Captive Princess: ବନ୍ଦିନୀ ରାଜକୁମାରୀ କଥା
ବିଜୟାନନ୍ଦ ପଟ୍ଟନାୟକ ସେଦିନ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନରେ ଭିଡ଼ ଥାଏ।
ଭୁବନେଶ୍ବର ଷ୍ଟେସନରେ ଡବାକୁ ଉଠିଲେ ଜଣେ ସୌମ୍ୟ ଦର୍ଶନ ଅଣଓଡ଼ିଆ ଯୁବକ ଏବଂ ତାଙ୍କର ସୁନ୍ଦରୀ ପତ୍ନୀ।
ଭିଡ଼ ଥିବାରୁ ପତ୍ନୀ ସ୍ବାମୀଙ୍କଠାରୁ କିଛି ଦୂରରେ ଅନ୍ୟ ଏକ ସିଟ୍ରେ ବସିଲେ।
କିଛି ସମୟ ପରେ ଟ୍ରେନଟି ଭୁବନେଶ୍ବର ଷ୍ଟେସନ ଛାଡ଼ି ପୁରୀ ଆଡ଼କୁ ଗଡ଼ିବା ଆରମ୍ଭ କଲା।
ଯାତ୍ରୀମାନଙ୍କ ଭିତରେ ଗପସପ, ହସଖୁସିର ଆସର।
ଝରକା ପାଖରେ ବସିଥିଲେ ହେଁ ଯୁବକଙ୍କ ନଜର ବାହାରର ଦୃଶ୍ୟ ଉପଭୋଗ କରିବା ବଦଳରେ ଥାଏ ପତ୍ନୀଙ୍କ ଉପରେ।
ଅଳ୍ପ ସମୟ ଭିତରେ ହଠାତ୍ ଘଟିଗଲା ଏକ ମୃଦୁ ଅଘଟଣ।
ଯୁବକ ଜଣକ ନିଜ ବସିବା ଜାଗାରୁ ଉଠି ଆସି ତାଙ୍କ ପତ୍ନୀଙ୍କ ସାମନାରେ ବସିଥିବା ଜଣେ ମହିଳାଙ୍କ ହାତରୁ ମୋବାଇଲ ଫୋନଟି ଝାମ୍ପି ଛଡ଼ାଇନେଲେ।
ମହିଳା ଜଣକ ହତଭମ୍ବ ହୋଇ ବଡ଼ ପାଟିରେ 'ମୋ ମୋବାଇଲ...
ମୋ ମୋବାଇଲ' ବୋଲି ଚିତ୍କାର କଲେ।
ସାଙ୍ଗେ ସାଙ୍ଗେ ସେଠାରେ ସେହି ଚଳନ୍ତା ଗାଡ଼ିର ସହଯାତ୍ରୀମାନଙ୍କ ଭିଡ଼ ଜମିଗଲା।
କଥା କ'ଣ?
ୟେ ନିଶ୍ଚିତ ଭାବେ ମୋବାଇଲ ଚୋର ନୁହେଁ।
କାରଣ ପଳାଇ ଯିବାର ଉଦ୍ୟମ ନ କରି ଯୁବକ ଜଣକ ମୋବାଇଲ ପରଦାରେ କ'ଣ ସବୁ ଖୋଜିବାର ଚେଷ୍ଟା କରୁଥାନ୍ତି ଏବଂ ଯୁକ୍ତି କରି ଚାଲିଥାନ୍ତି ଯେ ସେହି ମହିଳା ସହଯାତ୍ରିଣୀ କାହିଁକି ତା'ଙ୍କ ସ୍ତ୍ରୀର ଫଟୋ ଉଠାଉଛନ୍ତି?
କଥାଟା ଏବେ ସ୍ପଷ୍ଟ ହୋଇଗଲା।
ମହିଳା ସହଯାତ୍ରିଣୀ ଜଣକ ଦୃଢ଼ ଭାବେ ମନା କରୁଥାଆନ୍ତି ଯେ ଏଭଳି ସନ୍ଦେହ ଅମୂଳକ!
