ଆମ ସମ୍ବିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା
ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ, ସମ୍ବିଧାନ ସଭା ଆମ ସମ୍ବିଧାନକୁ ଗ୍ରହଣ କରିଥିଲା।
ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ବେଦକର ଓ ସମ୍ବିଧାନ ସଭାର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ମରଣ କରୁଛୁ।
ସେମାନେ ଭାରତର ସମୃଦ୍ଧ ପରମ୍ପରା ଏବଂ ସଭ୍ୟତାଗତ ଜ୍ଞାନରୁ ପ୍ରେରଣା ନେଇ ଏକ ଆଧୁନିକ ସମ୍ବିଧାନ ପ୍ରସ୍ତୁତ କରିଥିଲେ।
ଏହା ହିଁ ଥିଲା ସେମାନଙ୍କର ମହାନତା।
ଅନେକ ଧର୍ମ, ଭାଷା, ରୀତିନୀତି ଓ ବିଚାରଧାରା ଥିବା ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ ସମ୍ବିଧାନର ପ୍ରଭାବ କେବଳ ସଂସଦ ଓ ନ୍ୟାୟାଳୟ ମଧ୍ୟରେ ସୀମିତ ନ ରହି ଆହୁରି ଅଧିକ ବିସ୍ତାରିତ ହେବା ଅତ୍ୟନ୍ତ ଜରୁରି।
ଆମ ନାଗରିକ, ବିଶେଷ କରି ଯୁବପିଢ଼ିଙ୍କ ସାମୂହିକ ଚେତନା ସହ ଏହାର ସମ୍ପର୍କକୁ ଅଧିକ ଗଭୀର କରିବା ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆବଶ୍ୟକ ଏକତା ଭାବନାକୁ ମଜଭୁତ କରିବା ଲାଗି ଆମେ ନିରନ୍ତର ପ୍ରୟାସ କରିଆସୁଛୁ।
ସେଥିପାଇଁ ଗୋଟିଏ ଦଶନ୍ଧି ପୂର୍ବରୁ ହିଁ ଆମ ସରକାର ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲା।
ମୋ ଭଳି କୋଟି କୋଟି ଭାରତୀୟଙ୍କ ପାଇଁ ଭାରତର ସମ୍ବିଧାନ ଆମ ଜୀବନଯାତ୍ରାର ଏକ ଅଭିନ୍ନ ଅଙ୍ଗ।
ମୋ ପିଲା ଦିନ, ମୁଁ ଯେଉଁ ସାଧାରଣ ପରିସ୍ଥିତିରେ ବଡ଼ ହୋଇଛି ଏବଂ ଦୈନନ୍ଦିନ ଜୀବନର ସଂଘର୍ଷକୁ ସ୍ମରଣ କଲେ, ସମ୍ବିଧାନ ପ୍ରତି ମୋ ମନରେ ଗଭୀର କୃତଜ୍ଞତା ଭାବନା ଜାଗ୍ରତ ହୋଇଥାଏ।
ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ପିଲାଟିଏ, ଯାହାକୁ ଜନ୍ମରୁ କୌଣସି ବିଶେଷ ସୁବିଧା କିମ୍ବା ଲାଭ ମିଳି ନଥିଲା, ସେ ଦିନେ ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ରର ସେବା କରିବା ଲାଗି ଦାୟିତ୍ୱ ପାଇପାରିବ, ଏହା ଅବିଶ୍ୱସନୀୟ ଲାଗୁଥିଲେ ବି ଆମ ସମ୍ବିଧାନରେ ଥିବା ଅସାଧାରଣ ଶକ୍ତି କାରଣରୁ ସମ୍ଭବ ହୋଇପାରିଛି।
ଆମ ସମ୍ବିଧାନର ଶକ୍ତି ବଳରେ ହିଁ ଜଣେ ବ୍ୟକ୍ତିଙ୍କ ଜନ୍ମଗତ ପରିସ୍ଥିତି ଆଉ ତା' ଭବିଷ୍ୟତର ସୀମା ନିର୍ଦ୍ଧାରଣ କରୁନାହିଁ।
