ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି କରାଯିବ

Jul 23, 2026 - 16:53
ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି କରାଯିବ

ଭୁବନେଶ୍ୱର : ଓଡ଼ିଶା ସରକାର ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି । ସହରାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଏବଂ ପୌରାଞ୍ଚଳ ଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସଂସ୍କାର ଆଣିଛନ୍ତି ରାଜ୍ୟ ସରକାର । ଖୁବ ଶୀଘ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ବ୍ୟବସ୍ଥା ତୁରନ୍ତ ଲାଗୁ ହେବ ।

ଏହି ସଂଶୋଧିତ କ୍ଷମତା ଅନୁଯାୟୀ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଏମ୍ ଡି ମାନଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମର କମିଶନରମାନଙ୍କ ସହିତ ସମାନ କରାଯାଇଛି ।

କାର୍ଯ୍ୟ ବିଲ୍, କ୍ରୟ ବିଲ୍ ଏବଂ କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ ମଞ୍ଜୁର ପାଇଁ କମିଶନରମାନଙ୍କ ଆର୍ଥିକ ସୀମାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ଭୁବନେଶ୍ୱର ମହାନଗର ନିଗମ ପାଇଁ ୫୦ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ମହାନଗର ନିଗମ ପାଇଁ ୧୫ ଲକ୍ଷ ଟଙ୍କା ଥିଲା । ୧ କୋଟି ଟଙ୍କାରୁ ଅଧିକ ବିଲ୍‌କୁ ମହାନଗର ନିଗମର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ । ଦରମା ଓ ପେନ୍‌ସନ୍: କମିଶନରମାନଙ୍କୁ ଦରମା ଏବଂ ପେନ୍‌ସନ୍ ବିଲ୍ ପ୍ରଦାନ ପାଇଁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି ।

ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ଦେବାର ସୀମା ୨ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୩ କୋଟିରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ଚୁକ୍ତିସମ୍ପର୍କିତ ସ୍ଥାୟୀ କମିଟି, ୪ କୋଟିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ମହାନଗର ନିଗମ ଏବଂ ୫ କୋଟି ଟଙ୍କାରୁ ଅଧିକ ପ୍ରସ୍ତାବ ପାଇଁ ପ୍ରାଶାସନିକ ବିଭାଗ ର ଅନୁମୋଦନ ଆବଶ୍ୟକ ହେବ। ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ  ପାଇଁ ନିର୍ବାହୀ ଅଧିକାରୀ ମାନଙ୍କ ପ୍ରଦାନ କ୍ଷମତା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦ ଲକ୍ଷ ଟଙ୍କାରୁ ଅଧିକ ବିଲ୍ ପାଇଁ ନିର୍ବାହୀ ଅଧିକାରୀ ଏବଂ ପୌର ଅଧ୍ୟକ୍ଷଙ୍କ ଯୁଗ୍ମ ସ୍ୱାକ୍ଷର ଆବଶ୍ୟକ ହେବ । ସେହିପରି ,ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ଦରମା ଏବଂ ପେନ୍‌ସନ୍ ବିଲ୍ ପ୍ରଦାନ ପାଇଁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି।

ଅନ୍ୟପଟେ, ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦ ଲକ୍ଷରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପ ପୌର ପରିଷଦ ଦ୍ୱାରା ଅନୁମୋଦିତ ହେବ ଏବଂ ୩ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପାଇଁ ପ୍ରାଶାସନିକ ବିଭାଗର ଅନୁମୋଦନ ଆବଶ୍ୟକ ହେବ ।

ଆର୍ଥିକ କ୍ଷମତାର ଏହି ସଂଶୋଧନ ଦ୍ୱାରା ସ୍ଥାନୀୟ ପୌରସଂସ୍ଥାଗୁଡ଼ିକ ଅଧିକ ଆର୍ଥିକ ସ୍ୱାୟତ୍ତତା ପାଇବା ସହ ସରକାରୀ ପ୍ରକ୍ରିୟାଗତ ବିଳମ୍ବ ହ୍ରାସ ପାଇବ । ଏହା ସହିତ ଓଡ଼ିଶାର ସହରାଞ୍ଚଳଗୁଡ଼ିକରେ ନାଗରିକ ଭିତ୍ତିଭୂମି ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।