ପ୍ରଶ୍ନପତ୍ର ପ୍ରଘଟ ବିଲ କୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ପେପର ଲିକ୍ ମାମଲାରେ ଏବେ ଆହୁରି କଠୋର ହେବ ଆଇନ । ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ପବ୍ଲିକ୍ ଏକ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ସଂଶୋଧିତ ନିୟମ ଅନୁଯାୟୀ, ପ୍ରଶ୍ନପତ୍ର ପ୍ରଘଟ କରିବା କିମ୍ବା ଏଭଳି ଅପରାଧରେ ସଂଗଠିତ ଭାବେ ସାମିଲ ଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ନୂଆ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ସହ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ପ୍ରାବଧାନ ଥିବା ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ଶୀଘ୍ର ଏହି ବିଲ୍ ସଂସଦରେ ଆଗତ ହୋଇ ପାରିତ ହେବାର ସମ୍ଭାବନା ରହିଛି। ଏହାସହ ପେପର ଲିକ୍ ସମ୍ବନ୍ଧୀୟ ମାମଲାର ଶୀଘ୍ର ନିଷ୍ପତ୍ତି ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ବ୍ୟବସ୍ଥାକୁ ଆଇନଗତ ମାନ୍ୟତା ଦିଆଯିବ। କେନ୍ଦ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ସୋମବାର ସଂସଦରେ ଏହି ବିଲ୍ ଉପସ୍ଥାପନ କରିବେ। ସରକାର କହିଛନ୍ତି, ଏହି ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା, ପ୍ରଶ୍ନପତ୍ର ପ୍ରଘଟ ନେଟୱର୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରି ପୁଣି ପରୀକ୍ଷାର୍ଥୀଙ୍କ ଭରସା ପୁଣି ଫେରାଇ ଆଣିବା।
ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ନିଜର ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ଏକ ବଡ଼ ଧରଣର ସୁଧାର ଓ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା କ୍ରମରେ ଏନଟିଏ ଏହାର ୪୭ ଜଣ ଅଧିକାରୀଙ୍କୁ ବହିଷ୍କାର କରିଛି। ପ୍ରଶ୍ନପତ୍ର ପ୍ରଘଟ ଅନିୟମିତତାରେ ସାମିଲ ଥିବା କେତେକ ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।