ସଂଗ୍ରାମ କେଶରୀ ବେହେରାଙ୍କ ଆତ୍ମସମର୍ପଣ
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ଅପଡେଟ୍ । ଦୀର୍ଘ ଦିନ ପରେ ସୋମବାର ଦିନ ଆତ୍ମସମର୍ପଣ କଲେ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା । ସେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ୫ବର୍ଷ ପରେ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି।
ସୂଚନାଯୋଗ୍ୟ, ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ACF ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ କ୍ୱାର୍ଟର୍ସରେ ଅଗ୍ନିଦଗ୍ଧ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ସନ୍ଦେହଜନକ ଦର୍ଶାଇ ପରିବାର ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା।
ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଛି । ଗତବର୍ଷ ପାରଳାଖେମୁଣ୍ଡି ଏସଡିଜେଏମଙ୍କ ନିକଟରେ ହତ୍ୟା ମାମଲା ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । କିନ୍ତୁ ବିଦ୍ୟାଭାରତୀ ଓ ସଂଗ୍ରାମ କେଶରୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗତବର୍ଷ ୯ ଜୁଲାଇରେ ହତ୍ୟା ମାମଲା ଜାରି ରଖିବାକୁ ହାଇକୋର୍ଟ ଶୁଣାଣିରେ ସ୍ପଷ୍ଟ କରିଥିଲେ । ତେବେ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ରୋଷେୟା ମନ୍ମଥ କୁମ୍ଭଙ୍କ ନାମ ମଧ୍ୟ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।