28 OCTOBER 2026

Welcome!

Unlock your personalized experience.
Sign Up

ମଧ୍ୟରାତ୍ରରେ ‘ଅର୍ଣ୍ଣବ’ ତାଣ୍ଡବ: ୧୨ଟା ୫୪ରେ ଲ୍ୟାଣ୍ଡଫଲ୍‌, ଆନ୍ଧ୍ର, ତାମିଲନାଡ଼ୁରେ ଭୀଷଣ କ୍ଷତି

Oct 28, 2026 - 03:48
ମଧ୍ୟରାତ୍ରରେ ‘ଅର୍ଣ୍ଣବ’ ତାଣ୍ଡବ: ୧୨ଟା ୫୪ରେ ଲ୍ୟାଣ୍ଡଫଲ୍‌, ଆନ୍ଧ୍ର, ତାମିଲନାଡ଼ୁରେ ଭୀଷଣ କ୍ଷତି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’। ଆଇଏମ୍‌ଡିର ସୂଚନା ଅନୁଯାୟୀ, ଆଜି ମଧ୍ୟରାତି ୧୨ଟା ୫୪ ମିନିଟ୍‌ରେ ୟାନାମର ଦକ୍ଷିଣ ଦିଗରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୨୫ରୁ ୧୩୫ କିଲୋମିଟର ଏବଂ ଝଟକା ପବନ ୧୫୦ କିଲୋମିଟର ଥିଲା। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହୋଇଛି। ବାତ୍ୟା ପ୍ରଭାବରେ ଆନ୍ଧ୍ରର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଓଡ଼ିଶାର ୬ଟି ଜିଲ୍ଲାମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ଉପକୂଳ ଓଡ଼ିଶାରେ ମଧ୍ୟ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି। ଲ୍ୟାଣ୍ଡଫଲ୍‌ ପରେ ବାତ୍ୟା ୟୁ-ଟର୍ଣ୍ଣ ନେବ ଏବଂ ଦକ୍ଷିଣ ଛତିଶଗଡ଼ମୁହାଁ ହୋଇ ଆଗକୁ ବଢ଼ିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ସମୁଦ୍ର ଭିତ‌ରେ ଥିବା ସମୟରେ ବାତ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚି  ପବନର ବେଗ ଘଣ୍ଟା ପ୍ରତି ୧୮୫ କିମିରେ ଥିଲା। ବିଶାଖାପାଟଣାଠାରୁ ୧୮୦ କିମି ଦୂରରେ ଥିବା ସମୟରେ ହିଁ ସର୍ବାଧିକ ପବନ ରହିଥିଲା। ବାତ୍ୟାର ଆଖି ବ୍ୟାସ ୧୭ କିମି ଥିବାବେଳେ ଉପକୂଳ ଆଡ଼କୁ ଆସିଲା ବେଳକୁ ଏହାର ପରିସର ଧୀରେ ଧୀରେ କମିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଶ୍ରୀଲଙ୍କା ଉପକୂଳ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ‘ଅର୍ଣ୍ଣବ’ର କେନ୍ଦ୍ରସ୍ଥଳ ପର୍ଯ୍ୟନ୍ତ ଗୋଟିଏ ଟ୍ରଫ୍‌ ଲାଇନ୍‌ ଲମ୍ବିଛି। ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଟ୍ରଫ୍‌ଲାଇନ୍‌ ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଉପକୂଳ ତାମିଲନାଡ଼ୁ ଉପରେ ଥିବା ଘୂର୍ଣ୍ଣିବଳୟ ମିଶିଯାଇଛି। ପ୍ରଭାବରେ ଆଉ ଏକ ସିଷ୍ଟମ୍‌ ସମାନ୍ତରାଳ ଭାବେ ଆଗକୁ ବଢ଼ୁଛି, ଯାହାକି ଦକ୍ଷିଣ ଓଡ଼ିଶା ଉପକୂଳକୁ ବୁଧବାର ଅପରାହ୍ଣରେ ସ୍ପର୍ଶ କରିବାର ସମ୍ଭାବନା ରହିଛି। ଏହାଦ୍ବାରା ଉପକୂଳ ଓଡ଼ିଶା ପ୍ରଭାବିତ ହେବାର ସମ୍ଭାବନା ରହିଛି। ୨୮ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୭୦ରୁ ୮୦ କିମି ଏବଂ କୋରାପୁଟରେ ୫୦ରୁ ୭୦ କିମି ବେଗରେ ପବନ ହୋଇପାରେ। ଏହାବ୍ୟତୀତ ଜଗତସିଂହପୁର, କଟକ, ଖୋରଧା, ପୁରୀ, ନୟାଗଡ଼, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ପବନ ହେବ।

FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍‌ଟ୍ୟାଗ୍‌ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି

ଦକ୍ଷିଣ ୟାନମ୍‌ରେ ସ୍ଥଳଭାଗ ଛୁଇଁଲା, ୧୫୦କିମି ବେଗରେ ପବନ, ଆନ୍ଧ୍ର, ତାମିଲନାଡ଼ୁରେ ଭୀଷଣ କ୍ଷତି

ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୨୮ ତାରିଖ ସକାଳ ସାଢ଼େ ୮ଟାରୁ ୨୯ ତାରିଖ ସକାଳ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ। ସକାଳୁ ରାତି ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହୋଇପାରେ। ଏପରିକିି ୨୯ ତାରିଖ ସକାଳ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୭୦ କିମି ରହିବ ଏବଂ ତା’ପରେ ଧୀରେ ଧୀରେ ହ୍ରାସ ପାଇବ। ଏହି ସମୟରେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୭୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋରଧା ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୪୦ରୁ ୬୦ କିମି ବେଗରେ ପବନ ହୋଇପାରେ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ୩୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ୨୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୪୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ଆରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାତ୍ୟା ପ୍ରଭାବରେ ଉଦ୍ୟାନକୃଷି ଓ ଛିଡ଼ା ହୋଇଥିବା ଫସଲ କ୍ଷତି ହୋଇପାରେ। ଗଛ ଡାଳ ଭାଙ୍ଗିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ଗୁରୁତର କ୍ଷତି ହୋଇପାରେ। କଚ୍ଚାଘର, ଚାଳ ଛପର ଘର ଓ ମାଟି କାନ୍ଥଗୁଡ଼ିକ ଭାଙ୍ଗିବା, ଦୁର୍ବଳ ନିର୍ମାଣ କ୍ଷତି ହେବାର ସମ୍ଭାବନା ରହିଛି।

୧୨ଟା ୫୪ରେ ଲ୍ୟାଣ୍ଡଫଲ୍‌
ଆଖିର ବ୍ୟାସ ଥିଲା ୧୭ କିମି

ଆମେରିକାର ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲୁସି) ତଥ୍ୟ ଅନୁଯାୟୀ ବାତ୍ୟା ଅତି ଦ୍ରୁତ ଶକ୍ତିଶାଳୀ ହୋଇଛି। ସ୍ଥଳଭାଗ ଅତିକ୍ରମ ସମୟରେ କିଛି ଦୁର୍ବଳ ହେବାର ସଙ୍କେତ ରହିଛି। ଆନ୍ଧ୍ରପ୍ରଦେଶ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ ଏବଂ ଶୀଘ୍ର ଦୁର୍ବଳ ହେବ। ବାତ୍ୟାର କେନ୍ଦ୍ର ଓଡ଼ିଶା ଦେଇ ଗତି କରିବାର ନାହିଁ। ଗଞ୍ଜାମ ଜିଲ୍ଲା ବାତ୍ୟାର ଉତ୍ତର ପାର୍ଶ୍ୱ ବାହ୍ୟ ପବନ ବଳୟର ସବୁଠାରୁ ନିକଟରେ ରହିବ। ଗଜପତି ମୁଖ୍ୟ ପବନ ବଳୟଠାରୁ ଦୂରରେ ରହିବ। ପୁରୀ, ଖୋରଧା ଓ ଅନ୍ୟାନ୍ୟ ଉପକୂଳ ଜିଲ୍ଲା ମୁଖ୍ୟ ପବନ ବଳୟ ବାହାରେ ରହିବେ। ଦକ୍ଷିଣ ଓଡ଼ିଶାରେ ଆନୁମାନିକ ପବନର ବେଗ ୪୦ରୁ ୮୦ କିମି ମଧ୍ୟରେ ରହିବ। ସ୍ଥଳଭାଗ ଅତିକ୍ରମ ପୂର୍ବରୁ ଗୋପାଳପୁର ଓ ଦକ୍ଷିଣ ଉପକୂଳରେ ପବନର ପ୍ରଭାବ ଅପେକ୍ଷାକୃତ ଅଧିକ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

