ୍ନାକୁ ଆସିବ।
କିନ୍ତୁ ଗୋଟିଏ ପରେ ଗୋଟିଏ ଏଭଳି ଦୁର୍ଘଟଣା ଅନେକ ପରିବାରର ହସଖୁସି ଛଡ଼ାଇ ନେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
