ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ,ସ୍ୱାମୀ,ନଣନ୍ଦ ଅଟକ
ବଲାଙ୍ଗୀର : ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ରହ୍ମପୁରରେ । ମୃତକ ହେଲେ ପାଟଣାଗଡ଼ ବ୍ରହ୍ମପୁରା ଗ୍ରାମର ଓଁକାର ଠାକୁରଙ୍କ ସ୍ତ୍ରୀ ଯଶୋବନ୍ତି ଚାନ୍ଦ । ତାଙ୍କର ଅଢେଇ ବର୍ଷର ଏକ ଶିଶୁକନ୍ୟା ରହିଛି । ତେବେ ଝିଅକୁ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଥାନାରେ ଏତଲା ପରେ ପୋଲିସ ଯଶୋବନ୍ତିଙ୍କ ସ୍ୱାମୀ ଓଁକାର ଏବଂ ନଣନ୍ଦଙ୍କୁ ଅଟକ ରଖି ଜେରା କରୁଛି ।
ଘଟନାନୁସାରେ, ୨୦୨୩ରେ ପାଟଣାଗଡ ସହରର ବ୍ରହ୍ମପୁରାର ଓଁକାର ଠାକୁରଙ୍କ ସହିତ ଖପ୍ରାଖୋଲ ଥାନା ମହରାପଦର ଗାଁର ଅକ୍ରୁର ଚାନ୍ଦଙ୍କ ଝିଅ ଯଶୋବନ୍ତି ଚାନ୍ଦଙ୍କ ବିବାହ ହୋଇଥିଲା । ବାପାଙ୍କ ଅଭିଯୋଗ ଅନୁସାରେ, ବିବାହ ପରଠାରୁ ସ୍ୱାମୀ, ଶାଶୁ ଓ ନଣନ୍ଦ ମିଶି ତାଙ୍କ ଝିଅକୁ ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେବା ସହ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଏନେଇ ଝିଅ ମଧ୍ୟ ବାପଘର ଲୋକଙ୍କ ଆଗରେ କହିଥିଲା । ତେବେ ଗତକାଲି ଝିଅ ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିବାବେଳେ ସେଠାରେ ସୁଯୋଗ ପାଇ ତାଙ୍କ ମା'କୁ ଫୋନ କରି ତାଙ୍କୁ ଶାଶୁ ଘର ଲୋକେ ବହୁତ ବାଡ଼ଉଛନ୍ତି ବୋଲି କହିଥିଲା । ତେବେ ଏହାର କିଛି ସମୟ ପରେ ଏହାର ସ୍ୱାମୀ ଓଁକାର ଠାକୁର ଫୋନ କରି ଯଶୋବନ୍ତିଙ୍କ ମୃତ୍ୟୁ ଖବର ତାଙ୍କ ଶ୍ୱଶୁର ଘରକୁ ଦେଇଥିଲେ । ଯଶୋବନ୍ତି ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଓଁକାର କହିଥିଲେ ।
ମାତ୍ର ଯଶୋବନ୍ତିଙ୍କ ବାପ ଘର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ତାଙ୍କ ଝିଅ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏ ନେଇ ପାଟଣାଗଡ଼ ଥାନାରେ ସ୍ୱାମୀ ଏବଂ ନଣନ୍ଦଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅକ୍ରୁର ଚାନ୍ଦ । ପୋଲିସ ମୃତ ଦେହକୁ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରିଛି । ସ୍ୱାମୀ ଏବଂ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି । ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।