ଭୂଟାନରେ ପ୍ରକୃତିର ତାଣ୍ଡବ: ଭାରତ ପାଇଁ ବଢିଲା ବିପଦ !
ନନ୍ଦିଘୋଷ ବ୍ୟୁରୋ:ପାହାଡରୁ ପୁଣିଥରେ ବାଜିଲାଣି ବିପଦର ଘଣ୍ଟି । ନେପାଳ ଭଳି ଭୁଟାନରେ ଏବେ ମୁଣ୍ଡ ଟେକିଛି ବଡ ବିପଦ । ଭାରତ ପାଇଁ ଜାରି ହେଲା ଆଲର୍ଟ ! ନେପାଳର ଜଳପ୍ରଳୟ ମନରୁ ଲିଭୁଣୁ ବର୍ତ୍ତମାନ ଭୁଟାନର ଉଚ୍ଚ ହିମାଳୟ ଉପତ୍ୟକାରେ ଏକ ବଡ ଗ୍ଲାସିୟର ହ୍ରଦ ଧସିଯାଇଛି । ଯାହାଫଳରେ ତଳମୁ୍ଣ୍ଡରେ ପ୍ରବାହିତ ହେଉଥିବା ନଦୀଗୁଡିକ ଏବେ ଉଗ୍ର ରୂପ ଧାରଣ କରିଛନ୍ତି । ଏହି ବିସ୍ଫୋରଣ ଏବେ ଆମ ଦେଶ ଭାରତ ପାଇଁ ବଡ ବିପଦ ସୃଷ୍ଟି କରିଛି । ଯେଉଁଥିପାଇଁ ଆସାମ ଏବଂ ପଶ୍ଚିମବଙ୍ଗର ସୀମାନ୍ତ ଜିଲ୍ଲାଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି । ଗତ ଏକ ମାସ ପୂର୍ବରୁ ନେପାଳରେ ଦେଖାଦେଇଥିବା ଭୟଙ୍କର ବିପର୍ଯ୍ୟୟ ପରେ ଏବେ ଏହି ନୂତନ ସଙ୍କଟ ଭାରତ ଏବଂ ଭୂଟାନ ପାଇଁ ଚିନ୍ତାର କାରଣ ପାଲଟିଛି । ସତେ ଯେପରି ସମଗ୍ର ପୂର୍ବ ହିମାଳୟ ଗୋଟେ ପରେ ଗୋଟେ ନିଜର ରାଗ ଦେଖାଉଛନ୍ତି ।
ଚଳିତ ବର୍ଷ ଅଗଷ୍ଟ ମାସରେ ନେପାଳ-ତିବ୍ଦତ ସୀମାରେ ଡ୍ୟାମ୍ ଭାଙ୍ଗିବା କାରଣରୁ ଗ୍ଲାସିୟର ହ୍ରଦ ଧସିଯାଇଥିଲା । ଫଳରେ ଭଗ୍ନାବଶେଷ ଏବଂ ପାଣିର ଭୟଙ୍କର ବନ୍ୟା ନେପାଳକୁ ପୂରା ଛାରଖାର କରିଦେଇଥିଲା । ରାସ୍ତାଘାଟ, ପୋଲ ଏବଂ ସୀମାବର୍ତ୍ତୀ ଅଞ୍ଚଳଗୁଡିକ ସମ୍ପୂର୍ଣ୍ଣ ଧ୍ବଂସବିଧ୍ବସ୍ତ ହୋଇଯାଇଥିଲା । ଆଉ ଏବେ ଭୁଟାନରେ ସମାନ କାହାଣୀର ପୁନରାବୃତ୍ତି ହେଉଛି । ଭୁଟାନର ଉଚ୍ଚ ଇଲାକାରେ ଥିବା ବରଫ ହ୍ରଦଗୁଡିକରେ ଦୀର୍ଘ ସମୟ ଧରି ଅସ୍ଥିରତା ଲାଗି ରହିଛି । ବର୍ଦ୍ଧିତ ତାପମାତ୍ରା ଯୋଗୁଁ ବରଫ ତରଳିବାରେ ଲାଗିଛି ଏବଂ ବନ୍ଧଗୁଡିକ ଦୁର୍ବଳ ହୋଇ ଭାଙ୍ଗିବାରେ ଲାଗିଛି । ଫଳସ୍ବରୂପ ଲକ୍ଷ ଲକ୍ଷ ଲିଟର ଜଳ ହଠାତ୍ ମାଡି ଆସିପାରେ । ଆଉ ଏହି ଜଳ ସିଧାସଳଖ ଆସାମର ବ୍ରହ୍ମପୁତ୍ର ଉପତ୍ୟକା ଏବଂ ପଶ୍ଚିମବଙ୍ଗର ଡୁଅର୍ସ ଅଞ୍ଚଳର ନଦୀଗୁଡିକୁ ପ୍ରବାହିତ ହେବ । ଯାହା ଭାରତ ପାଇଁ ସତର୍କ ଘଣ୍ଟି ବଜାଇଛି ।
