28 OCTOBER 2026

Welcome!

Unlock your personalized experience.
Sign Up

A Brief Note: ସାମାନ୍ୟ କଥନ: ପ୍ରଥମ ଜାଗ୍ରତ ଓଡ଼ିଆ ନାରୀ

Oct 28, 2026 - 04:34
A Brief Note: ସାମାନ୍ୟ କଥନ: ପ୍ରଥମ ଜାଗ୍ରତ ଓଡ଼ିଆ ନାରୀ

ପ୍ରୀତୀଶ ଆଚାର୍ଯ୍ୟ

୧୯୨୦ ଦଶକ ପର୍ଯ୍ୟନ୍ତ ଆଧୁନିକ ଓଡ଼ିଶାର ଜାତୀୟ ଜୀବନରେ ମହିଳାମାନଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପୃକ୍ତି ଦେଖିବାକୁ ମିଳେନାହିଁ। ଓଡ଼ିଆ ଭାଷା-ସଂସ୍କୃତି ଆନ୍ଦୋଳନରେ କେବଳ ପୁରୁଷମାନେ ହିଁ ଭାଗ ନେଉଥିଲେ, ଯଦିଓ ତହିଁରେ ସ୍ତ୍ରୀ-ଶିକ୍ଷା ଭଳି ପ୍ରସଙ୍ଗ ମଧ୍ୟ ମହତ୍ତ୍ବ ପାଉଥିଲା। ୧୯୨୦ରେ ସରଳା ଦେବୀ ଏବଂ ତାଙ୍କ ପରେ ପରେ ରମାଦେବୀ ହେଲେ ଜାତୀୟତା ଆନ୍ଦୋଳନର ଦୁଇ ପ୍ରଥମ ମହିଳା। ତେବେ, ସରଳା ଦେବୀ ନାରୀବାଦ ଓ ନାରୀ ବିମର୍ଶକୁ ମଧ୍ୟ ଆରମ୍ଭ କରିଥିଲେ। ତାଙ୍କ ପୂର୍ବରୁ ଓଡ଼ିଶାର ବୌଦ୍ଧିକ ବିମର୍ଶରେ ଲିଙ୍ଗ ଆଧାରରେ ସାମାଜିକ ପ୍ରଶ୍ନଗୁଡ଼ିକୁ ପରଖିବାର ପରମ୍ପରା ଦେଖିବାକୁ ମିଳେନାହିଁ। ଲୈଙ୍ଗିକ ପକ୍ଷପାତ ରହିଥିବା ଯାଏଁ ସମାଜରେ ରାଜନୈତିକ ସ୍ୱାଧୀନତାର ସୁଫଳ ମିଳିବ ନାହିଁ ବୋଲି ସରଳା ଦେବୀ ଭଲ ଭାବରେ ବୁଝିଥିଲେ। ଏହି ଦୃଷ୍ଟିରୁ ଆଧୁନିକ ଜାତି ଗଠନରେ ତାଙ୍କ ଭୂମିକା ଖୁବ୍‌ ମହତ୍ତ୍ବପୂର୍ଣ୍ଣ। କେବଳ ସେତିକି ନୁହେଁ, ସାହିତ୍ୟ, ସାମାଜିକ ନ୍ୟାୟ ଓ ସମାଜ ସେବା ଆଦି ଅନେକ କ୍ଷେତ୍ରରେ ତାଙ୍କୁ ଆଧୁନିକ ଓଡ଼ିଶାର ପ୍ରଥମ ମହିଳା ଭାବରେ ଗଣିହେବ। 
ସରଳା ଦେବୀ (୧୯୦୪-୧୯୮୬)ଙ୍କ ପାଳନକାରୀ ପିତା ବାଳମୁକୁନ୍ଦ କାନୁନଗୋ ଥିଲେ ଡେପୁଟି ମାଜିଷ୍ଟ୍ରେଟ। ଏହି କାରଣରୁ ସେ ସମୟର ଅନ୍ୟାନ୍ୟ ଝିଅମାନଙ୍କ ଭଳି ଔପଚାରିକ ଶିକ୍ଷାରୁ ବଞ୍ଚିତ ଥିବା ସତ୍ତ୍ବେ ଶିଶୁ ସରଳା ଘରୋଇ ଶିକ୍ଷା ଲାଭ କରିଥିଲେ ଏବଂ ଓଡ଼ିଆ ବ୍ୟତୀତ ଇଂରେଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ, ମରାଠୀ ଓ କନ୍ନଡ଼ରେ ବ୍ୟାବହାରିକ ଜ୍ଞାନ ହାସଲ କରିଥିଲେ। ଏହା ତାଙ୍କ ବିଚାର ଓ ଦୃଷ୍ଟିକୁ ଉଦାର ଓ ସମାବେଶୀ କରିଥିଲା। ମହାତ୍ମା ଗାନ୍ଧୀଙ୍କ ସଂସର୍ଗରେ ଆସି ସେ ଉପନିବେଶବାଦୀ କର୍ତ୍ତୃତ୍ୱ ତଥା ଅସ୍ପୃଶ୍ୟତା ବିରୁଦ୍ଧରେ ମଧ୍ୟ ସଜାଗ ହୋଇଥିଲେ। ମାତ୍ର ୧୪ ବର୍ଷ ବୟସରେ ତାଙ୍କର କଂଗ୍ରେସ ନେତା ଭାଗୀରଥି ମହାପାତ୍ରଙ୍କ ସାଂଗରେ ବିବାହ ସମ୍ପନ୍ନ ହୋଇଥିଲା। ରାଜନୈତିକ ଓ ସାମାଜିକ କାର୍ଯ୍ୟରେ ପତିଙ୍କର ଆନ୍ତରିକ ସହଯୋଗ ସରଳା ଦେବୀଙ୍କ ପାଇଁ ଏକ ଅପୂର୍ବ ସଂଯୋଗ ସିଦ୍ଧ ହେଲା। ଏହି କ୍ରମେ ସେ ହୋଇଥିଲେ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିବା (୧୯୨୦ରେ ନାଗପୁର) ଏବଂ ବକ୍ତବ୍ୟ ରଖିଥିବା (୧୯୩୧ରେ କରାଚି) ପ୍ରଥମ ଓଡ଼ିଆ ମହିଳା। ୧୯୨୧ରେ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ବେଳେ କଟକରେ ସ୍ୱତନ୍ତ୍ର ମହିଳା ସଭା ତଥା ୧୯୨୪ରେ ଏକ ମହିଳା ସମ୍ମିଳନୀର ଆୟୋଜନରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଏହା ପୂର୍ବରୁ ଓଡ଼ିଶାରେ ମହିଳାମାନଙ୍କର କେବେ କୌଣସି ରାଜନୈତିକ ଓ ସାମାଜିକ ସଂଗଠନ ବୋଧହୁଏ ହୋଇ ନ ଥିଲା। ଉଲ୍ଲେଖଯୋଗ୍ୟ ଯେ ୧୯୩୦ରେ ବାଲେଶ୍ୱରର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ଶତାଧିକ ମହିଳା ଯୋଗ ଦେଇ ଗିରଫଦାରି ଓ କାରାବରଣ କରିବାକୁ ମଧ୍ୟ ବାହାରିଥିଲେ। ଏହି ଧରଣର ବିଶାଳ ମହିଳା ସମ୍ପୃକ୍ତି ପଛରେ ରମାଦେବୀ ଓ ୧୯୨୭ରେ ବଙ୍ଗରୁ ଓଡ଼ିଶାକୁ ବୋହୂ ହୋଇ ଆସିଥିବା ମାଳତୀ ଦେବୀଙ୍କ ସହିତ ସରଳା ଦେବୀଙ୍କର ମଧ୍ୟ ବିଶେଷ ଯୋଗଦାନ ରହିଥିଲା। ଏହି ତିନି ମହିଳା ଉଭୟ ପାରିବାରିକ ସୂତ୍ରରେ ତଥା ରାଜନୀତିକ ଲକ୍ଷ୍ୟରେ ଆଗେଇ ଆସିଥିଲେ ହେଁ ପରସ୍ପରକୁ ପ୍ରତିଯୋଗୀ ଭାବ ରଖୁ ନ ଥିଲେ। ସେମାନଙ୍କ ସାଂଗଠନିକ କାର୍ଯ୍ୟକୁଶଳତା ଯୋଗୁଁ ୧୯୨୦ ପୂର୍ବରୁ ଜଣେ ବି ମହିଳା ନ ଥିବା ଓଡ଼ିଶା ରାଜନୀତି ୧୯୩୦ ବେଳକୁ ଏକ ରକମର ମହିଳା ବହୁଳ ହୋଇସାରିଥିଲା।
