ସାମାନ୍ୟ କଥନ: କନ୍ୟା ଶିକ୍ଷା, ରେବତୀ ଓ ସ୍ବର୍ଣ୍ଣଲତା

Sep 09, 2026 - 04:51
ସାମାନ୍ୟ କଥନ: କନ୍ୟା ଶିକ୍ଷା, ରେବତୀ ଓ ସ୍ବର୍ଣ୍ଣଲତା

"ପ୍ରୀତୀଶ ଆଚାର୍ଯ୍ୟ ଆଧୁନିକ ଓଡ଼ିଶା ଇତିହାସରେ ରମାଦେବୀ (୧୮୯୯-୧୯୮୫) ଏକ ଅତି ପରିଚିତ ନାଁ।

୧୯୨୦ ଦଶକରେ ଅସହଯୋଗ ଆନ୍ଦୋଳନ ଉତ୍ତାରୁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ତିନି ଥର (୧୯୩୦, ୧୯୩୨ ଓ ୧୯୪୨) ଜେଲ୍ ଯାଇଥିଲେ; ୧୯୩୪ରେ ଓଡ଼ିଶାରେ ସଂଘଟିତ ଗାନ୍ଧୀଜୀଙ୍କ "ହରିଜନ ପଦଯାତ୍ରା"ରେ ଏକ ମୁଖ୍ୟ ଭୂମିକା ନେଇଥିଲେ।

ତାଙ୍କ ବଡ଼ବାପା ମଧୁସୂଦନ ଦାସ ଥିଲେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ ଓ ଆଇନ ଡିଗ୍ରିଧାରୀ।

ବାପା ଗୋପାଳବଲ୍ଲଭ ଦାସ ଏମଏ ଓ ଓକିଲାତି ପାଠ ପଢ଼ି ଡେପୁଟି ମାଜିଷ୍ଟ୍ରେଟ ଚାକିରିରେ ପିଲାଙ୍କୁ ନେଇ ଓଡ଼ିଶା ବାହାରେ ଗୟା, ମୁଜଫରପୁରରେ ରହିଥିଲେ।

ଫଳରେ ରମାଦେବୀ ବାହାର ଦୁନିଆ ସମ୍ବନ୍ଧରେ ପରିଚିତ ହୋଇଯାଇଥିଲେ।

ଏସବୁ ସତ୍ତ୍ବେ ଝିଅ ବୋଲି ରମାଦେବୀ କିମ୍ବା ତାଙ୍କ ଭଉଣୀଙ୍କର କୌଣସି ଔପଚାରିକ ଶିକ୍ଷା ନ ଥିଲା; ପାରିବାରିକ ସ୍ତରରେ ସେ ନେଇ କୌଣସି ପ୍ରୟାସ ମଧ୍ୟ ହୋଇ ନ ଥିଲା।

ନିଜ ପରିଶ୍ରମରେ ସେ ଅକ୍ଷର ଶିକ୍ଷା କରି ବିଭିନ୍ନ ବହିପତ୍ର ପଢ଼ିଥିଲେ; ଜୀବନର ସାୟଂ କାଳରେ ଆତ୍ମଜୀବନୀ ("ଜୀବନ ପଥେ") ଲେଖିଥିଲେ, ଯାହା ତାଙ୍କ ସରଳ ଭାଷା ଓ ବ୍ୟାପକ ଦୃଷ୍ଟି ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପାଏ।

Advertisment Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍‌ ଟାୱାର ୧୯୦୯ରେ, ଗୋପବନ୍ଧୁ ଦାସ, ନୀଳକଣ୍ଠ, ଆଦି "ପଞ୍ଚସଖା"ଙ୍କ ପ୍ରୟାସରେ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ସତ୍ୟବାଦୀ ସ୍କୁଲ ଜାତୀୟ ଶିକ୍ଷା କ୍ଷେତ୍ରରେ ଏକ ଦିଗବାରେଣିର କାମ କରିଥିଲା।

