ବଲାଙ୍ଗିର-ପାଟଣାଗଡ଼-ଲାଖନା ରେଳପଥକୁ ସ୍ୱତନ୍ତ୍ର ପ୍ରକଳ୍ପ ମାନ୍ୟତା
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗ କ୍ଷେତ୍ରରେ ଆସିଛି ବଡ଼ ଖୁସି ଖବର। ବଲାଙ୍ଗିର-ପାଟଣାଗଡ଼-ଲାଖନା ନୂଆ ବ୍ରଡଗେଜ୍ ରେଳପଥକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପର ମାନ୍ୟତା ମିଳିଛି । ଏନେଇ ରେଳ ମନ୍ତ୍ରାଳୟର ପୂର୍ବତଟ ରେଳପଥ (ନିର୍ମାଣ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପାଟଣାଗଡ଼ ଦେଇ ଯିବାକୁ ଥିବା ପ୍ରାୟ ୧୦୨ କିଲୋମିଟର ଦୀର୍ଘ ଏହି ନୂଆ ରେଳପଥ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ପଶ୍ଚିମ ଓଡ଼ିଶାରେ ରେଳ ଯୋଗାଯୋଗର ସମ୍ପ୍ରସାରଣ ନେଇ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ବଲାଙ୍ଗିର-ପାଟଣାଗଡ଼-ଲାଖନା ରେଳପଥକୁ ସ୍ୱତନ୍ତ୍ର ପ୍ରକଳ୍ପ ମାନ୍ୟତା ମିଳିବା ଫଳରେ ଏହି ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି । ୧୦୨ କିଲୋମିଟର ଲମ୍ବର ଏହି ବ୍ରଡଗେଜ୍ ରେଳ ଲାଇନ ପାଟଣାଗଡ଼ ଦେଇ ଗଲେ ରେଳ ମାନଚିତ୍ରରେ ନୂଆ ଅଞ୍ଚଳ ଯୋଡ଼ିହେବା ସହ ଯାତ୍ରୀଙ୍କ ଯାତାୟାତ ସହଜ ହେବ ବୋଲି ଆଶା କରାଯାଉଛି । ଏହି ରେଳପଥ କେବଳ ଯାତ୍ରୀ ପରିବହନରେ ସୀମିତ ନ ରହି ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ନୂଆ ଦିଗ ଦେବ । କୃଷିଜାତ ସାମଗ୍ରୀ ପରିବହନ, ବାଣିଜ୍ୟିକ କାରବାର ଏବଂ ଶିଳ୍ପ କ୍ଷେତ୍ରର ସମ୍ପ୍ରସାରଣ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାସହ ରେଳପଥ ନିର୍ମାଣ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
