24 OCTOBER 2026

Welcome!

Unlock your personalized experience.
Sign Up

Allahabad High Court: ସୌରଭ ରାଜପୁତ ହତ୍ୟାକାଣ୍ଡ: ଫାଶୀ ଦଣ୍ଡ ବିରୋଧରେ ହାଇକୋର୍ଟରେ ଆବେଦନ କଲେ ମୁସ୍କାନ ଓ ସାହିଲ

Oct 24, 2026 - 18:27
Allahabad High Court: ସୌରଭ ରାଜପୁତ ହତ୍ୟାକାଣ୍ଡ: ଫାଶୀ ଦଣ୍ଡ ବିରୋଧରେ ହାଇକୋର୍ଟରେ ଆବେଦନ କଲେ ମୁସ୍କାନ ଓ ସାହିଲ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମେରଠର ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟାକାଣ୍ଡରେ ଜିଲ୍ଲାଅଦାଲତଙ୍କ ଦ୍ୱାରା ଦିଆଯାଇଥିବା ଫାଶୀ ଦଣ୍ଡକୁ ଚ୍ୟାଲେଞ୍ଜ କରି ଦୋଷୀମାନେ ଏବେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମେରଠର ବହୁଚର୍ଚ୍ଚିତ ‘ନୀଳ ଡ୍ରମ୍‌’ ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଦୋଷୀ ମୁସ୍କାନ ରସ୍ତୋଗୀ ଓ ସାହିଲ ଶୁକ୍ଳା ଟ୍ରାଏଲ୍ କୋର୍ଟଙ୍କ ଦୋଷୀ ସାବ୍ୟସ୍ତ ଆଦେଶ ଏବଂ ମୃତ୍ୟୁଦଣ୍ଡକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଛନ୍ତି।

ଆସନ୍ତା ସପ୍ତାହରେ ଆହ୍ଲାବାଦ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିପାରନ୍ତି। ମେରଠ ଜିଲ୍ଲା ଓ ଦୌରା ଅଦାଲତ ଅକ୍ଟୋବର ୧୪ ତାରିଖରେ ଉଭୟଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ଦୁଇ ଦୋଷୀ ନିଜ ଓକିଲଙ୍କ ମାଧ୍ୟମରେ ଆବେଦନ ଦାଖଲ କରି ସେପ୍ଟେମ୍ବର ୩୦ର ଦୋଷୀ ସାବ୍ୟସ୍ତ ଆଦେଶ ଏବଂ ଅକ୍ଟୋବର ୧୪ର ଫାଶୀ ଦଣ୍ଡକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଘଟଣା ମେରଠର ବ୍ରହ୍ମପୁରୀ ଥାନା ଅଞ୍ଚଳର। ସୌରଭ ରାଜପୁତଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଲୁଚାଇବା ପାଇଁ ଏକ ନୀଳ ପ୍ଲାଷ୍ଟିକ୍ ଡ୍ରମ୍‌ରେ ରଖି ସିମେଣ୍ଟ ଓ କଂକ୍ରିଟ୍ ଭର୍ତ୍ତି କରି ବନ୍ଦ କରିଦିଆଯାଇଥିଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିବା ପରେ ସମଗ୍ର ଉତ୍ତରପ୍ରଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ପୁଲିସ ଏହି ମାମଲାରେ ସାହିଲ ଶୁକ୍ଳା ଓ ମୁସ୍କାନ ରସ୍ତୋଗୀଙ୍କୁ ଗିରଫ କରିଥିଲା।

ଉଭୟ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ ଅଦାଲତ

ମେରଠ ଅଦାଲତରେ ଚାଲିଥିବା ମାମଲାର ଶୁଣାଣି ସମୟରେ ଉଭୟ ଅଭିଯୁକ୍ତଙ୍କୁ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୨୬ ସେପ୍ଟେମ୍ବର ୩୦ରେ ଅଦାଲତ ଉଭୟଙ୍କୁ ଦୋଷୀ ଘୋଷଣା କରିଥିବା ବେଳେ ଅକ୍ଟୋବର ୧୪ରେ ଦଣ୍ଡ ଶୁଣାଇଥିଲେ। ଏହି ମାମଲାକୁ ‘ବିରଳରୁ ବିରଳତମ’ ବୋଲି ବିବେଚନା କରି ଉଭୟଙ୍କୁ ଫାଶୀ ଦଣ୍ଡ ସହ ୫୦-୫୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏହା ବ୍ୟତୀତ ପ୍ରମାଣ ଲୁଚାଇବା ଅପରାଧରେ ମଧ୍ୟ ଉଭୟଙ୍କୁ ଦଣ୍ଡିତ କରାଯାଇଥିଲା।

