Accident: ଟ୍ରକ୍ ଚାପାରେ ଅଜା-ନାତି ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଚିପିଲିମା: ନାତିକୁ ସ୍କୁଲ ପଠାଇବାକୁ ଆସିଥିଲେ ଅଜା।
ଜାତୀୟ ରାଜପଥ କଡ଼ରେ ସ୍କୁଲ ବସ୍କୁ ଅପେକ୍ଷା କରିଥିବା ବେଳେ ଉଭୟଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍।
ଆଖି ପିଛୁଳାକେ ଚାଲିଗଲା ଦୁଇ ଜୀବନ।
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅନ୍ତର୍ଗତ ବାବୁବନ୍ଧ ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ମୃତକ ହେଲେ ସାନଟିକ୍ରା ଗ୍ରାମର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ନିରଞ୍ଜନ ଷଡ଼ଙ୍ଗୀ (୭୦) ଓ ତାଙ୍କ ନାତି ଅଭ୍ୟୁକ୍ତ ଷଡ଼ଙ୍ଗୀ (୧୦)।
Advertisment Rahul Gandhi: ଭୂରାଜନୀତିରେ ଭାରତ ଏବେ ଗୌଣ ଖେଳାଳି: ରାହୁଲ ସାନଟିକ୍ରା ଗ୍ରାମର ଅସୀମାନନ୍ଦ ଷଡ଼ଙ୍ଗୀଙ୍କ ଏକମାତ୍ର ପୁଅ ଅଭ୍ୟୁକ୍ତ ବୁର୍ଲାସ୍ଥିତ ସେଣ୍ଟ ଲ୍ୟୁକ୍ ସ୍କୁଲରେ ପଢ଼ୁଥିଲେ।
ପ୍ରତିଦିନ ପରି ଶୁକ୍ରବାର ସକାଳେ ନିରଞ୍ଜନ ନିଜ ସ୍କୁଟି (ଓଡି୧୫ଏଏଫ୍-୫୫୧୪)ରେ ନାତିଙ୍କୁ ଆଣି ଜାତୀୟ ରାଜପଥ ୫୩ କଡ଼ରେ ଛିଡ଼ା ହୋଇ ସ୍କୁଲ ବସ୍କୁ ଅପେକ୍ଷା କରିଥିଲେ।
ଏହି ସମୟରେ ଗୋଶାଳା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଜୋର୍ରେ ଧକ୍କା ଦେଇଥିଲା।
ଅଜା-ନାତି ରାସ୍ତା ଉପରକୁ ଛିଟିକି ପଡ଼ିଥିବାବେଳେ ଟ୍ରକ୍ଟି ସେମାନଙ୍କ ଉପରେ ଚଢ଼ିଯାଇ ଫେରାର୍ ହୋଇଯାଇଥିଲା।
ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହେବା ଏବଂ ବାରମ୍ବାର ଏହି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବାରୁ ଉତ୍ତ୍ୟକ୍ତ ଜନସାଧାରଣ ରାସ୍ତାରୋକ କରିଥିଲେ।
ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଗତିରୋଧକ ପାଇଁ ସେମାନେ ଦାବି କରିଥିଲେ।
Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ ବୁର୍ଲା ଏସ୍ଡିପିଓ ବାଲେଶ୍ୱର ଗିଧି, ବୁର୍ଲା ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ଓ କ୍ଷେତରାଜପୁର ଥାନା ଅଧିକାରୀ ଅନିଲ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।
ଏନ୍ଏଚ୍ଏଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଲାଗି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ଅଜା-ନାତିଙ୍କ ମୃତଦେହ ସାନଟିକ୍ରାସ୍ଥିତ ବାସଭବନରେ ପହଞ୍ଚିବା ପରେ ଗାଁ ସମେତ ଗୋଶାଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।
ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ.
ଦିଲୀପ ଦୁରିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
