‘ମାଟିର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ’
ଭୁବନେଶ୍ୱର: ଜୀବନଯାପନ ଧାରାରେ ବିଳାସ ଓ ଅତ୍ୟଧିକ ପ୍ରାଚୁର୍ଯ୍ୟ ଯୋଗୁଁ ପ୍ରାକୃତିକ ଭାରସାମ୍ୟ ବିଗୁଡ଼ିଛି। ଏଭଳି ସ୍ଥିତିରେ ଦୋଷ ଫିଙ୍ଗାଫିଙ୍ଗି ନହୋଇ, ଦେଶ ପାଇଁ ଚିନ୍ତା କରିବାକୁ ପଡ଼ିବ। ଯେଉଁ ମାଟିର ପାଣି, ପବନ, ଫସଲରେ ଆମେ ବଡ଼ ହୋଇଛେ, ତା’ର ସୁରକ୍ଷା ବିଷୟରେ ଚିନ୍ତା କରିବା ଆମର ଦାୟିତ୍ୱ। ‘ଅନନ୍ତ ବଳିଆ ଟ୍ରଷ୍ଟ’ ପକ୍ଷରୁ ବୁଦ୍ଧମନ୍ଦିରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି ସମାଜ ସଂସ୍କାରକ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ। ସମ୍ମିଳନୀରେ ବାବା ବଳିଆ ବହୁ ଦିନ ଧରି ତାଙ୍କ ମନକୁ ଆନ୍ଦୋଳିତ କରୁଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।
ସେ କହିଥିଲେ, ସ୍ୱାଧୀନତା ଦିବସକୁ ‘ସ୍ୱାଧୀକାର ଦିବସ’ ଭାବେ ପାଳନ କରାଯାଉ। ବିରୋଧୀ ଦଳକୁ ‘ପ୍ରସ୍ତାବକ ଦଳ’, ଗୋ-ମାତାଙ୍କୁ ‘ଜାତୀୟ ପଶୁ’ର ମାନ୍ୟତା, ବୈଦ୍ୟୁତିକ ଗଣମାଧ୍ୟମ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତ ମାତାର ବନ୍ଦନା ଓ ଜାତୀୟ ସଙ୍ଗୀତର ଉପସ୍ଥାପନା, ମଦ୍ରାସା, ମିସନ୍ ସ୍କୁଲ, ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରାର୍ଥନା ସଭା ଜାତୀୟ ସଙ୍ଗୀତରୁ ଆରମ୍ଭ, ଧର୍ମାନୁଷ୍ଠାନ ନିକଟରେ ଉପଯୁକ୍ତ ପରିମଳ ବ୍ୟବସ୍ଥା, ଧର୍ମପୀଠ ପାଇଁ ଉପଯୁକ୍ତ ସରକାରୀ ଅନୁସନ୍ଧାନ ପରେ ଅନୁମତି ପ୍ରଦାନ, ଗୃହପାଳିତ ପଶୁମାନଙ୍କର ସୁରକ୍ଷା ପାଇଁ ପଦକ୍ଷେପ, ରାସ୍ତା ବା ଶିଳ୍ପ ନିର୍ମାଣରେ ଯେତିକି ଗଛ କଟାଯାଉଛି ତାହାର ୧୦ ଗୁଣ ଚାରାରୋପଣ ପାଇଁ ସେ ପ୍ରସ୍ତାବ ଦେଇଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ବାବା ବଳିଆ ଏକ ଭିନ୍ନ କିସମର ବ୍ୟକ୍ତିତ୍ବ। ବର୍ତ୍ତମାନ ସମସ୍ତେ ଲୋକତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ନିଜକୁ ବଳିଷ୍ଠ ଦେଖାଇବା ପାଇଁ ଆନ୍ଦୋଳନ, ଆଲୋଚନା ଆଦି କରୁଛନ୍ତି, ଯାହା ବାବା ବଳିଆ ବହୁ ପୂର୍ବରୁ କରିଛନ୍ତି। ଗଣତନ୍ତ୍ରକୁ ସୁରକ୍ଷିତ କରିବା ପାଇଁ ବାବାଙ୍କ ବାର୍ତ୍ତା ଆମକୁ ଅନୁପ୍ରାଣିତ କରିବ ବୋଲି ସେ କହିଥିଲେ। ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଟ୍ରଷ୍ଟି ବାବା ପ୍ରଣବାନନ୍ଦ ଦାସ, ଶିଶୁ ଅନନ୍ତ ଆଶ୍ରମର ବାବା ପରମାତ୍ମା ଦାସ, ବାବା ରାଧେଶ୍ୟାମ ଦାସ ଓ ବାବା ଶ୍ରୀବାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିକ୍ରମ ପରିଜା, ମନୋଜ ମହାପାତ୍ର, ସମୀକ୍ଷା ମିଶ୍ର, ଦୀପକ ମହାପାତ୍ର, ଅରବିନ୍ଦ ତ୍ରିପାଠୀ, ପ୍ରମୋଦ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