୧୯୩୭ରେ ଗଠିତ ଓଡ଼ିଶାର ପ୍ରଥମ ବିଧାନସଭାରେ ସରଳା ଦେବୀ ଥିଲେ ଏକମାତ୍ର ମହିଳା; ସଦସ୍ୟ ଭାବରେ ସେ ନାରୀ ଶିକ୍ଷା, ବିଧବାର ସମ୍ପତ୍ତି ଅଧିକାର, ଶିଶୁ ମୃତ୍ୟୁ, ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ଆଦି ପ୍ରସଙ୍ଗ ଉପରେ ନିର୍ଭୀକ ଆଲୋଚନା କରୁଥିଲେ ଓ ନିଜ ନାରୀବାଦୀ ଦୃଷ୍ଟି ରଖୁଥିଲେ। ସେ କହୁଥିଲେ, ନାରୀ ଏକ ସ୍ବତନ୍ତ୍ର ବ୍ୟକ୍ତିତ୍ୱ ଏବଂ ବିବାହ ପରେ ତା’ ସ୍ବାତନ୍ତ୍ରୢ ଶେଷ ହୁଏ ନାହିଁ। ପତ୍ନୀର ଶରୀର ଉପରେ ପତିର ଏକାଧିକାର ରହିଛି ବୋଲି ଧାରଣା ରଖୁଥିବା ପୁରୁଷପ୍ରଧାନ ବିଚାର ବିରୋଧରେ ଏହା ଥିଲା ଏକ ଯୁଗାନ୍ତକାରୀ ବିଚାର।
୧୯୪୦ ଦଶକରେ ‘ସବୁଜ ଯୁଗ’ର କାଳିନ୍ଦୀ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଅନ୍ନଦା ଶଙ୍କର ରାୟ ଆଦି ମିଶି ‘ବାସନ୍ତୀ’ ନାମରେ ଏକ ଯୌଥ ଉପନ୍ୟାସର କଳ୍ପନା ଓ ରଚନା କଲେ; ତହିଁରେ ଏକମାତ୍ର ମହିଳା ଭାବରେ ସରଳା ଦେବୀ ମଧ୍ୟ ସହଭାଗୀ ରହିଥିଲେ। ସାହିତ୍ୟ ଜଗତରେ ଏହା ସେତେବେଳେ ଖୁବ୍ ଚହଳ ପକାଇଥିଲା। ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ରୂପରେ ମଧ୍ୟ ତାଙ୍କର ପ୍ରସିଦ୍ଧି ରହିଥିଲା। ତାଙ୍କ ଦ୍ବାରା ଚର୍ଚ୍ଚିତ ‘ଉତ୍କଳର ନାରୀ ସମସ୍ୟା’ (୧୯୩୪), ‘ନାରୀର ଦାବି’ (୧୯୩୪), ‘ଭାରତୀୟ ମହିଳା ପ୍ରସଙ୍ଗ’ (୧୯୩୫) ଓ ‘ବୀର ରମଣୀ’ (୧୯୪୯) ଇତ୍ୟାଦି ଖୁବ୍‌ ପ୍ରଣିଧାନଯୋଗ୍ୟ। 
ସରଳା ଦେବୀ ସର୍ବଦା ନାରୀ ଜାଗୃତିକୁ ଖୁବ୍‌ ମହତ୍ତ୍ବ ଦେଉଥିଲେ, କାରଣ, ତାଙ୍କ ବିଚାରରେ, ଉଭୟ ଶିକ୍ଷା ଓ ସଚେତନତାର ଅଭାବରେ ହିଁ ନାରୀ ଅଯଥା ଶୋଷଣ ଓ ଦମନର ଶିକାର ହୁଏ। ଏହି ଆଧାରରେ କେବଳ ଓଡ଼ିଶା କାହିଁକି, ସବୁଆଡ଼େ ଆଧୁନିକ ସମାଜ ଗଠନ ନିମନ୍ତେ ନାରୀ ଜାଗୃତି ଅଧିକ ଆବଶ୍ୟକ ବୋଲି ସେ ମନେ କରୁଥିଲେ। ଆଜି ଘରେ ତଥା ବାହାରେ ମହିଳା ସାମନା କରୁଥିବା ବର୍ଦ୍ଧିଷ୍ଣୁ ପକ୍ଷପାତ ଓ ଅସମ୍ମାନ ପରିପ୍ରେକ୍ଷୀରେ ନାରୀ ଜାଗୃତିର ଚର୍ଚ୍ଚାକୁ ତା’ର ଉତ୍ତର ଭାବେ ଦେଖାଯାଇପାରେ, ଯେଉଁ ବିଷୟରେ ବାରମ୍ବାର ଚେତାଇ ଦେଇ ସରଳା ଦେବୀ ଆଜି ସୁଦ୍ଧା ପ୍ରାସଙ୍ଗିକ ହୋଇ ରହିଛନ୍ତି।
(ମତାମତ ଲେଖକଙ୍କ ନିଜସ୍ୱ)
[email protected]

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)