୧୨ ନିଖୋଜଙ୍କୁ ଖୋଜା ଆରମ୍ଭ: ବ୍ୟବହାର ହେବ ‘ସିସ୍ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍’
ଭୁବନେଶ୍ୱର/ଭଞ୍ଜନଗର/ଘୁ.ଉଦୟଗିରି: ଗଞ୍ଜାମଜିଲ୍ଲାଭଞ୍ଜନଗର ବ୍ଲକର ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗ୍ରାମରେ ଭୟଙ୍କର ଭୂସ୍ଖଳନରେ ୧୩ ଜଣ ନିଖୋଜ ହୋଇଯାଇଥିଲେ। ଆଜି ଜଣେ ପୁରୁଷଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ୨ଟି ଗାଈକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସୂଚନା ଦେଇଛନ୍ତି। ଏବେ ବି ୧୨ଜଣ ନିଖୋଜ ଅଛନ୍ତି। ପ୍ରତିକୂଳ ପାଗ ସହ ରାତି ହୋଇଯିବାରୁ ଆଜି ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖାଯାଇଛି। ନିଖୋଜ ଅନ୍ୟ ୧୨ଜଣଙ୍କୁ ଖୋଜିବା ଲାଗି ଏନ୍ଡିଆର୍ଏଫ୍, ଓଡ୍ରାଫ, ଅଗ୍ନିଶମ ବାହିନୀ, ଏସ୍ଓଜି ସହ ସମସ୍ତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ISRO: ଏନ୍ଭିଏସ୍-୦୩ ଉତ୍କ୍ଷେପଣ; ୩ଟି ପାଇରୋ ଭାଲ୍ଭ ଖୋଲା ରଖିଥିଲା ଇସ୍ରୋ
ମିଳିଥିବା ଖବର ଅନୁସାରେ, ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାର ଭାରତୀୟ ନୌସେନାର ସହାୟତା ନେଇଛନ୍ତି। ଆଜି ନୌସେନାର ଏକ ହେଲିକପ୍ଟର ଯୋଗେ ତିନିଟି ଅତ୍ୟାଧୁନିକ ସନ୍ଧାନ ଉପକରଣ ଯଥା ଲାଇଫ୍ ଡିଟେକ୍ସନ୍ ୟୁନିଟ୍ (ସିସ୍ମିକ୍), ଭାଇବ୍ରେସନ୍ ଡିଟେକ୍ସନ୍ ୟୁନିଟ୍ ଏବଂ ଭିକ୍ଟିମ୍ ଲୋକେସନ୍ କ୍ୟାମେରାକୁ ଜି.ଉଦୟଗିରିକୁ ନିଆଯାଉଥିଲା। କିନ୍ତୁ ପ୍ରତିକୂଳ ପାଣିପାଗ ଯୋଗୁଁ ହେଲିକପ୍ଟରଟି ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିପାରିନଥିଲା। ଏହି ଉପକରଣଗୁଡ଼ିକୁ ଏବେ ସଡ଼କ ପଥରେ ପଠାଯାଉଛି। ରବିବାର ସକାଳୁ ଏହାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ। ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ଏହି ଅତ୍ୟାଧୁନିକ ପ୍ରଯୁକ୍ତିରେ ଥିବା ସ୍ୱତନ୍ତ୍ର ସେନ୍ସର ଓ ସ୍କାନିଂ ମାଧ୍ୟମରେ ମାଟି, ପଙ୍କ କିମ୍ବା ଭଗ୍ନାବଶେଷ ତଳେ ଥିବା ଜୈବିକ ସଙ୍କେତକୁ ସହଜରେ ଚିହ୍ନଟ କରାଯାଇପାରିବ। ଏପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଫୋନ୍ରେ କଥା ହୋଇ ସହାୟତା ଯୋଗାଇଦେବାକୁ କହିଥିଲେ। ଏହାପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ‘ଚେନ୍ ପୁଲି ସିଷ୍ଟମ୍’ ବ୍ୟବହାର ପ୍ରକ୍ରିୟା ଆରମ୍ଭ ହୋଇଛି।
ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ
‘ଅର୍ଣ୍ଣବ’ କ୍ଷୟକ୍ଷତିର ଆକଳନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ପରେ କହିଛନ୍ତି ଯେ ଭୂସ୍ଖଳନ ପ୍ରଭାବିତ ପ୍ରତ୍ୟେକଟି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ସେହିପରି ବାତ୍ୟା କ୍ଷୟକ୍ଷତିର ଠିକ୍ ଆକଳନ ସହ ଆଗାମୀ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରଶାସନର ସମସ୍ତ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଏହାସହ କେତେକ ଗଣମାଧ୍ୟମରେ ବାତ୍ୟା, ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଭ୍ରମାତ୍ମକ ଖବର ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଆଧିକାରିକ ଓ ଠିକ୍ ତଥ୍ୟ ଯୋଗାଇ ଦିଆଯାଉ। ଗଣମାଧ୍ୟମ ଓ ବିଭିନ୍ନ ସୂତ୍ରରୁ ଆସୁଥିବା ତଥ୍ୟ ଓ ଖବରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା, ରାସ୍ତାଘାଟ ଏବଂ ଅନ୍ୟାନ୍ୟ ଜରୁରୀ ସେବାଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଆଗାମୀ ସମ୍ଭାବ୍ୟ ବାତ୍ୟା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି, ବିପଦସଙ୍କୁଳ ଅଞ୍ଚଳରୁ ଆଗୁଆ ସ୍ଥାନାନ୍ତରଣ, ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଓ ଆବଶ୍ୟକସ୍ଥଳେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ ମହଜୁଦ ରଖିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି।
Tata Group developments: ଟାଟା ସନ୍ସର ସମସ୍ତ ଘଟଣା ଉପରେ ନଜର ରଖିଛି ସେବି
ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ବିିଶାଲ କୁମାର ଦେବ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି, ସ୍ୱତନ୍ତ୍ର ରିଲିଫ କମିସନର ରାଜେଶ ପ୍ରଭାକର ପାଟିଲ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଗିରୀଶ ଏସ୍. ଏନ୍, ଗ୍ରାମ୍ୟ ଜଳଯୋଗାଣ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଜି ଭୋରରୁ ଏସ୍ଓଜି ବାହିନୀ, ଏନ୍ଡିଆର୍ଏଫ୍, ଓଡ୍ରାଫ୍, ପୁଲିସ ଟିମ୍ ଓ ଅଗ୍ନିଶମ ବାହିନୀ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଗିଡ଼ିପାବାଲିରେ ପହଞ୍ଚିଥିଲେ। ଚାରିଆଡ଼େ କେବଳ ମାଟି ଓ ପଥର ଦେଖିବାକୁ ମିଳିଥିଲା। ରାଜସ୍ୱ ମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ଉଦ୍ଧାର ଅଭିଯାନ ଜାରି ରହିଛି। ପ୍ରତିକୂଳ ପାଣିପାଗ ସତ୍ତ୍ୱେ ବିଶେଷଜ୍ଞଙ୍କ ସହ ପରାମର୍ଶ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ନିଖୋଜଙ୍କୁ ଠାବ କରିବାକୁ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି।
ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଘୁ.ଉଦୟଗିରି ଥାନାଧିକାରୀ ବିଜୟ କୁମାର ସ୍ୱାଇଁ, ଭଞ୍ଜନଗର ଏସ୍ଆଇ ସୁବ୍ରତ କୁମାର ଲେଙ୍କାଙ୍କ ସମେତ ଶତାଧିକ ଉଦ୍ଧାରକାରୀ ପାହାଡ଼ ଚଢ଼ିଥିଲେ। ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ ଗତକାଲି ରାତିରୁ ସେଠାରେ ରହିଥିବା ବେଳେ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର, ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର ଓ ଏନ୍ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଉପସ୍ଥିତ ଥିଲେ। ଆଜି ସକାଳେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶାଙ୍କର ବେହେରା, ବିଡିଓ ଭାରତୀ ଦେବୀ ଓ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ସିପାଏଜୁ ଗାଁରେ ପହଞ୍ଚିଛନ୍ତି। ସିପାଏଜୁ ଗ୍ରାମ ନିକଟରେ ଡାକ୍ତରୀ ଟିମ୍, ଅଗ୍ନିଶମ ଟିମ୍ ଓ ପୁଲିସ ସଜାଗ ହୋଇ ରହିଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