୨୮ ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଥିବାରୁ ରାତି ସୁଦ୍ଧା ୨୮ଟି ଟ୍ରେନ୍‌ ବାତିଲ ହୋଇଛି। ବିଶାଖାପାଟଣା-କିରଣ୍ଡୁଲ୍ ଏକ୍ସପ୍ରେସ୍‌ ଅକ୍ଟୋବର ୨୯ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବାତିଲ ହୋଇଛି। ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌ ୨୯ରୁ ନଭେମ୍ବର ୪ ଓ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍‌ ୩୦ରୁ ନଭେମ୍ବର ୫, ହାୱଡା-ଜଗଦଲପୁର ଏକ୍ସପ୍ରେସ୍‌ ୨୭ରୁ ୩୦ ଓ ଜଗଦଲପୁର-ହାୱଡା ଏକ୍ସପ୍ରେସ୍‌ ୨୮ରୁ ୩୧ ତାରିଖ, ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ୍‌ ୩୦ ତାରିଖ ଓ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ୨୮ରୁ ୩୧ ତାରିଖ, ବିଶାଖାପାଟଣା-କୋରାପୁଟ ଏକ୍ସପ୍ରେସ୍‌ ୩୦ ଓ ୩୧ ତାରିଖ ଏବଂ ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ରଦ୍ଦ କରାଯାଇଛି।

Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା

ସିକନ୍ଦରାବାଦ-ହାୱଡା ଏକ୍ସପ୍ରେସ୍‌ ୨୯ରେ, ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍‌ ୨୯ରେ, ସିକନ୍ଦରାବାଦ-ଭୁବନେଶ୍ବର ନ୍ୟୁ ୨୭ରେ, ଭୁବନେଶ୍ବର ନ୍ୟୁ-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍‌ ୨୯ରେ, ନନ୍ଦେଡ୍‌-ସମ୍ବଲପୁର ଏକ୍ସପ୍ରେସ୍‌ ୨୭ରେ, ସମ୍ବଲପୁର-ନନ୍ଦେଡ୍‌ ଏକ୍ସପ୍ରେସ୍‌ ୩୦ରେ, ଭୁବନେଶ୍ବର-ପୁଣେ ଏକ୍ସପ୍ରେସ୍‌ ୨୭ରେ, ପୁଣେ-ଭୁବନେଶ୍ବର ଏକ୍ସପ୍ରେସ୍‌ ୨୯‌ରେ, ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ୍‌ ୨୮ରେ ଏବଂ ଗୁଣ୍ଟୁରୁ-ରାୟଗଡ଼ା ଏକ୍ସପ୍ରେସ୍‌ ୨୭ ତାରିଖ ପାଇଁ ବାତିଲ କରାଯାଇଛି। ଏହାବ୍ୟତୀତ ୭ଟି ଟ୍ରେନ୍‌ ସମୟରେ ପରିବର୍ତ୍ତନ ହୋଇଥିବାବେଳେ ୬ଟି ଯାତ୍ରୀବାହୀ ଟ୍ରେନ୍‌ ସେବା ବାତିଲ ହୋଇଛି। ୨୮ ତାରିଖ ପାଇଁ ପାରାଦୀପ-କଟକ-ପାରାଦୀପ ପାସେଞ୍ଜର୍ ଟ୍ରେନ୍, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ, କଟକ-ପଲାସା ମେମୁ ଏବଂ ୨୯ ତାରିଖରେ ପଲାସା-କଟକ ମେମୁ ଟ୍ରେନ୍ ବାତିଲ ରହିବ।

ଭୁବନେଶ୍ୱରସ୍ଥିତ ରେଳ ସଦନରେ ଏକ ଯୁଦ୍ଧକାଳୀନ ନିୟନ୍ତ୍ରଣ କକ୍ଷ (ୱାର୍ ରୁମ୍) ଖୋଲାଯାଇଛି। ସମସ୍ତ ରେଳ ମଣ୍ଡଳ ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଜରୁରି ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ ସମ୍ବେଦନଶୀଳ ସେକ୍ସନ୍‌ଗୁଡ଼ିକରେ ତଦାରଖ ନିମନ୍ତେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଦୁର୍ଘଟଣା ରିଲିଫ୍ ଟ୍ରେନ୍, ଡାକ୍ତରୀ ଦଳ, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ସୁବିଧା ମଧ୍ୟ ପ୍ରସ୍ତୁତ ହୋଇଛି। ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ରେଳ ସମ୍ପତ୍ତିର ସୁରକ୍ଷା ଓ ବାତ୍ୟା ଶାନ୍ତ ହେବା ପରେ ଯଥାଶୀଘ୍ର ସ୍ୱାଭାବିକ ଟ୍ରେନ୍‌ ଚଳାଚଳ ପୁନଃସ୍ଥାପନ କରାଯିବ ବୋଲି ରେଳବାଇ ସୂଚନା ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)