ମେରଠ ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ଟ୍ରାଏଲ୍ କୋର୍ଟଙ୍କ ରାୟକୁ ବେଆଇନ ଓ ମନମୁଖୀ ବୋଲି ଦର୍ଶାଇ ଉଭୟ ଦୋଷୀ ଜେଲ୍‌ରେ ଥାଇ ନିଜ ଓକିଲଙ୍କ ମାଧ୍ୟମରେ ମିଳିତ ଆବେଦନ ଦାଖଲ କରିଛନ୍ତି। ଆହ୍ଲାବାଦ ହାଇକୋର୍ଟରେ ଉଭୟଙ୍କ ପକ୍ଷରୁ ବରିଷ୍ଠ ଓକିଲ ସୁଶୀଲ ଶୁକ୍ଳା, ନିଧି ତ୍ରିବେଦୀ, ରବିତେନ୍ଦ୍ର ପ୍ରତାପ ସିଂହ ଚନ୍ଦେଲ ଓ ସନ୍ଦୀପ କୁମାର ଦୁବେ ପକ୍ଷ ରଖିବେ।

ଅପିଲ୍‌ରେ ହାଇକୋର୍ଟ ମାମଲାକୁ ଗ୍ରହଣ କରି ମେରଠ ଅଦାଲତଙ୍କ ଆଦେଶ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି। ଏଥିସହ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧) ସହିତ ଧାରା ୩(୫) ଏବଂ ଧାରା ୨୩୮(ଏ) ଅନୁଯାୟୀ ଲାଗିଥିବା ସମସ୍ତ ଅଭିଯୋଗରୁ ଉଭୟ ଆବେଦନକାରୀଙ୍କୁ ମୁକ୍ତ କରିବାକୁ ମଧ୍ୟ ଦାବି କରାଯାଇଛି।

୧୬୮ ପୃଷ୍ଠାର ଆବେଦନରେ କ’ଣ ଯୁକ୍ତି ରଖିଛନ୍ତି ଦୋଷୀଙ୍କ ଓକିଲ?

ହାଇକୋର୍ଟରେ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ, ଏହି ମାମଲାଟି ସମ୍ପୂର୍ଣ୍ଣ ଭାବେ ପରିସ୍ଥିତିଜନିତ ପ୍ରମାଣ ଉପରେ ଆଧାରିତ ଥିଲା। କିନ୍ତୁ ଟ୍ରାଏଲ୍ କୋର୍ଟ ପ୍ରତିଷ୍ଠିତ ଆଇନଗତ ସିଦ୍ଧାନ୍ତକୁ ଅଣଦେଖା କରି କେବଳ ଅନୁମାନ ଓ କଳ୍ପନା ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ବ୍ୟତୀତ ହତ୍ୟାରେ ବ୍ୟବହୃତ ସାମଗ୍ରୀ, ସିମେଣ୍ଟ ଓ ଡ୍ରମ୍ କିଣାଯିବା ସମ୍ପର୍କରେ ସାକ୍ଷୀମାନଙ୍କ ବୟାନରେ ଅନେକ ଅସଙ୍ଗତି ଥିବା ଅଭିଯୋଗ କରାଯାଇଛି। ଏଥିସହ କୌଣସି ସିସିଟିଭି ଫୁଟେଜ୍ କିମ୍ବା କିଣାକିଣିର ବୈଧ ରସିଦ୍ ଅଦାଲତରେ ଦାଖଲ କରାଯାଇ ନଥିବା ମଧ୍ୟ ଆବେଦନରେ ଉଲ୍ଲେଖ ରହିଛି।

ମୁସ୍କାନ ଓ ସାହିଲଙ୍କ ଓକିଲମାନେ ୧୬୮ ପୃଷ୍ଠାର ଆବେଦନ ଦାଖଲ କରିଛନ୍ତି। ବରିଷ୍ଠ ଓକିଲ ସୁଶୀଲ ଶୁକ୍ଳା ହାଇକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିବାକୁ ସମ୍ମତି ଦେଇଛନ୍ତି। ଏବେ ଉଭୟ ଦୋଷୀଙ୍କ ନଜର ହାଇକୋର୍ଟର ଆଗାମୀ ଶୁଣାଣି ଉପରେ ରହିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)