ଆମର ନମ୍ର ପ୍ରୟାସ ମାଧ୍ୟମରେ, ଆମେ ଆମ ସମ୍ବିଧାନକୁ ସୁଦୃଢ଼ କରି ଏହି କୃତଜ୍ଞତାର ଋଣ ପରିଶୋଧ କରିବାକୁ ଚେଷ୍ଟା କରିଛୁ।
ପ୍ରାୟ ୫୦ କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକ୍ତି ପାଇଥିବା ବିଶ୍ୱ ବ୍ୟାଙ୍କର ଏକ ସାମ୍ପ୍ରତିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅନେକ ପିଢ଼ି ଧରି ଲାଗି ରହିଥିବା ଅଭାବରୁ ମୁକ୍ତି ପାଇ କୋଟି କୋଟି ପିତାମାତା ଏବେ ସେମାନଙ୍କ ପିଲାଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିପାରୁଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ପରିବାର ଚାଳ ଛପର ଘରୁ ପକ୍କା ଘରକୁ ସ୍ଥାନାନ୍ତରିତ ହେଲେ ସମ୍ବିଧାନ ପ୍ରଦତ୍ତ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ପ୍ରତିଶ୍ରୁତି ସାର୍ଥକ ହୋଇଥାଏ।
ଉଜ୍ଜ୍ୱଳା ଯୋଜନା ଜଣେ ମା'କୁ ଧୂଆଁ ଭର୍ତ୍ତି ରୋଷେଇ ଘରର କଷ୍ଟରୁ ମୁକ୍ତି ଦେଲେ, ଆମେ ଯଥାର୍ଥରେ ସମାନତା ଓ ଜନକଲ୍ୟାଣର ଆଦର୍ଶକୁ ଆଗକୁ ବଢ଼ାଇଥାଉ।
'ଆୟୁଷ୍ମାନ ଭାରତ' ଏକ ଗରିବ ପରିବାରକୁ ଋଣର ଭୟ ବିନା ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବାର ସୁଯୋଗ ଦେଲେ ସାମାଜିକ ନ୍ୟାୟ ଏକ ବାସ୍ତବତାର ରୂପ ନିଏ।
ମୁଦ୍ରା ଓ ପିଏମ୍-ସ୍ୱନିଧି ଯୋଜନା କ୍ଷୁଦ୍ର ଉଦ୍ୟୋଗୀ ଓ ରାସ୍ତାକଡ଼ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ପ୍ରଦାନ କଲେ ଆର୍ଥିକ ନ୍ୟାୟର ସ୍ୱପ୍ନ ସାକାର ହୋଇଥାଏ।
ପୂର୍ବରୁ କେବଳ ବିଶେଷାଧିକାର ପ୍ରାପ୍ତ କିଛି ଲୋକଙ୍କ ମଧ୍ୟରେ ସୀମିତ ରହିଥିବା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଓ ୟୁପିଆଇ ଭଳି ପ୍ଲାଟଫର୍ମ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିଲେ ସମ୍ବିଧାନର ସମାବେଶୀ ଭାବନା ସାକାର ହୋଇଥାଏ।
ଏହି ସାମ୍ବିଧାନିକ ଦୃଷ୍ଟିକୋଣର ଆହୁରି ଅନେକ ଅଭିବ୍ୟକ୍ତି ରହିଛି।
ଆମେ ଆଣିଥିବା ସଂଶୋଧନଗୁଡ଼ିକର ତାଲିକାକୁ ମଧ୍ୟ ସେହି ଦୃଷ୍ଟିକୋଣରୁ ଦେଖାଯାଇପାରେ।
ଜିଏସଟିରେ ଅଣାଯାଇଥିବା ୧୦୧ତମ ସଂସ୍କାର ବହୁପ୍ରତୀକ୍ଷିତ ଥିଲା।
୧୦୨ତମ ସମ୍ବିଧାନ ସଂଶୋଧନ 'ଜାତୀୟ ପଛୁଆ ବର୍ଗ ଆୟୋଗ'କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଛି।