ସ୍କୁଲର ପ୍ରତିଷ୍ଠାତାମାନେ ଉଚ୍ଚଶିକ୍ଷିତ ଥିଲେ; ଆଚାର୍ଯ୍ୟ ହରିହରଙ୍କୁ ବାଦ ଦେଲେ ବାକି ସମସ୍ତେ ଥିଲେ ସ୍ନାତକ ବା ତଦୂର୍ଦ୍ଧ୍ବ ଡିଗ୍ରିଧାରୀ।

ହେଲେ, ସେମାନଙ୍କ ପରିବାରର ମହିଳାମାନେ ଔପଚାରିକ ଶିକ୍ଷା ପାଇଥିବାର ନଜିର ନାହିଁ।

ଉପକୂଳ ଅଞ୍ଚଳର ମଧ୍ୟମ ବର୍ଗରେ ଯଦି ଏହି ସ୍ଥିତି, ତେବେ, ଗଡ଼ଜାତ, ଆଭ୍ୟନ୍ତରୀଣ ଅଞ୍ଚଳ, ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ତଥା ନିମ୍ନ ବର୍ଗରେ କନ୍ୟା ଶିକ୍ଷାର ଅବସ୍ଥା କିଭଳି ହୋଇଥିବ, ତାହା ଏଥିରୁ ଅନୁମାନ କରିହୁଏ।

ଫକୀରମୋହନ "ରେବତୀ" ଗଳ୍ପରେ ସେତେବେଳର କନ୍ୟା ଶିକ୍ଷାକୁ ନେଇ ସମାଜର ଦୃଷ୍ଟି ସଂପର୍କରେ ଧାରଣା ମିଳିଥାଏ।

ସର୍ବଭାରତୀୟ ସ୍ତରରେ ମଧ୍ୟ କନ୍ୟା ଶିକ୍ଷା କ୍ଷେତ୍ରରେ ସ୍ଥିତି ବିଶେଷ ଭିନ୍ନ ନ ଥିଲା।

ବଙ୍ଗର ପ୍ରସିଦ୍ଧ ଲେଖିକା ଆଶାପୂର୍ଣ୍ଣା ଦେବୀଙ୍କ (୧୯୦୯-୧୯୯୫) ଜନ୍ମ ଓ ବିବାହ ମଧ୍ୟମ ବର୍ଗରେ; ତାଙ୍କ ଭାଇମାନେ ଶିକ୍ଷିତ; ରମାଦେବୀଙ୍କ ଭଳି ତାଙ୍କର ବିବାହ ହୋଇଥିଲା ଅଳ୍ପ ବୟସରେ ଏବଂ ଶିକ୍ଷିତ ପରିବାରରେ।

ଲେଖିକା ଭାବରେ ସେ "ପ୍ରଥମ ପ୍ରତିଶ୍ରୁତି", "ବକୁଳର କଥା" ଭଳି କାଳଜୟୀ ଉପନ୍ୟାସ ଏବଂ ଶହଶହ ମହାନ ଗପ ଲେଖିଛନ୍ତି; ୧୯୭୬ରେ "ଜ୍ଞାନପୀଠ" ଲାଭ କରିଛନ୍ତି।

ପିଲାଦିନେ ତାଙ୍କୁ ଔପଚାରିକ ଶିକ୍ଷା ମିଳି ନ ଥିଲା ସତ; କିନ୍ତୁ, ଭାଇମାନେ ଘରେ ବସି ପାଠ ପଢୁଥିବାବେଳେ ସେମାନଙ୍କୁ ଦେଖିଦେଖି ସେ ଅକ୍ଷର ଶିକ୍ଷା କଲେ; ସାହିତ୍ୟ ପଢ଼ିବାର ମୋହରେ ପଡ଼ିଲେ; କିଶୋରାବସ୍ଥାରେ ଲେଖିବା ଆରମ୍ଭ କଲେ ଏବଂ ଲେଖନୀର ନିରନ୍ତରତା ମୃତ୍ୟୁଯାଏଁ ଊଣା ପଡ଼ି ନ ଥିଲା।

