ବନ୍ୟାଞ୍ଚଳ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଓ ଗଜପତିରେ ବନ୍ୟା ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ଅର୍ଣ୍ଣବ ଏବଂ ଏହା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି । ଏହି ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ଏସଆରସି ରାଜେଶ ପ୍ରଭାକର ପାଟିଲ ମଧ୍ୟ ଉପସ୍ଥିତ ଥିଲେ । ତେବେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ୨୦୮ଟି ଗ୍ରାମ ପଞ୍ଚାୟତ, ୨୯୯ଟି ଗାଁ ଏବଂ ୧୮ଟି ସହରାଞ୍ଚଳ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । । ଜଳାର୍ଣ୍ଣବ ଅନେକ ସହର । ଉଛୁଳିଛି ଋଷିକୂଲ୍ୟା, ବଡ଼ନଦୀ, ବଂଶଧାରା, ଘୋଡାହାଡ଼ ନଦୀ । ଫଳରେ ଅନେକ ଗାଁରେ ବନ୍ୟା ପାଣି ପସିଥିବାରୁ ଲୋକେ ସମସ୍ୟାରେ ପଡିଛନ୍ତି । ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ ହୋଇଛି । ଜତୀୟ ରାଜପଥରେ ପାଣି ଚାଲିବା ଯୋଗୁ ଦୁଇ ପଟରେ ଗାଡି ଘୋଡା ଅଟକି ରହିଛି । ମୋହନା ଠାରୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଧୋଇ ଯାଇଛି । ବିପର୍ଯ୍ୟୟକୁ ଆହୁରି ଭୟଙ୍କର କରିଛି ଭୂସ୍ଖଳନ । ମାଟି ଅତଡା ଖସି ରାସ୍ତାରେ ପଡିବା ଯୋଗୁ କନ୍ଧମାଳର କଳିଙ୍ଗା ଘାଟିରେ ଯାତାୟାତ ଠପ ହୋଇଛି । । ଗଜପତି ଜିଲ୍ଲା ଚିତ୍ରାଙ୍ଗ ନିକଟରେ ପାହାଡରୁ ଅତଡା ଖସି ଅବରୋଧ ହୋଇଛି ଗଙ୍ଗାବଡ଼-କାଇଁପୁର ରୋଡ୍ । ସେହିଭଳି ମୋହନା ବ୍ଲକର ବାଲିବାଡ଼ ରାସ୍ତାରୁ ମଧ୍ୟ ମାଟି ଅତଡା ଖସି ଅବରୋଧ ହୋଇଛି ଘାଟି ରାସ୍ତା ।
ସେପଟେ ମୋଟ ୪୨ ହଜାର ୫୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ, ୧୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି ସାନଖେମୁଣ୍ଡି, ଧରାକୋଟ, ସୋରଡ଼ା ଏବଂ ପୁରୁଷୋତ୍ତମପୁରର ପାଣ୍ଡିଆ ଅଞ୍ଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
