ଆନ୍ଦୋଳନରୁ ଓହରିଲା ସିଜେପି

Jul 25, 2026 - 20:29
ଆନ୍ଦୋଳନରୁ ଓହରିଲା ସିଜେପି

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (ସିଜେପି) ଆଜି ଆନ୍ଦୋଳନରୁ ଓହରିଛି। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହାର କରିବାପାଇଁ ନିଷ୍ପତ୍ତି ନେଇଛି। କନଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ସରକାର ଓ ସିଜେପି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ସିଜେପି ମୁଖପାତ୍ର ସୌରଭ ଦାସ ଓ ଆଶୁତୋଷ ରଙ୍କା ଆନ୍ଦୋଳନ ପ୍ରତ୍ୟାହାର କରାଯାଉଥିବା ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ସିଜେପି ପ୍ରତିନିଧି ଦଳଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ହିଂସା ଘଟଣାରେ ରୁଜୁ ସମସ୍ତ ଏତଲା ସେମାନଙ୍କୁ ପ୍ରଦାନ କରାଯିବ ଏବଂ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁ‌ଷ୍ଠାନ ନିଆଯିବ ନାହିଁ। ନିୟମ ଅନୁଯାୟୀ ଯାହା ସର୍ବାଧିକ ସମ୍ଭବ ତାହା କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ ବୋଲି ନଡ୍ଡା ସ୍ପଷ୍ଟ କରିଛନ୍ତି। ସରକାରଙ୍କୁ ସିଜେପି ପକ୍ଷରୁ ବିଚାର ପାଇଁ ୫ଟି ସୁପାରିସ କରାଯାଇଛି। ସେଥିରେ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରସଙ୍ଗ ମଧ୍ୟ ରହିଛି।

ଅନ୍ୟପକ୍ଷେ ସିଜେପି ମୁଖପାତ୍ର ସୌରଭ ଦାସ କହିଛନ୍ତି, ଯେଉଁସବୁ ଦାବି ଉପରେ ସରକାର ରାଜି ହୋଇଛନ୍ତି ତାହା ଶୀଘ୍ର ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବ । ସରକାରଙ୍କ ସହ ପରବର୍ତ୍ତୀ ଆଲୋଚନା ୪ ସପ୍ତାହ ପରେ ହେବା ନେଇ ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଜନ୍ତରମନ୍ତରରେ ଆନ୍ଦୋଳନକାରୀ ଖୁସି ମନାଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସେମାନଙ୍କ ମୁଖ୍ୟ ଦାବି ଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।