ଆଶାପୂର୍ଣ୍ଣାଙ୍କ ଉପନ୍ୟାସ "ସୁବର୍ଣ୍ଣଲତା"ରେ ମଧ୍ୟମ ବର୍ଗର ବୋହୂ ଜଣେ ପଢ଼ିବାର ମୋହ ପାଳିବା ଯୋଗୁଁ, ପରିବାରରେ ଯେଉଁସବୁ ପ୍ରତିରୋଧର ସମ୍ମୁଖୀନ ହୁଏ, ତା"ର ମାର୍ମିକ ଚିତ୍ରଣ ରହିଛି।

ଏଭଳି ବୋହୂକୁ "ବିଦ୍ରୋହୀ", "ଅସାମାଜିକ" ଓ ସ୍ଥଳବିଶେଷରେ "ପାଗଳୀ", ଏକରକମ "ନଷ୍ଟଚରିତ୍ର" ବୋଲି ଘୋଷଣା କରିଦିଆଯାଏ।

ପତ୍ର-ପତ୍ରିକା କିମ୍ବା ଉପନ୍ୟାସ ଆଦି ପଢ଼ିବା ସକାଶେ ତାକୁ ନିଶାର୍ଦ୍ଧକୁ ଅପେକ୍ଷା କରିବାକୁ ପଡ଼େ; ସମସ୍ତଙ୍କ ଅଗୋଚରରେ ପଢ଼ିବାକୁ ହୁଏ।

ଘରର ସବୁ କାମ କଲାପରେ ବି ତା"ର ସାହିତ୍ୟ-ସେବା ବାଧାହୀନ ହୁଏନା।

ସେ ଯଦି ତା" ଝିଅର ପଢ଼ାକଥା ଚିନ୍ତାକଲା, ଘରୁ ବାସନ୍ଦ ହେବାଯାଏଁ କଥା ଯାଏ।

ସବୁଠାରୁ ପରିତାପର ବିଷୟ, ଏହି ଅଲିଖିତ ନିୟମ ଲାଗୁ କରିବାରେ ପ୍ରମୁଖ ଭୂମିକା ନିଅନ୍ତି, ପରିବାରର ଅନ୍ୟ ମହିଳାମାନେ, ବିଶେଷ କରି ତା" ଶାଶୂ। "ରେବତୀ" ଭଳି "ସୁବର୍ଣ୍ଣଲତା"ର କାହାଣୀକୁ ତତ୍କାଳୀନ ସାମାଜିକ ଚିତ୍ର ଭାବରେ ଦେଖିଲେ ସମସ୍ୟାର ଜଟିଳତାକୁ ବୁଝି ହୋଇଥାଏ।

Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀ ବିଂଶ ଶତାବ୍ଦୀର ଆରମ୍ଭରେ କନ୍ୟା-ଶିକ୍ଷାକୁ ନେଇ ଏହି ସ୍ଥିତି ଆଶାପୂର୍ଣ୍ଣା, ରମାଦେବୀଙ୍କ ପରିବାର କିମ୍ବା "ସତ୍ୟବାଦୀ" ଯାଏଁ ସୀମିତ ନ ଥିଲା; ବରଂ ଏହା ଥିଲା ସେହି ସମୟର ସର୍ବବିଦ୍ୟମାନ ବାସ୍ତବିକତା।

ଏ ସଂଦର୍ଭରେ ବିଶଦ ଚର୍ଚ୍ଚା ହେବା ଆବଶ୍ୟକ, ଯଦ୍ଦ୍ବାରା ଅନୁମାନ କରିହେବ ଯେ ପ୍ରାଚୀନ ଓ ମଧ୍ୟକାଳରେ ମହିଳା-ଶିକ୍ଷା ଆଉ କେଉଁ ସମସ୍ୟା ଓ ଗୌଣତାର ଶିକାର ହୋଇଥିଲା!

