ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଲେ ମୁଁ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିବି : ସିଜେଆଇ
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଗୁରୁବାର କହିଛନ୍ତି ଯେ, ଯଦି ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍ ପୁନଃ ଖୋଲା ନଯାଏ, ତେବେ ସେ ନିଜେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ। ଚାଲିଥିବା ଛାତ୍ର ଆନ୍ଦୋଳନ ଯୋଗୁ ମେଟ୍ରୋ ଷ୍ଟେସନଗୁଡ଼ିକ ବନ୍ଦ ରହିବାରୁ ସୁପ୍ରିମକୋର୍ଟକୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ନେଇ ସୁପ୍ରିମକୋର୍ଟ ବାର୍ ଏସୋସିଏସନ୍ (ଏସସିବିଏ) ଚିନ୍ତା ପ୍ରକଟ କରିଛି। ଏସସିବିଏ ସଭାପତି ବିକାଶ ସିଂହ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ସୁପ୍ରିମକୋର୍ଟ ଷ୍ଟେସନ୍ ସମେତ ଦିଲ୍ଲୀର ଅନେକ ମେଟ୍ରୋ ଷ୍ଟେସନ୍ ବନ୍ଦ ଥିବାରୁ ଓକିଲ, ମକଦ୍ଦମାକାରୀ ଏବଂ ଅଦାଲତ କର୍ମଚାରୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଉତ୍ତରରେ ସିଜେଆଇ କହିଥିଲେ, ‘ମଧ୍ୟାହ୍ନ ସୁଦ୍ଧା ଯଦି ଷ୍ଟେସନ୍ ଖୋଲିବା ନେଇ କୌଣସି ପଦକ୍ଷେପ ନିଆଯାଇନଥାଏ ଏବଂ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ କୌଣସି କାର୍ଯ୍ୟ ନହୁଏ, ତେବେ ଆମେ ଏହି ବିଷୟକୁ ନିଜେ ଦେଖିବୁ। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ମେଟ୍ରୋ ବନ୍ଦ ଥିବାରୁ ଯଦି ଓକିଲମାନେ ଅଦାଲତରେ ପହଞ୍ଚିପାରୁନାହାନ୍ତି, ତେବେ କେବଳ ସେହି କାରଣରୁ ସେମାନଙ୍କ ବିରୋଧରେ କୌଣସି ପ୍ରତିକୂଳ ନ୍ୟାୟିକ ଆଦେଶ ପାରିତ କରାଯିବ ନାହିଁ।ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ ଯେ, ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ ଏହି ବିଷୟରେ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (ଡିଏମଆରସି) ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ପୂର୍ବରୁ କୁହାଯାଇଛି। ସିଜେଆଇ କହିଛନ୍ତି, ମୁଁ ସକାଳେ ସେମାନଙ୍କୁ ଏ ବିଷୟରେ ଜଣାଇଥିଲି। ବର୍ତ୍ତମାନ ସେମାନେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ କଥା ହେଉଛନ୍ତି ଏବଂ ବିଭିନ୍ନ ସମାଧାନର ବିକଳ୍ପ ଖୋଜୁଛନ୍ତି। ମଧ୍ୟାହ୍ନ ସୁଦ୍ଧା ସମାଧାନ ହୋଇଗଲେ ଭଲ। ନଚେତ୍ ଯଦି ମୋର ହସ୍ତକ୍ଷେପ ଆବଶ୍ୟକ ହୁଏ, ମୁଁ ନିଶ୍ଚିତ ଭାବେ କରିବି। ଶୁଣାଣି ସମୟରେ ଏସସିବିଏ ସଭାପତି ବିକାଶ ସିଂହ ପ୍ରସ୍ତାବ ଦେଇଥିଲେ ଯେ, ସୁପ୍ରିମକୋର୍ଟର ବୈଧ ପ୍ରକ୍ସିମିଟି କାର୍ଡ କିମ୍ବା ପରିଚୟପତ୍ର ଥିବା ଓକିଲ, ମକଦ୍ଦମାକାରୀ ଏବଂ ରେଜିଷ୍ଟ୍ରି କର୍ମଚାରୀଙ୍କୁ ସୁରକ୍ଷା ଯାଞ୍ଚ ପରେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନରେ ଓହ୍ଲାଇବାକୁ ଅନୁମତି ଦିଆଯାଉ। ସେ କହିଥିଲେ, ମେଟ୍ରୋରୁ ଯାତ୍ରୀମାନେ ବାହାରିବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସ୍ଥାନ ପଥ ଅଛି। ସେଠାରେ ସେମାନଙ୍କର ସୁରକ୍ଷା ଯାଞ୍ଚ କରାଯାଇପାରିବ। ପ୍ରକ୍ସିମିଟି କାର୍ଡ ଥିବା ଓକିଲ ଏବଂ ରେଜିଷ୍ଟ୍ରି କର୍ମଚାରୀଙ୍କୁ ବାହାରିବାକୁ ଦିଆଯାଉ ଏବଂ ଅନ୍ୟମାନଙ୍କୁ ଅନ୍ୟ ଟ୍ରେନରେ ଯିବାକୁ କୁହାଯାଉ। ଚାଲିଥିବା ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଡିଏମଆରସି ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଷ୍ଟେସନ୍ ସମେତ ମୋଟ ୧୬ଟି ମେଟ୍ରୋ ଷ୍ଟେସନ୍ ବନ୍ଦ କରିଦେଇଛି। ଏହି ଘଟଣାର ୨୪ ଘଣ୍ଟା ପୂର୍ବରୁ, ଅର୍ଥାତ୍ ଜୁଲାଇ ୨୨ରେ, ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦାଖଲ ହୋଇଥିବା ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ମଧ୍ୟ ସିଜେଆଇ ମନା କରିଦେଇଥିଲେ। ସେତେବେଳେ ଜଣେ ଓକିଲ ସ୍ୱତଃପ୍ରବୃତ୍ତ ଭାବେ ମାମଲାର ବିଚାର କରିବାକୁ ଅନୁରୋଧ କରିଥିଲେ। ପୁଲିସର ବଳପ୍ରୟୋଗ ସମ୍ପର୍କିତ ଭିଡିଓର ଉଲ୍ଲେଖ କରିବା ପରେ ସିଜେଆଇ କହିଥିଲେ, ‘ଆମେ ଭିଡିଓ ଦେଖିବାରେ ଆଗ୍ରହୀ ନୁହଁ, ଆମ ପାଖରେ ସମୟ ନାହିଁ’। ସେ ଆହୁରି କହିଥିଲେ, ‘ଆମର ସମୟ ନଷ୍ଟ କରନ୍ତୁ ନାହିଁ, ନିଜ ସମୟ ମଧ୍ୟ ନଷ୍ଟ କରନ୍ତୁ ନାହିଁ। ଉଲ୍ଲେଖଯୋଗ୍ୟ ଯେ, କକରୋଚ୍ ଜନତା ପାର୍ଟି (ସିଜେପି)ର ନେତୃତ୍ୱରେ ପ୍ରାୟ ଏକ ମାସ ଧରି ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ଚାଲିଛି। ଏନଇଇଟି-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି ଆନ୍ଦୋଳନକାରୀ। ଶିକ୍ଷା କର୍ମୀ ସୋନମ ୱାଙ୍ଗଚୁକ ମଧ୍ୟ ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ଯୋଗ ଦେଇଥିଲେ। ପରେ ଚଳିତ ମାସ ଆରମ୍ଭରେ ଦିଲ୍ଲୀ ପୁଲିସ ତାଙ୍କୁ ସେଠାରୁ ହଟାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।