ହାଇଦ୍ରାବାଦରେ Aston Martin ଧକ୍କାରେ ମହିଳା ମୃତ, ରାଜ୍ୟସଭା ସାଂସଦଙ୍କ ୨୧ ବର୍ଷୀୟ ପୁଅ ନାଁରେ ମାମଲା
ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦରେ Aston Martin କାର୍ ଧକ୍କାରେ ଜଣେ ୨୬ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭାରତୀ ମୁଖୀ। ସେ ଇନଅର୍ବିଟ ମଲରେ କାମ କରୁଥିଲେ। ଏହି ଦୁର୍ଘଟଣାରେ ରାଜ୍ୟସଭା ସାଂସଦ ଲିଙ୍ଗାମାନେନି ରମେଶଙ୍କ ୨୧ ବର୍ଷୀୟ ପୁଅ ସଂଯୁଶଙ୍କ ନାଁ ଆସିଛି। ଘଟଣାକୁ ନେଇ ସାଇବରାବାଦ ପୋଲିସ ମାମଲା ରୁଜୁ କରିବା ସହ ସଂଯୁଶଙ୍କୁ ନୋଟିସ୍ ଜାରି କରିଛି। ମାଧପୁର ସହକାରୀ ପୋଲିସ କମିଶନରଙ୍କ ପକ୍ଷରୁ ଏହି ନୋଟିସ୍ ପଠାଯାଇଛି। ସଂଯୁଶଙ୍କ ବାପା ଲିଙ୍ଗାମାନେନି ରମେଶ ପବନ କଲ୍ୟାଣଙ୍କ ଜନସେନା ପାର୍ଟିରୁ ନିର୍ବାଚିତ ରାଜ୍ୟସଭା ସାଂସଦ ଏବଂ ବ୍ୟବସାୟୀ ବୋଲି ଜଣାପଡ଼ିଛି।
ଏଫଆଇଆର୍ ଅନୁସାରେ, ଭାରତୀ ଓ ତାଙ୍କ ସହଯୋଗୀ ପୂଜା ଅଶୋକ ଆଲୋନ ଆଇଟିସି କୋହେନୂର ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ TG-09-G-0666 ନମ୍ବର ଥିବା Aston Martin କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଭାରତୀଙ୍କୁ ସେହି କାର୍ରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରେ କାର୍ଟି ଦ୍ରୁତ ଗତିରେ ଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ BNS ଧାରା ୧୦୬(୧) ଅନୁସାରେ ମାମଲା ରୁଜୁ ହୋଇଛି। ଏଭଳି ମାମଲାରେ ସର୍ବାଧିକ ୬ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
