Anganwadi Workers Intensify Statewide Protest: ୭ ଦଫା ଦାବିରେ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ, ୭୫ ହଜାର କେନ୍ଦ୍ରରେ ତାଲା
କିଏ ହାତରେ ଆଙ୍କୁଛନ୍ତି ମା' ଲକ୍ଷ୍ମୀଙ୍କ ପାଦ ତ ଆଉ କିଏ ଧୂପ, ଦୀପ ସହ ନୈବେଦ୍ୟ ଚଢ଼ାଇ ଧନଦାତ୍ରୀଙ୍କୁ କରୁଛନ୍ତି ଆବାହନ।
ଇୟେ ସେହି ହାତ, ଯେଉଁ ହାତରେ ପିଲାଙ୍କୁ ଗଢୁଥିଲେ, ବଢ଼ାଉଥିଲେ, ମଣିଷ କରିବାକୁ ଲାଗିପଡୁଥିଲେ।
କିନ୍ତୁ, ଆଜି ନ୍ୟାୟ ପାଇଁ ଲଢ଼େଇ କରିବାକୁ ଆସି ମାର୍ଗଶୀରର ପ୍ରଥମ ଗୁରୁବାର ପାଳିଛନ୍ତି ରାଜଧାନୀର ଲୋୟର ପିଏମଜିରେ।
ହୁଳହୁଳି ସହ ନୀତିକାନ୍ତି ଭିତରେ ବସାଇଛନ୍ତି ମାଣ।
ହକ୍ ପାଇଁ ଶହ ଶହ ଅଙ୍ଗନୱାଡ଼ି କର୍ମୀ ଗତ ୪ ଦିନ ହେଲା ହାତରେ ପ୍ଲାକାର୍ଡ ଧରି ଗର୍ଜୁଛନ୍ତି ଗାନ୍ଧୀମାର୍ଗରେ।
ଏମାନଙ୍କ ମଧ୍ୟରୁ କିଏ ଆସିଛନ୍ତି ପୁରୀରୁ ତ ଆଉ କିଏ ନୟାଗଡ଼ ଜିଲ୍ଲାରୁ।
ପୁଣି କିଏ କୋରାପୁଟ ତ ଆଉ କିଏ ପୁଣି ଆସିଛନ୍ତି କଟକ ଜିଲ୍ଲାରୁ।
ସମସ୍ତଙ୍କ ଗୋଟିଏ ନିଷ୍ପତ୍ତି, ଯେ ପର୍ଯ୍ୟନ୍ତ ୭ ଦଫା ଦାବି ପୂରଣ ନହୋଇଛି, ସେ ଯାଏଁ ଏଇଠୁ ହଟିବେନି।
Advertisment ସରକାରୀ ମାନ୍ୟତା ସହ ପାରିଶ୍ରମିକ ବୃଦ୍ଧି, ଗ୍ରାଚ୍ୟୁଇଟି ଓ ଅବସରକାଳୀନ ସହାୟତା, ୫୫ରୁ ଅଧିକ କିମ୍ବା ୬୦ ବର୍ଷ ପରେ ୨ ବର୍ଷିଆ କାର୍ଯ୍ୟକାଳ ସମ୍ପ୍ରସାରଣର ସମୀକ୍ଷା ବନ୍ଦ, ପ୍ରତିବର୍ଷ ପଦୋନ୍ନତି, ସହାୟିକାଙ୍କ ପଦୋନ୍ନତି କ୍ଷେତ୍ରରେ ବୟସ ସୀମା ଉଚ୍ଛେଦ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ଘଟିଲେ ୫ ଲକ୍ଷର ଆର୍ଥିକ ସହାୟତା ଓ ପରିବାରର ଜଣଙ୍କୁ ନିଯୁକ୍ତି।
ଏଭଳି କିଛି ୭ ଦଫା ଦାବି ପୂରଣର ଜିଦରେ ଅଟଳ ରହିଛି ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍।
ଏହାର ସିଧା ପ୍ରଭାବ ପଡ଼ିଛି ଗ୍ରାଉଣ୍ଡ ଜିରୋରେ।
ଯାହାର ପ୍ରମାଣ ବି ଆପଣଙ୍କ ସାମ୍ନାରେ।
ଭଦ୍ରକ ବାସୁଦେବପୁର।
ପ୍ରାୟ ୪ ଦିନ ହେଲା ନା ଦିଦି ଆସୁଛନ୍ତି ନା ପିଲା।
ସମାନ ଚିତ୍ର ଦେଖିବାକୁ ମିଳିଛି ଗଜପତି ମୋହନା ଓ ବାଲେଶ୍ବର ଜଳେଶ୍ବରରେ।
ଏଭଳି ଭାବେ ରାଜ୍ୟବ୍ୟାପି ୭୫ ହଜାରରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ଝୁଲୁଛି।
ଏକଥା ନୁହେଁ ଯେ, ଅଙ୍ଗନୱାଡ଼ି କର୍ମୀ ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଇଛନ୍ତି।
ଅନେକ ବର୍ଷ ହେଲା ସ୍ଥାୟୀ ନିଯୁକ୍ତି ସହ ପାରିଶ୍ରମିକ ଆଦି ନାନା ପ୍ରସଙ୍ଗରେ ଆନ୍ଦୋଳନ କରି ଆସୁଛନ୍ତି।
ଆଜି ବିଧାନସଭାରେ ଶୂନ୍ୟକାଳରେ ଅଙ୍ଗନୱାଡ଼ି କର୍ମୀଙ୍କ ଦାବି ପ୍ରସଙ୍ଗ ଉଠାଇଛି ବିଜେଡି।
କହିଛି, ଆନ୍ଦୋଳନକୁ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଦେଉ ନାହାଁନ୍ତି।
ଶାସନକୁ ଆସିବାର ଅଢ଼େଇ ବର୍ଷ ପରେ ବି ଘୋଷଣା ମୁତାବକ ୨୫ ହଜାର ଦରମା ଦେଲେନି।
ଜବାବରେ ବିଜେପି କହିଛି, ପୂର୍ବ ବିଜେଡି ଶାସନ ବେଳେ ବି ଅଙ୍ଗନୱାଡ଼ି କର୍ମୀ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି, ପାଣି ମାଡ଼ ବି ଖାଇଛନ୍ତି।
ସରକାର ଗୋଟିଏ ପ୍ରକ୍ରିୟା ଭିତରେ ଚାଲେ।
ଅଙ୍ଗନୱାଡି କର୍ମୀଙ୍କ କଥା ଆମ ସରକାର ବିଚାର କରୁଛନ୍ତି।
Advertisment ଗାଁ ହେଉ କି ସହର।
ଗରୀବ ଅସହାୟ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ଅଙ୍ଗନୱାଡ଼ି କର୍ମୀ।
କିନ୍ତୁ ଏବେ ୪ ଦିନ ହେଲା ସେହି ମଣିଷ ଗଢ଼ା କାରଖାନାରେ ତାଲା ଝୁଲୁଛି।
ଅପେକ୍ଷା, ଦାବି ପୂରଣ କ୍ଷେତ୍ରରେ କି ନିଷ୍ପତ୍ତି ନେଉଛନ୍ତି ରାଜ୍ୟ ସରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