କେବଳ "ଗାର୍ଗୀ, ମୈତ୍ରୀ, ଲୀଳାବତୀ" ଆଦି କେତେ ଜଣ ବିଦୁଷୀଙ୍କର ନାଁ ନେଇ ଅତୀତରେ ମହିଳାମାନେ ଉଚ୍ଚ ଶିକ୍ଷା ନିମନ୍ତେ ଯଥୋଚିତ ଅବସର ପାଉଥିଲେ ବୋଲି ଦାବି କରିବା ଅଯୌକ୍ତିକ ଆସ୍ଫାଳନ ମାତ୍ର!ଆଜି ଏକବିଂଶ ଶତାବ୍ଦୀରେ କନ୍ୟା-ଶିକ୍ଷାକୁ ନେଇ ସମାଜର ଦୃଷ୍ଟି ବଦଳିଛି।

କେବଳ ମଧ୍ୟମ ବର୍ଗ କାହିଁକି, ନିମ୍ନ ବିତ୍ତୀୟ ବର୍ଗର ପରିବାର ମଧ୍ୟ ଝିଅଟିକୁ ସ୍କୁଲ ପଠାଉଛନ୍ତି।

ଜେଜେମା" ନିଜ କୁନି ନାତୁଣୀକୁ ଗାଁ ଅଙ୍ଗନୱାଡ଼ିକୁ ନେଇ ଯାଉଛନ୍ତି।

ଏଥର ଆମ ଗାଁରେ ଜଣେ ମଜୁରିଆ ଶ୍ରେଣୀର ବୃଦ୍ଧା କହିଲେ, ତାଙ୍କର ଚିନ୍ତା, "ନାତୁଣୀ ଛୁଆଟି ଆଗକୁ ପଢ଼ିପାରନ୍ତା କି?" ଅଳ୍ପ ଦିନ ତଳେ ଆଉ ଏକ ଗାଁ ସ୍କୁଲକୁ ଯାଇଥିବାବେଳେ ପଚାରି ଜାଣିଲି ଯେ ଝିଅ ସଂଖ୍ୟା ସେଠି ପୁଅଙ୍କ ଠାରୁ ଅଧିକ; ସ୍କୁଲ ଉପସ୍ଥାନରେ ସେମାନେ ଅଧିକ ନିୟମିତ, ଅଧିକ ସକ୍ରିୟ, ଅଧିକ ଶୃଙ୍ଖଳିତ। "ରେବତୀ"ର ଜେଜେମା" କିମ୍ବା "ସୁବର୍ଣ୍ଣଲତା"ର ଶାଶୂ ଆଉ ସେମାନଙ୍କ ପଢ଼ିବା ଆଗରେ ବାଧକ ନୁହନ୍ତି।

ହେଲେ ସେମାନଙ୍କ ପାଇଁ କ"ଣ ଆଉ କୌଣସି ବାଧା ନାହିଁ?

ତାହା ଅଛି ଓ ବିଭିନ୍ନ ରୂପରେ ଓ ବିଭିନ୍ନ ପ୍ରକାରେ ଅନ୍ତରାୟ ସାଜୁଛି।

ତଥାପି ଗ୍ରାମାଞ୍ଚଳରେ ଏବଂ ଅତି ସାଧାରଣ ବର୍ଗରେ କନ୍ୟା-ଶିକ୍ଷାକୁ ନେଇ ଏହି ସଚେତନତା ଏକ ବଡ଼ ମାନସିକ ପରିବର୍ତ୍ତନକୁ ଇଙ୍ଗିତ କରେ ନାହିଁ କି?

ପରିସ୍ଥିତି ଆହୁରି ବଦଳିବ, ଯଦି ଏ ନେଇ ଆଲୋଚନା ଆହୁରି ବ୍ୟାପକ ଓ ପୂର୍ବାଗ୍ରହ ବିରହିତ ସମୀକ୍ଷାର ରୂପ ନେବ।(ମତାମତ ଲେଖକଙ୍କ ନିଜସ୍ବ)pritishacharya63@gmail.com"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)