ଏହା ସମାଜର ଅବହେଳିତ ବର୍ଗଙ୍କ ଏକ ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିଛି।
୧୦୩ତମ ସଂଶୋଧନକୁ ବ୍ୟାପକ ସାମାଜିକ ସ୍ୱୀକୃତି ମିଳିଛି।
ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗକୁ ସଂରକ୍ଷଣ ପ୍ରଦାନ କରି ଏହା ବର୍ତ୍ତମାନର ସଂରକ୍ଷଣ ଢାଞ୍ଚା ବାହାରେ ଥିବା ଆର୍ଥିକ ଭାବରେ ପଛୁଆ ପରିବାରଗୁଡ଼ିକର ଆକାଂକ୍ଷାକୁ ପୂରଣ କରିଛି।
୧୯୫୦ ମସିହା ପରଠାରୁ ପ୍ରଥମ ଥର ପାଇଁ ଆମ ସମ୍ବିଧାନର ଏକ ସଦ୍ୟତମ ସଂସ୍କରଣ ବର୍ତ୍ତମାନ ଅଷ୍ଟମ ଅନୁସୂଚୀରେ ଥିବା ସମସ୍ତ ୨୨ଟି ଭାଷାରେ ଉପଲବ୍ଧ ହୋଇଛି।
ଏହା ଆମ ସମ୍ବିଧାନକୁ ଲୋକମାନଙ୍କ ନିକଟତର କରିଛି।
୧୯୫୦ ମସିହାରେ ଆମ ସମ୍ବିଧାନ ଲାଗୁ ହେବା ପରେ ମଧ୍ୟ ଆମେ ୧୮୬୦ ସମୟରୁ ଚାଲିଆସିଥିବା ଔପନିବେଶିକ ଦଣ୍ଡ ସଂହିତା ଦ୍ୱାରା ପରିଚାଳିତ ହେଉଥିଲୁ।
ଭାରତୀୟ ନ୍ୟାୟ ସଂହିତା ମାଧ୍ୟମରେ ଆମେ ଆମର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଏକ ମୌଳିକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରିଛୁ।
ଏଥିରେ କେବଳ 'ଦଣ୍ଡ' ଉପରେ ଗୁରୁତ୍ୱ ଦେବା ଲାଗି ଔପନିବେଶିକ ଯୁଗର ମନୋଭାବରୁ ବାହାରି ନାଗରିକ-କୈନ୍ଦ୍ରିକ 'ନ୍ୟାୟ' ପ୍ରଦାନ ଆଭିମୁଖ୍ୟ ଉପରେ ଧ୍ୟାନ ଦିଆଯାଇଛି।
ଗତ ଏକ ଦଶନ୍ଧି ମଧ୍ୟରେ ଆମେ ନାଗରିକଙ୍କ କର୍ତ୍ତବ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଇଛୁ।
ଆମ ସଭ୍ୟତା ସର୍ବଦା ସମାଜରେ ପ୍ରତ୍ୟେକ ଭୂମିକା ସହ ଜଡ଼ିତ ଦାୟିତ୍ୱଗୁଡ଼ିକ ଉପରେ ଜୋର୍ ଦେଇଆସିଛି।
ସ୍ୱଚ୍ଛ ଭାରତଠାରୁ ଆରମ୍ଭ କରି ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ଜନ ଆନ୍ଦୋଳନରେ ଏହି କର୍ତ୍ତବ୍ୟ ଭାବନା ପ୍ରତିଫଳିତ ହୋଇଛି।
ତେବେ, ଆଉ ଏକ ବାସ୍ତବତା ବିଷୟରେ ମୁଁ ଏଠାରେ କହିବାକୁ ଚାହୁଁଛି।
ଆମ ଇତିହାସରେ ଏପରି କିଛି ସମୟ ଆସିଥିଲା, ଯେତେବେଳେ ସମ୍ବିଧାନର ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ହିଁ ଏହାକୁ ଦୁର୍ବଳ କରିବାକୁ ବାଛି ନେଇଥିଲେ।
ବିଡ଼ମ୍ବନାର ବିଷୟ ହେଉଛି, ଏମାନେ ସେହି ଲୋକ ଯେଉଁମାନଙ୍କୁ ଭାରତରେ ପାଞ୍ଚ ଦଶନ୍ଧି ଧରି ଶାସନ କରିବାର ସୁଯୋଗ ମିଳିଥିଲା।