ଅଣଓଡ଼ିଆ ଯୁବକ େମାବାଇଲ ତନଖି କରି ଫଟୋ ଉଠି ନ ଥିବା ଜାଣି ତାହା ସେହି ମହିଳାଙ୍କୁ ଫେରାଇବା ବେଳକୁ କିନ୍ତୁ ପରିବେଶ ଉତ୍ତପ୍ତ ହୋଇ ସାରିଥାଏ।
ସହଯାତ୍ରିଣୀ ମହିଳା ଜଣକ ଭୁବନେଶ୍ବରରେ ଚାକିରି କରୁଥିବାରୁ ଜଣେ ଡେଲି ପାସେଞ୍ଜର; ତେଣୁ ସେହି ଡବାରେ ତାଙ୍କ ଚିହ୍ନା ପରିଚିତ ଅନେକ।
ପୁଣି, ସେ ଜଣେ ସ୍ଥାନୀୟ ଲୋକ, ତେଣୁ ଫୋନରେ ଗୋଟିଏ କଲ୍ କରିଦେଲେ ଆଗ ଷ୍ଟେସନରେ ଆହୁରି ଲୋକ ଜୁଟିଯିବେ।
ବଡ଼ ଭୟଙ୍କର ପରିସ୍ଥିତି ହେବାର ଆଶଙ୍କା!
ଯୁବକର ପତ୍ନୀ ଏ ସବୁ ଦେଖି ଭୟରେ ଜଡ଼ସଡ଼ ହୋଇ କାନ୍ଦିବା ଆରମ୍ଭ କରିଥାଏ।
ଯୁବକଟି ପ୍ରକୃତିସ୍ଥ ହୋଇ ଦୁଃଖ ପ୍ରକାଶ କରୁଥାଏ ସିନା, ତାକୁ ଶୁଣିବ କିଏ?
ଘେରି ଯାଇଥିବା ଲୋକେ କହୁଥାଆନ୍ତି ୟେ ମୋବାଇଲ ଚୋରି କରିବାକୁ ଛଡ଼ାଇ ନେଇଥିଲା, ଏହାକୁ ଜିଆରପିକୁ ଧରାଇ ଦିଅ।
ଏମିତି ଚାଲିଥିବା ବେଳେ ଅଣଓଡ଼ିଆ ଯୁବକର ପତ୍ନୀ ହଠାତ୍ ସେହି ମହିଳାଙ୍କ ହାତକୁ ଧରି ପକାଇ କାନ୍ଦି କାନ୍ଦି ହିନ୍ଦୀରେ କହିଲା, “ସେ ଭୁଲ୍ କରି ଦେଇଛନ୍ତି, କ୍ଷମା କରି ଦିଅନ୍ତୁ।'' ଏଇ କଥା ପଦକ କିନ୍ତୁ ସହଯାତ୍ରିଣୀଙ୍କ ମର୍ମ ଛୁଇଁଗଲା ବୋଧହୁଏ, ସେ ଏବେ କହି ଉଠିଲେ, “ହଉ ହେଲା, ଛାଡ଼; ଯାହା ହେବାର ହୋଇ ସାରିଲାଣି!
ମୋ ଫୋନ ତ ମିଳିଗଲା!
ଆଉ ଝାମେଲା କାହିଁକି?'' ଲୋକେ ଯେ ଯାହା ସିଟକୁ ଫେରିଗଲେ।
ଏବେ ଝିଅଟି ମହିଳାଙ୍କ ପାଖକୁ ଲାଗି ବସିଲା।
ଅଣଓଡ଼ିଆ ଯୁବକ ସିଧା ଆଗକୁ ଚାହିଁ ବସିଥାଏ।
କିନ୍ତୁ ଏଣେ, ମହିଳାଙ୍କ ଆଗରେ ଝିଅଟିର ଅବରୁଦ୍ଧ ଆବେଗ ଯେମିତି ଖୋଲିଯାଇଥିଲା; ତାଙ୍କ କାନରେ ଫିସଫିସ ହୋଇ ସେ କହିଗଲା ମାତ୍ର ଛଅ ମାସର ବୈବାହିକ ଜୀବନର ଅନୁଭୂତି କଥା; କେମିତି ଗୋଟିଏ ସୁନ୍ଦରୀ ଯୁବତୀକୁ ବିବାହ କରିବା ପରେ ସ୍ବାମୀର ମନରେ ସନ୍ଦେହ ବସା ବାନ୍ଧିଥିଲା; କେମିତି ତା'ର ଚଲାବୁଲା, ହସିବା, କଥା ହେବା, ଚାହିଁବା ଇତ୍ୟାଦି ସବୁ କିଛି ଉପରେ ସନ୍ଦେହର ବାଦଲ ଘୋଟି ରହିଛି!
କେମିତି ସେ ତା'ର ଭଲ ଚାକିରି ଛାଡ଼ିଲା, କେମିତି ସେ ସ୍ବାଧୀନତାର ସହିତ ମୋବାଇଲ ଫୋନ ବ୍ୟବହାର କରି ପାରେନାହିଁ; କେମିତି ତା' ସ୍ବାମୀ ଦପ୍ତରକୁ ଗଲାବେଳେ ବାହାରୁ ତାଲା ପକାଇ ଯାଆନ୍ତିି!
