ଶବକୁ ମିଳୁନି ସମ୍ମାନ, ୩ ଦିନ ହେଲା ପଡ଼ିଛି ମୃତଦେହ
ନନ୍ଦିଘୋଷ ବ୍ୟୁରୋ : ଶବକୁ ମିଳୁନି ସମ୍ମାନ। ତିନି ଦିନ ହେଲା ଘରେ ପଡ଼ି ରହିଛି ମୃତଦେହ। ହୋଇପାରୁନି ଶବ ସତ୍କାର। ଶାଶୁଙ୍କ ମୃତଦେହକୁ ଜଗି ରହିଛନ୍ତି ବୋହୂ। ଏଭଳି ଏକ ଅଭାବନୀୟ ଘଟଣା ରାଜନଗର ତାଳଚୁଆ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଘଟିଛି। ସୂଚନା ଅନୁସାରେ, ବୀରଭଞ୍ଜପୁର ଗାଁର ସବିତା ସାମଲ ଗତ ମଙ୍ଗଳବାର ଦିନ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହର ବ୍ୟବଚ୍ଛେଦ କରାଇଥିଲା। ପରେ ମୃତଦେହକୁ ତାଙ୍କ ବୋହୂଙ୍କ ହାତରେ ହସ୍ତାନ୍ତର କରାଯାଇଥିଲା।
ତେବେ ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ତିନି ଦିନ ଧରି ମୃତଦେହର ସତ୍କାର ହୋଇପାରୁନଥିବା ଅଭିଯୋଗ ହୋଇଛି। ସବିତାଙ୍କ ପରିବାର ସହ ଗ୍ରାମବାସୀଙ୍କ ବିବାଦ ଥିବାରୁ ଗାଁ ଲୋକେ ଶବ ସତ୍କାରରେ ସହଯୋଗ କରୁନଥିବା ଜଣାପଡ଼ିଛି। ଅନ୍ୟପଟେ, ଶାଶୁଙ୍କ ମୃତଦେହର ସତ୍କାର ପାଇଁ ବୋହୂ ଗାଁ ଲୋକ ଓ ଜ୍ଞାତିକୁଟୁମ୍ବଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି ସହଯୋଗ କରୁନଥିବା ସେ କହିଛନ୍ତି। ଫଳରେ ଅସହାୟ ଭାବେ ଶାଶୁଙ୍କ ମୃତଦେହକୁ ଜଗି ରହିଛନ୍ତି ବୋହୂ। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ମୃତଦେହର ସମ୍ମାନଜନକ ସତ୍କାର ହୋଇପାରୁନଥିବା ବେଳେ, ଅନ୍ୟପଟେ ପରିବାର ଓ ଗ୍ରାମବାସୀଙ୍କ ବିବାଦ ଏହି ଘଟଣାକୁ ଆହୁରି ଜଟିଳ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
