ପ୍ରଶ୍ନପତ୍ର ଲିକ ଘଟଣାରେ ଗଠନ ହେବ ଫାଷ୍ଟଟ୍ରାକ - ପ୍ରଧାନମନ୍ତ୍ରୀ

Jul 23, 2026 - 13:24
ପ୍ରଶ୍ନପତ୍ର ଲିକ ଘଟଣାରେ ଗଠନ ହେବ ଫାଷ୍ଟଟ୍ରାକ - ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନିଟ୍ ପ୍ରଶ୍ନପତ୍ର ଲିକ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ପେପର୍ ଲିକ୍ ତଦନ୍ତ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ । ଯୁବପିଢିଙ୍କ ଭବିଷ୍ୟତ ସହିତ ଖେଳିଥିବା କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର  ମୋଦି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, "ଆମ ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ ! ପେପର ଲିକ୍ ରେ ସମ୍ପୃକ୍ତ ଲୋକଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଆମେ ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ । ଯାହା ଦ୍ବାରା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର କଠୋର ଦଣ୍ଡ ଦିଆଯାଇପାରିବ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି । ଛାତ୍ରମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଉଥିବା ନିଷ୍ପତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଖେଳିଥିବା କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ । ଦେଶର ଯୁବପିଢ଼ିଙ୍କ ସ୍ୱାର୍ଥ ଏବଂ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା ।

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ଚିନ୍ତା ପ୍ରକାଶ ପାଇଥିବାବେଳେ, କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ପରୀକ୍ଷା ବ୍ୟବସ୍ଥାରେ ଶୃଙ୍ଖଳା ଓ ଜବାବଦେହିତା ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଆଶା କରାଯାଉଛି ।

ଅନ୍ୟପଟେ, ଗତ ଜୁଲାଇ ୨୧ ତାରିଖରେ ଅନୁଷ୍ଠିତ ଏନ୍‌ଡିଏ ସଂସଦୀୟ ଦଳ ବୈଠକ 'ମଙ୍ଗଳ ମିଲନ'ରେ ପ୍ରଧାନମନ୍ତ୍ରୀ ନୀଟ୍ ପେପର ଲିକ୍ ମାମଲାର ଉଲ୍ଲେଖ କରିଥିଲେ । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ ଜଣାଇଥିଲେ ଯେ, ପେପର ଲିକ୍‌କୁ ପ୍ରଧାନମନ୍ତ୍ରୀ ଏକ "ଘୋର ପାପ" ବୋଲି ଅଭିହିତ କରିଛନ୍ତି । ରିଜିଜୁଙ୍କ ସୂଚନା ଅନୁସାରେ, ମାମଲା ସାମ୍ନାକୁ ଆସିବା ମାତ୍ରେ ହିଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଥିଲା । ପରୀକ୍ଷା ରଦ୍ଦ ହେବା ପରେ ପୁନର୍ବାର ପରୀକ୍ଷା ମଧ୍ୟ ପରିଚାଳିତ ହୋଇଛି । ଆଗାମୀ ଦିନରେ ଯେପରି କୌଣସି ପେପର ଲିକ୍ ନହୁଏ, ସେଥିପାଇଁ କଡ଼ା ନଜର ରଖିବାକୁ ପିଏମ୍ ନିର୍ଦ୍ଦେଶ ଦେଇଛନ୍ତି ।

ନିଟ୍ ପେପର ଲିକ୍ ନେଇ ଦିଲ୍ଲୀ ଜନ୍ତର ମନ୍ତର ଠାରେ କୋକରୋଚ୍ ଜନତା ଦଳର ପ୍ରତିବାଦ ଜାରି ରହିଛି । ସହରର ସମ୍ବେଦନଶୀଳ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାଜଧାନୀରେ ପ୍ରାୟ ୧୬ ଟି ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି । ପୋଲିସ ରାଜଧାନୀରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରୁଥିବା ବେଳେ ଏହି ସପ୍ତାହରେ ବିରୋଧ ପ୍ରଦର୍ଶନ ବହୁବାର ହିଂସାତ୍ମକ ହୋଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।