ହର୍ମୁଜ୍ ପ୍ରଣାଳୀରେ ୫୦ ଜାହାଜ ଉପରେ ସାଇବର ଆକ୍ରମଣ! ଇରାନକୁ ସନ୍ଦେହ କଲା ଆମେରିକା

Nov 24, 2026 - 14:34
ହର୍ମୁଜ୍ ପ୍ରଣାଳୀରେ ୫୦ ଜାହାଜ ଉପରେ ସାଇବର ଆକ୍ରମଣ! ଇରାନକୁ ସନ୍ଦେହ କଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଏବେ ସାମୁଦ୍ରିକ କ୍ଷେତ୍ରରେ ଆରମ୍ଭ ହୋଇଛି ସାଇବର ଯୁଦ୍ଧ। ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ପ୍ରାୟ ୫୦ଟି ଜାହାଜ ସାଇବର ଆକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଏହି ଆକ୍ରମଣ ପଛରେ ଇରାନର ହାତ ଥିବା ସନ୍ଦେହ କରୁଛି ଆମେରିକା। ଏନେଇ ଆମେରିକୀୟ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ତୈଳ ଟ୍ୟାଙ୍କର, ଏଲପିଜି ବାହକ ଜାହାଜ, ରାସାୟନିକ ସାମଗ୍ରୀ ପରିବହନକାରୀ ଜାହାଜ ସମେତ ବିଭିନ୍ନ ବିପଜ୍ଜନକ ସାମଗ୍ରୀ ବୋଝେଇ ଜାହାଜ ଟାର୍ଗେଟ ହୋଇଥିବା ସନ୍ଦେହ କରାଯାଉଛି।

ଉତ୍ତେଜନାର କେନ୍ଦ୍ର ପାଲଟିଛି ହର୍ମୁଜ୍ ପ୍ରଣାଳୀ

ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଏବେ ବିଶ୍ୱର ଅନ୍ୟତମ ସମ୍ବେଦନଶୀଳ ସାମୁଦ୍ରିକ ପଥ ପାଲଟିଛି। ଏହି ଜଳପଥ ଦେଇ ବିଶ୍ୱର ବିପୁଳ ପରିମାଣର ଅଶୋଧିତ ତୈଳ ଓ ଅନ୍ୟାନ୍ୟ ଶକ୍ତି ସମ୍ବଳ ପରିବହନ ହୋଇଥାଏ। ତେଣୁ ଏଠାରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେଲେ ବିଶ୍ୱ ତୈଳ ଯୋଗାଣ ଓ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ଗଭୀର ପ୍ରଭାବ ପଡ଼ିପାରେ। କିଛି ଜାହାଜକୁ ଧମକପୂର୍ଣ୍ଣ ବାର୍ତ୍ତା ଓ ବୋମା ଧମକ ମିଳିଥିବା ମଧ୍ୟ ରିପୋର୍ଟରେ ଦାବି କରାଯାଇଛି। ଇରାନ ଏହି ଆକ୍ରମଣର ପ୍ରମୁଖ ସନ୍ଦିଗ୍ଧ ଥିବା ବେଳେ ଏଥିରେ ରୁଷର ସମ୍ଭାବ୍ୟ ସମ୍ପୃକ୍ତି ନେଇ ମଧ୍ୟ ଆମେରିକୀୟ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

ସାମୁଦ୍ରିକ କ୍ଷେତ୍ରରେ ଚାପ ବଢ଼ାଇବାକୁ ସାଇବର ରଣନୀତି

ଆମେରିକାର ଆଶଙ୍କା ଯେ, ଇରାନ ସାମରିକ କାର୍ଯ୍ୟାନୁଷ୍ଠାନ ସହ ସାଇବର ଆକ୍ରମଣକୁ ମଧ୍ୟ ଏକ ରଣନୀତି ଭାବେ ବ୍ୟବହାର କରୁଛି। ଏହାଦ୍ୱାରା ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରିବା ସହ ତୈଳ ଯୋଗାଣ ଓ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିବା ଉଦ୍ଦେଶ୍ୟ ଥାଇପାରେ। ଯଦି ଏଭଳି ଆକ୍ରମଣ ଆଗକୁ ବଢ଼େ, ତେବେ ସାମୁଦ୍ରିକ ସୁରକ୍ଷା ସହ ବିଶ୍ୱ ଅର୍ଥନୀତି ପାଇଁ ମଧ୍ୟ ଏହା ଗମ୍ଭୀର ସଙ୍କଟ ସୃଷ୍ଟି କରିପାରେ।

ସାଇବର ସୁରକ୍ଷା ପାଇଁ ନିୟୋଜିତ ହେଲା ଆମେରିକୀୟ ଟିମ୍

ଅଧିକାରୀ ଓ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ସମୁଦ୍ରରେ ଚଳାଚଳ କରୁଥିବା ଜାହାଜଗୁଡ଼ିକରେ ବ୍ୟବହୃତ ଫୋର୍ଟିନେଟ୍ ରାଉଟରର କିଛି ସୁରକ୍ଷା ଦୁର୍ବଳତାକୁ ଆକ୍ରମଣକାରୀମାନେ ଟାର୍ଗେଟ କରୁଥିବା ଆଶଙ୍କା ରହିଛି। ଏହି ପରିସ୍ଥିତିରେ ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ସାଇବର ସୁରକ୍ଷା ଟିମ୍ ନିୟୋଜିତ କରାଯାଇଛି। ଆମେରିକା ଅଭିମୁଖେ ଯାଉଥିବା ପ୍ରଭାବିତ ଜାହାଜଗୁଡ଼ିକୁ ଏହି ଟିମ୍ ସହାୟତା ଯୋଗାଉଛି।

ସାମରିକ ଆକ୍ରମଣ ସହ ସାଇବର ଆକ୍ରମଣର ଆଶଙ୍କା ବଢ଼ୁଥିବାରୁ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ଏହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ନ ରହି ବିଶ୍ୱର ଶକ୍ତି ଯୋଗାଣ ଓ ସାମୁଦ୍ରିକ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)