ଚଳିତ ବର୍ଷ, ୧୯୫୧ ମସିହାରେ ହୋଇଥିବା ପ୍ରଥମ ସାମ୍ବିଧାନିକ ସଂଶୋଧନର ୭୫ ବର୍ଷ ପୂରଣ ହୋଇଛି।
ସେତେବେଳେ ଦେଶରେ ଏପରି ଏକ ସରକାର ଥିଲା ଯାହାକୁ ନାଗରିକମାନେ ନିର୍ବାଚିତ କରି ନଥିଲେ।
ସେହି ସରକାର ଅନ୍ତରୀଣ ସଂସଦରେ ଥିବା ନିଜର ବହୁମତକୁ ବ୍ୟବହାର କରି ନାଗରିକଙ୍କ ମୌଳିକ ଅଧିକାରକୁ ଛଡ଼େଇ ନେଇଥିଲା।
ଏହି ସଂଶୋଧନ ଦେଶର ପ୍ରଥମ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ କରାଯାଇଥିଲା।
ତେଣୁ, ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଏବଂ ବିରୋଧ କରୁଥିବା ଲୋକଙ୍କ ସ୍ୱରକୁ ଚାପିଦେବା ତତ୍କାଳୀନ ସରକାରଙ୍କ ଉଦ୍ଦେଶ୍ୟ ଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉଛି।
ସେହିପରି ଜରୁରିକାଳୀନ ପରିସ୍ଥିତି ସମୟରେ କରାଯାଇଥିବା ୪୨ତମ ସମ୍ବିଧାନ ସଂଶୋଧନକୁ ମଧ୍ୟ ୫୦ ବର୍ଷ ପୂରଣ ହେଉଛି।
ଏହା ନ୍ୟାୟିକ ସମୀକ୍ଷାକୁ ସଙ୍କୁଚିତ କରିଥିଲା ଏବଂ ସଂସ୍ଥାଗତ କ୍ଷମତାର ସନ୍ତୁଳନକୁ ମୌଳିକ ଭାବରେ ପରିବର୍ତ୍ତନ କରିଥିଲା।
୩୮ତମ ଓ ୩୯ତମ ସଂଶୋଧନ ଅଧ୍ୟୟନ କରିବାକୁ ମଧ୍ୟ ମୁଁ ଯୁବପିଢ଼ିଙ୍କୁ ଅନୁରୋଧ କରିବି।
ଗୋଟିଏ କ୍ଷମତାଲୋଭୀ ଏବଂ ସମ୍ବିଧାନ ବିରୋଧୀ ନେତୃତ୍ୱ କ'ଣ କରିପାରେ ତାହା ଏଥିରୁ ସ୍ପଷ୍ଟ ହୋଇଥାଏ।
ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ବରଖାସ୍ତ କରିବା ପାଇଁ ଧାରା ୩୫୬ର ବାରମ୍ବାର ଅପବ୍ୟବହାର ଏକ ଚିନ୍ତାଜନକ ଅଧ୍ୟାୟ ସୃଷ୍ଟି କରିଥିଲା।
ଗୋଟିଏ ରାଜନୈତିକ ଦଳ ନାମରେ ଧାରା ୩୫୬କୁ ପ୍ରାୟ ଶହେ ଥର ଲାଗୁ କରିବାର ଏକ ଅପକୀର୍ତ୍ତିପୂର୍ଣ୍ଣ ରେକର୍ଡ ରହିଛି ଏବଂ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ଅର୍ଦ୍ଧଶତକ ପୂରଣ କରିଛନ୍ତି।
ସମଗ୍ର ଭାରତରେ ସମ୍ବିଧାନକୁ ଏହାର ମୂଳ ସ୍ୱରୂପ ଏବଂ ମୂଳ ଭାବନା ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ଆମ ସମ୍ବିଧାନର ପ୍ରଣେତାମାନେ ଆଶା କରିଥିଲେ।
କିନ୍ତୁ, ୭୦ ବର୍ଷରୁ ଅଧିକ ସମୟ ଧରି ଧାରା ୩୭୦ ଓ ୩୫-ଏ ଯୋଗୁଁ ଜମ୍ମୁ ଓ କଶ୍ମୀରରେ ସମ୍ପୂର୍ଣ୍ଣ ସମ୍ବିଧାନ ଲାଗୁ ହୋଇପାରି ନଥିଲା।
୨୦୧୯ରେ ଯାଇ ଏହି ଐତିହାସିକ ଭୁଲ୍ର ସୁଧାର କରାଯାଇପାରିଲା।