ଉଚ୍ଚ ଇଲାକାରେ ବରଫ କାନ୍ଥ ଦ୍ବାରା ଗଠିତ ହ୍ରଦଗୁଡିକ ଏବେ ପ୍ରକୃତିର ଟାଇମ୍ ବମ୍ ପାଲଟିଛି । ତାପମାତ୍ରା ଯୋଗୁଁ ବରଫ ଦ୍ରୁତ ବେଗରେ ତରଳୁଛି ଏବଂ ହ୍ରଦର ଜଳସ୍ତର ବଢିଯାଉଛି । ଆଉ ଅଚାନକ ବନ୍ଧ ଭାଙ୍ଗିବା ଦ୍ବାରା ଭଗ୍ନାବଶେଷ ସହ ପାଣି ନିମ୍ନଗାମୀ ହେଉଛି । ଭୁଟାନରେ ମଧ୍ୟ ଏହା ହି ହୋଇଛି, ଯେତେବେଳେ ପଥର ଏବଂ କାଦୁଅ ମିଶା ବନ୍ୟା ପାଣି ସୀମାନ୍ତ ନଦୀ ଦେଇ ଭାରତର ସମତଳ ଅଞ୍ଚଳ ଆଡକୁ ଅଗ୍ରସର ହେଉଛି । ପ୍ରଭାବରେ ଆସାମର କୋକ୍ରାଝାର, ବକ୍ସା, ଚିରାଙ୍ଗ ଏବଂ ଧୁବ୍ରି ଜିଲ୍ଲାରେ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେହିପରି ଭୁଟାନ ସୀମାକୁ ଲାଗି ରହିଥିବା ପଶ୍ଚିମବଙ୍ଗର ଜଳପାଇଗୁଡି ଏବଂ ଆଲିପୁରଦ୍ବାରରେ ମଧ୍ୟ ସମାନ ପରିସ୍ଥିତି ରହିଛି । ଏହି ବିପର୍ଯ୍ୟୟ ଦ୍ବାରା ହଜାର ହଜାର ପରିବାର ପ୍ରଭାବିତ ହୋଇପାରନ୍ତି ଏବଂ କୃଷି ନିର୍ଭରଶୀଳ ଅଞ୍ଚଳର ଜୀବିକା ବିପଦରେ ପଡିପାରେ । ଏହାକୁ ଦୃଷ୍ଟିରେ ରଖି ଆସାମ ଏବଂ ପଶ୍ଚିମବଙ୍ଗ ଉଭୟ ନଦୀ କୂଳରେ ନିଜ ନିଜର ବିପର୍ଯ୍ୟୟ ଟିମ୍ କୁ ମୁତୟନ କରିଛନ୍ତି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଆକ୍ଟିଭ ରହିଛି ଏବଂ ଜଳସ୍ତର ଉପରେ ଲଗାତତାର ଭାବେ ନଜର ରଖାଯାଇଛି ।
ପ୍ରକୃତିର ଏହି ପ୍ରକୋପ ଜଳବାୟୁ ପରିବର୍ତ୍ତନର ଏକ ଗମ୍ଭୀର ଚେତାବନୀ । ଯଦି ସମୟ ଥାଉ ଥାଉ କୌଣସି ବଡ ପଦକ୍ଷେପ ନିଆନଯାଏ । ତେବେ ହିମାଳୟର ଏହି ବରଫ ହ୍ରଦଗୁଡିକ ବାରମ୍ଭାର ବିପଦ ହୋଇ ଠିଆ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
