Alka Yagnik: ପଦ୍ମ ଭୂଷଣ ୨୦୨୬ରେ ସମ୍ମାନିତ ଅଲକା ୟାଗ୍ନିକ: ଦୁର୍ଲଭ ଶ୍ରବଣ ରୋଗକୁ ନେଇ ଦେଲେ ସ୍ୱାସ୍ଥ୍ୟ ଅପଡେଟ୍

Jun 24, 2026 - 16:12
Alka Yagnik: ପଦ୍ମ ଭୂଷଣ ୨୦୨୬ରେ ସମ୍ମାନିତ ଅଲକା ୟାଗ୍ନିକ: ଦୁର୍ଲଭ ଶ୍ରବଣ ରୋଗକୁ ନେଇ ଦେଲେ ସ୍ୱାସ୍ଥ୍ୟ ଅପଡେଟ୍

ମୁମ୍ବାଇ: ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଲକା ୟାଗ୍ନିକଙ୍କୁ ୨୩ ଜୁନ୍ ୨୦୨୬ରେ ଭାରତ ସରକାରଙ୍କ ତରଫରୁ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ଭୂଷଣ’ରେ ସମ୍ମାନିତ କରାଯାଇଛି। ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏହି ଅବସରରେ ସେ ସୋସିଆଲ ମିଡିଆରେ ଏକ ଭାବୁକ ନୋଟ୍ ସେୟାର କରିବା ସହ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଅପଡେଟ୍ ଦେଇଛନ୍ତି। ପୁରସ୍କାର ଗ୍ରହଣ ସମୟର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୬୦ ବର୍ଷୀୟା ଅଲକା ଜଣେ ସାହାଯ୍ୟକାରୀଙ୍କ ସହାରା ନେଉଥିବା ଦେଖାଯାଇଛି, ଯାହା ପ୍ରଶଂସକମାନଙ୍କୁ ଭାବୁକ କରିଦେଇଛି।

କେଉଁ ରୋଗରେ ପୀଡ଼ିତ ଅଛନ୍ତି ଅଲକା?

ଅଲକା ୟାଗ୍ନିକ ‘ସେନ୍ସୋରିନ୍ୟୁରାଲ୍ ନର୍ଭ ହିଅରିଂ ଲସ୍’ ନାମକ ଏକ ବିରଳ ଏବଂ ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି। ସେ ୨୦୨୪ ମସିହାରେ ପ୍ରଥମ କରି ଏହି ରୋଗ ବିଷୟରେ ଜଣାଇଥିଲେ ଏବଂ ଏ ପର୍ଯ୍ୟନ୍ତ ସେ ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଏକ ହଠାତ୍ ଭାଇରାଲ୍ ଆଟାକ୍ ଯୋଗୁଁ ତାଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା।

ଏହି ରୋଗ କେତେ ବିପଜ୍ଜନକ ଏବଂ ଏହାର କାରଣ କଣ?

ଏକ ରିପୋର୍ଟ ଅନୁଯାୟୀ, ଏହା ଏକ ବିରଳ ଶ୍ରବଣ ସମସ୍ୟା, ଯେଉଁଥିରେ ଶବ୍ଦ ମଣିଷର ଭିତର କାନ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ। ଫଳରେ ଶୁଣିବା ଶକ୍ତି ଗମ୍ଭୀର ଭାବେ ପ୍ରଭାବିତ ହୁଏ।
ସଂକ୍ରମଣ, କାନରେ ଆଘାତ ଲାଗିବା ଏବଂ ଅତ୍ୟଧିକ ପ୍ରଖର ବା ତୀବ୍ର ଶବ୍ଦ ସଂସ୍ପର୍ଶରେ ଆସିବା ଯୋଗୁଁ ଏହି ରୋଗ ହୋଇଥାଏ। ଏହି ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ସମୟରେ ହଠାତ୍ ବା ଧୀରେ ଧୀରେ ମଧ୍ୟ ଦେଖାଦେଇପାରେ। ଡାକ୍ତରୀ ରିପୋର୍ଟ ଅନୁଯାୟୀ, ଏହି ବିରଳ ରୋଗର କୌଣସି ସ୍ଥାୟୀ ସମ୍ପୂର୍ଣ୍ଣ ଚିକିତ୍ସା ବା ଉପଶମ ନାହିଁ। ତେବେ ଏହାର ଅର୍ଥ ନୁହେଁ ଯେ ଆକ୍ରାନ୍ତ ବ୍ୟକ୍ତି ଜଣକ କେବେ ଶୁଣିପାରିବେ ନାହିଁ। ହିଅରିଂ ଏଡ୍,  କକ୍ଲିୟର ଇମ୍ପ୍ଲାଣ୍ଟ କିମ୍ବା ଅନ୍ୟାନ୍ୟ ଆଧୁନିକ ଚିକିତ୍ସା ଉପକରଣ ସାହାଯ୍ୟରେ ରୋଗୀଙ୍କୁ ପୁନର୍ବାର ଶୁଣିବାରେ ସାହାଯ୍ୟ କରାଯାଇପାରିବ।