ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ଧାରଣାରେ ବୋହୁ
ଯାଜପୁର : ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ବୋହୁ ହଟହଟ୍ଟା । ଶ୍ୱଶୁର ଘର ଲୋକେ ଘରେ ନପୁରାଇବାରୁ ଘର ଅଗଣାରେ ଧାରଣାରେ ବସିଲେ ବୋହୁ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ୱର ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା ଦୀର୍ଘ ୫ ବର୍ଷ ଧରି ଅଦାଲତରେ ବିଚାରାଧୀନ ଥିବା ବେଳେ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ଘରେ ପ୍ରବେଶ କରିବାକୁ ନପାଇ ଧାରଣାରେ ବସିଛନ୍ତି ବୋହୂ ସରିତା ବେହେରା ।
ସୂଚନା ଅନୁଯାୟୀ, ଦଶରଥପୁର ବ୍ଲକ କଟିକଟା ଅଞ୍ଚଳର ସରିତା ବେହେରାଙ୍କର ନିଜ ସ୍ୱାମୀଙ୍କ ସହ ଗତ ୪ ବର୍ଷ ଧରି ଅଦାଲତରେ ଛାଡ଼ପତ୍ର ମାମଲା ବିଚାରାଧୀନ ରହିଛି । ତେବେ ଗତକାଲି ଶ୍ୱଶୁରଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଆଜି ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ସରିତା ଶାଶୂଘରକୁ ଆସିଥିଲେ । ମାତ୍ର ଦେଢ଼ଶୁର ଓ ଯାଆ ତାଙ୍କୁ ଘର ଭିତରକୁ ପୂରାଇ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ନ୍ୟାୟ ଦାବିରେ ଘର ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି ସରିତା ।
ଏହି ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ମହିଳାଙ୍କ ଅଭିଯୋଗ ଓ ପାରିବାରିକ ବିବାଦକୁ ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି । ସେପଟେ ଶାଶୁଘର ଲୋକଙ୍କ କହିବା କଥା ହେଲା ମାମଲା ବିଚାରାଧୀନ ଥିବାବେଳେ ଅଧିକ ଟଙ୍କା ଦାବି କରି ମହିଳା ଏଭଳି ପ୍ରହସନ କରୁଛନ୍ତି । ଗତକାଲି ଶ୍ୱଶୁରଙ୍କ ଦେହାନ୍ତ ହୋଇଛି, ଆଜି କସା ଖିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବା ପାଇଁ ଏଭଳି କରୁଥିବା ପାଲଟା ଅଭିଯୋଗ କରୁଛନ୍ତି ଶ୍ୱଶୁର ଘର ପରିବାର । ଉଭୟ ପକ୍ଷଙ୍କ ସହ ଆଲୋଚନା କରି ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଉଦ୍ୟମ କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