ବହୁ ଦଶନ୍ଧି ଧରି ଭାରତର ବିଭିନ୍ନ କ୍ଷେତ୍ରରେ, ବିଶେଷକରି ଆଦିବାସୀ ଅଞ୍ଚଳଗୁଡ଼ିକରେ, ନକ୍ସଲମାନେ ବନ୍ଧୁକ ମୁନରେ ଅତି ଗରିବ ଲୋକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରି ରଖିଥିଲେ।
ଚଳିତ ବର୍ଷ ନକ୍ସଲବାଦର ସଫଳ ବିଲୋପ ବିଶେଷ ଭାବରେ ଖୁସିର ବିଷୟ।
ଏବେ କେବଳ 'ଦିମାଗୀ ନକ୍ସଲ' ଅଛନ୍ତି, ଯେଉଁମାନେ ବର୍ତ୍ତମାନର ବାସ୍ତବତାଠାରୁ ବହୁ ଦୂରରେ ଥାଇ ମଧ୍ୟ ଆମର ବିକାଶ ଯାତ୍ରାରେ ବାଧା ଦେବା ଲାଗି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।
ସବୁଠାରୁ ବଡ଼ ବିରୋଧୀ ଦଳ ଓବିସି ସଂରକ୍ଷଣକୁ ହ୍ରାସ କରି ମୁସଲମାନଙ୍କ ପାଇଁ ସଂରକ୍ଷଣ ଆଣିବାକୁ ଚାହିଁବା ଅତି ଚିନ୍ତାର ବିଷୟ।
ଆମ ସମ୍ବିଧାନ ନିର୍ମାତାମାନେ, ବିଶେଷକରି ଡ.
ବାବାସାହେବ ଆମ୍ବେଦକର ଏହାର ସମ୍ପୂର୍ଣ୍ଣ ବିରୋଧୀ ଥିଲେ।
ଆମ ସମ୍ବିଧାନର ଯାତ୍ରା ସେହି ଅସାଧାରଣ ମହିଳାମାନଙ୍କୁ ସ୍ୱୀକୃତି ନ ଦେଲେ ଅସମ୍ପୂର୍ଣ୍ଣ ରହିଯିବ, ଯେଉଁମାନେ ଏହାର ଗଠନରେ ସହାୟକ ହୋଇଥିଲେ।
କିନ୍ତୁ ଚଳିତ ବର୍ଷ ଆରମ୍ଭରେ ଯାହା ଘଟିଲା, ତାହା ଅତି ଲଜ୍ଜାଜନକ ବିଷୟ।
ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ପ୍ରଦାନ କରିବା ଲକ୍ଷ୍ୟରେ ଅଣାଯାଇଥିବା ଏକ ବିଧେୟକକୁ ଗୋଟିଏ ବିରୋଧୀ ଦଳ ଗୃହୀତ ହେବାକୁ ଦେଲା ନାହିଁ।
ମୁଁ ଭାରତର 'ନାରୀ ଶକ୍ତି'ଙ୍କୁ ନିଶ୍ଚିତ କରିବାକୁ ଚାହେ ଯେ, ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଆମକୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ।
ଆଜି ଭାରତ ଏକ ନିର୍ଣ୍ଣାୟକ ମୋଡ଼ରେ ଛିଡ଼ା ହୋଇଛି।
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ଆମେ କାର୍ଯ୍ୟ କରୁଥିବା ବେଳେ ଦୁଇଟି ସରଳ କିନ୍ତୁ ଶକ୍ତିଶାଳୀ ନୀତି ଆମର ସାମୂହିକ ପ୍ରୟାସକୁ ଦିଗ୍ଦର୍ଶନ ଦେଇପାରିବ।
ପ୍ରଥମ ନୀତି ହେଉଛି 'ଇଣ୍ଡିଆ ଫର୍ଷ୍ଟ' (ଭାରତ ପ୍ରଥମ) ଚିନ୍ତାଧାରା ଏବଂ ଦ୍ୱିତୀୟଟି ହେଉଛି କର୍ତ୍ତବ୍ୟ ଭାବନା ନେଇ କାମ କରିବା।
ଏହି ଦୁଇଟି ନୀତିକୁ ଆମର ମାର୍ଗଦର୍ଶକ ଭାବେ ଗ୍ରହଣ କରି ଏବଂ ସମ୍ବିଧାନକୁ ଆମ ଶକ୍ତିର ଉତ୍ସ ଭାବେ ମାନି ଆମେ ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିପାରିବା। (ମତାମତ ଲେଖକଙ୍କ ନିଜସ୍ବ) Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