ମାତ୍ର କେଇ ଧାଡ଼ିରେ ଝିଅଟି କହିଗଲା ତା' ନରକୀୟ ଜୀବନ, ବିବାହ ପରର ଗୋଲାପି ସ୍ବପ୍ନ ଚୂନା ହୋଇଯିବାର କଥା!
କହିଲା ବେଳେ ସେ ଭୟାତୁର ହୋଇ ଚାହୁଁଥାଏ ଯୁବକର ନଜର ତା' ଉପରେ ନାହିଁ ତ?
ଅପ୍ରତ୍ୟାଶିତ ଭାବେ ସୃଷ୍ଟି ହୋଇଥିବା ଅପ୍ରୀତିକର ସ୍ଥିତି ହେତୁ ଯୁବକଟି ଆଗକୁ ଚାହିଁ ବସିଥାଏ, କିନ୍ତୁ ତା' ମୁହଁର କଠୋରତା ବାରି ହୋଇଯାଉଥାଏ।
ମହିଳା ଜଣକ ଓହ୍ଲାଇବା ଲାଗି ଷ୍ଟେସନ ଆସିଗଲା।
ପୁରୀ ଲାଗି ଆହୁରି ତିନିଟା ଷ୍ଟେସନ ପାର ହେବାକୁ ଅଛି।
ମହିଳା ଛିଡ଼ା ହେଲେ ଏବଂ କ'ଣ ଭାବି ଯୁବକକୁ ଡାକି ନିଜ ଆସନଟି ଦେଖାଇ ହିନ୍ଦୀରେ କହିଲେ- ଏଇଠି ବସନ୍ତୁ।
ତାଙ୍କ ମୁଣ୍ଡରେ କିନ୍ତୁ ଚାଲିଥିଲା ଭାବନାର ଝଡ଼!
ଝିଅଟି ତାଙ୍କୁ ଲାଗୁଥିଲା ଜଣେ ବନ୍ଦିନୀ ରାଜକୁମାରୀ ଭଳି!
ସ୍ବାମୀ-ସ୍ତ୍ରୀ ମଧ୍ୟରେ ସୃଷ୍ଟି ହେଉଥିବା ସନ୍ଦେହକୁ ନେଇ ଖବରକାଗଜରେ କେତେ କେତେ ଭୟାନକ ଖବର ସବୁ ବାହାରୁଛି!
କିଛି ଦିନ ତଳେ ତ ଟିଭିରେ ଦେଖିଥିଲେ ମୁମ୍ବାଇର କୌଣସି ଆପାର୍ଟମେଣ୍ଟରେ ନବ ବିବାହିତା ପତ୍ନୀକୁ ତା'ର ସ୍ବାମୀ ହତ୍ୟା କରିଥିବାର ଖବର।
କାରଣଟି ଥିଲା ସନ୍ଦେହ!
ଷ୍ଟେସନ ପାଖେଇ ଆସିଲା।
ଡବା ଭିତରେ ଯାତ୍ରୀଙ୍କ କଳରବ।
କେତେ ଝିଅ ଖିଲିଖିଲି ହସି ମୋବାଇଲରେ ଗପି ଓହ୍ଲାଉଥାଆନ୍ତି।
ସେମାନଙ୍କ ଉପରେ କାହାର ଏମିତି ସନ୍ଦେହର ଛାଇ ପଡ଼ିନାହିଁ ବୋଧହୁଏ!
ସେ ବାହାରକୁ ଯିବା ପୂର୍ବରୁ ସେହି ଝିଅ ଆଡ଼କୁ ଥରେ ଚାହିଁଦେଲେ।
ଝିଅଟି ଝରକା ଦେଇ ବାହାରକୁ ଚାହିଁଥିଲା।
ତାଙ୍କୁ ଲାଗିଲା ସତେ ଯେମିତି ଝିଅଟିର ଚେହେରାରେ କାରୁଣ୍ୟ ଭରି ଯାଇଛି!
ବାହାରକୁ ଚାହିଁ ସେ ତା' ସ୍ବାମୀର ସନ୍ଦେହର ଶୃଙ୍ଖଳରୁ ମୁକ୍ତି ପାଇବାର ସ୍ବପ୍ନ ଦେଖୁଛି!
ମନ ଭିତରେ ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ କହି ଉଠିଲେ- ହେ ପ୍ରଭୁ ପିଲାଟିକୁ ସଦ୍ବୁଦ୍ଧି ଦିଅ! (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୮୬୧୨୬୯୯୬୫ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
