ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ମେଡିକାଲ କଲେଜ
ଭୁବନେଶ୍ବର : କନ୍ଧମାଳରେ ପ୍ରତିଷ୍ଠିତ ‘ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଫୁଲବାଣୀ’କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସୃତିକୁ ଉଜ୍ଜୀବିତ କରି ରଖିବା ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଏହା ସହିତ ଜଲେଶପଟ୍ଟାରେ ଥିବା ତାଙ୍କର ଆଶ୍ରମ, ଆଶ୍ରମ ସ୍କୁଲ ଏବଂ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା (ସିଏମ୍ଏସ୍ଏ) ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସ୍ୱାମୀଜୀଙ୍କ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ତଥା ସ୍ମରଣୀୟ କରିବା ପାଇଁ ଏହି ଅର୍ଥ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ୫ କୋଟି ଟଙ୍କା ବିନିଯୋଗରେ ଛାତ୍ରୀମାନଙ୍କ ପାଇଁ ୩୦୦ ଆସନ ବିଶିଷ୍ଟ ଏକ ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ। ୩ କୋଟି ଟଙ୍କା ବିନିଯୋଗରେ ସ୍ୱାମୀଜୀଙ୍କ ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ। ଏହା ସହିତ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମ ଛାତ୍ରୀ ନିବାସକୁ ଜଳ ଯୋଗାଣ ପାଇଁ ୬୦ ଲକ୍ଷ ଟଙ୍କାରେ ଏକ ବୃହତ ନଦୀଜଳ ଉଠାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହା ସହିତ ଶୌଚାଳୟ ନିର୍ମାଣ, ଛାତ୍ରୀ ନିବାସ ପାଇଁ ଅତିରିକ୍ତ ଗୃହ ନିର୍ମାଣ, ପ୍ରାଚୀର ନିର୍ମାଣ, ଶ୍ରେଣୀଗୃହ, ହଷ୍ଟେଲ ବିଲ୍ଡିଂର ନବୀକରଣ ଆଦି ପାଇଁ ମଧ୍ୟ ଅର୍ଥର ବ୍ୟବସ୍ଥା କରାଯାଇଛି ।
ସୂଚନାନୁସାରେ, ୨୦୦୮ ଅଗଷ୍ଟରେ କନ୍ଧମାଳର ଜଳେଶପେଟା ଆଶ୍ରମଠାରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରେ ସମଗ୍ର କନ୍ଧମାଳ ଜିଲା ଏବଂ ରାଜ୍ୟବ୍ୟାପୀ ବ୍ୟାପକ ସାମ୍ପ୍ରଦାୟିକ ଦଙ୍ଗା ଓ ହିଂସାକାଣ୍ଡ ଘଟିଥିଲା । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତତ୍କାଳୀନ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏ.ଏସ୍. ନାଇଡୁଙ୍କୁ ନେଇ ଏକ ଜୁଡିସିଆଲ୍ କମିସନ ଗଠନ କରିଥିଲେ । କମିସନ ଦୀର୍ଘ ବର୍ଷ ଧରି ତଦନ୍ତ କରିବା ପରେ ପ୍ରାୟ ୨,୦୦୦ ପୃଷ୍ଠା ବିଶିଷ୍ଟ ଦୁଇଖଣ୍ଡର ଏକ ବିସ୍ତୃତ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ କିନ୍ତୁ ତାହା ସାର୍ବଜନୀନ ହୋଇ ନଥିଲା । ତେବେ ବର୍ତ୍ତମାନ ନାଇଡୁ କମିଶନଙ୍କ ଫାଇଲ ସହ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଫାଇଲ ସିଏମଓ ରୁ ଗାୟବ ହୋଇଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।