ଇମ୍ରାନଙ୍କୁ ନେଇ ପାକିସ୍ତାନରେ ବଢୁଛି ଚର୍ଚ୍ଚା, ହସ୍ପିଟାଲରୁ ଜେଲ୍ ଫେରିଲେ

Aug 21, 2026 - 11:36
ଇମ୍ରାନଙ୍କୁ ନେଇ ପାକିସ୍ତାନରେ ବଢୁଛି ଚର୍ଚ୍ଚା, ହସ୍ପିଟାଲରୁ ଜେଲ୍ ଫେରିଲେ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ପୁଣି ଚର୍ଚ୍ଚାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଅସୁସ୍ଥତା କାରଣରୁ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଇମ୍ରାନଙ୍କୁ ପୁଣି ଆଦିଆଲା ଜେଲ୍‌କୁ ନିଆଯାଇଛି। ହସ୍ପିଟାଲରେ ୬ ଜଣ ବିଶେଷଜ୍ଞ ଡାକ୍ତର ତାଙ୍କର ଚିକିତ୍ସା ଓ ଚେକ୍‌ଅପ୍ କରିଥିଲେ। ସମସ୍ତ ପରୀକ୍ଷା ପରେ ତାଙ୍କୁ ପୁଣି ଜେଲ୍‌କୁ ପଠାଯାଇଛି। ଜେଲ୍‌ରେ ଇମ୍ରାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରମାନେ ଯାଞ୍ଚ କରିବା ପରେ ପୁଣି ଜେଲ୍‌କୁ ଫେରାଇ ନିଆଯାଇଛି। ଏହାରି ମଧ୍ୟରେ ଗତ ୧୯ ତାରିଖରେ ପତ୍ନୀ ବୁଶରା ବିବି ଏବଂ ଭଉଣୀ ନୋରିନ ନିଆଜିଙ୍କୁ ଭେଟିଥିଲେ ଇମ୍ରାନ ଖାନ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାୟ ୯ ମାସ ପରେ ସେ ଉଭୟଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ବିଭିନ୍ନ ମାମଲାରେ ଛନ୍ଦି ହୋଇ ଇମ୍ରାନ ଖାନ ୩ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ବନ୍ଦୀ ଅଛନ୍ତି। ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟ ତାଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଇମ୍ରାନଙ୍କୁ ଇସଲାମାବାଦର ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି ରଖିବାକୁ ସରକାରଙ୍କୁ କୁହାଯାଇଥିଲା। ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ମେଡିକାଲ ବୋର୍ଡରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ତାଙ୍କ ଭଉଣୀ ଡାକ୍ତର ଆଲିମା ଖାନଙ୍କୁ ମଧ୍ୟ ସାମିଲ କରାଯିବାର ନିର୍ଦ୍ଦେଶ ରହିଥିଲା। ତେବେ ହସ୍ପିଟାଲରୁ ପୁଣି ଇମ୍ରାନଙ୍କୁ ଜେଲ୍‌କୁ ଫେରାଇ ନିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ଓ ଆଗାମୀ ଚିକିତ୍ସାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media