ସଂଘର୍ଷ ଦେଇଛି ସଫଳତା

ମାୟାନଗରୀ ମୁମ୍ବାଇର ଚକାଚୌନ୍ଦ ଓ ଷ୍ଟାରଡମ ପଛରେ ଥିବା ସଂଘର୍ଷକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି ଅଭିନେତ୍ରୀ ନୋରା ଫତେହି । କାନାଡାରେ ଜନ୍ମିତ ନୋରାଙ୍କ ପାଇଁ ନୃତ୍ୟ କରିବା ଏକ ଅପରାଧ ସଦୃଶ ଥିଲା, ଯେଉଁଥିପାଇଁ କୌଣସି ପ୍ରଫେସନାଲ୍ ଟ୍ରେନିଂ ନନେଇ ସେ ବନ୍ଦ କୋଠରୀରେ ଲୁଚି ଲୁଚି ଭିଡିଓ ଦେଖି ନାଚୁଥିଲେ । ଏଥିପାଇଁ ତାଙ୍କୁ ମାଆଙ୍କଠାରୁ ପ୍ରବଳ ମାଡ଼ ଓ ଗାଳି ମଧ୍ୟ ଖାଇବାକୁ ପଡ଼ିଥିଲାବୋଲି ସେ ପ୍ରକାଶ କରିଛନ୍ତି । ତେବେ ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ସେ ମାତ୍ର ୫,୦୦୦ ଟଙ୍କା ଧରି ମୁମ୍ବାଇ ଆସିଥିଲେ । ହେଲେ ଏଠାରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିବା ନୋରା ପ୍ରକାଶ କରିଛନ୍ତି । ଗୋଟିଏ ଆପାର୍ଟମେଣ୍ଟରେ ୯ ଜଣ ଝିଅଙ୍କ ସହ ରହିବା, ହିନ୍ଦୀ ଭାଷା ନଜାଣିବା ଯୋଗୁଁ ଅଡିସନରେ ବାରମ୍ବାର ରିଜେକ୍ଟ ହେବା ଏବଂ ଲୋକଙ୍କ କଟୁ ପରିହାସ ସହିବା ତାଙ୍କ ଦୈନନ୍ଦିନ ଜୀବନର ଅଂଶ ସାଜିଥିଲା । ଏପରିକି ଗୁଜୁରାଣ ମେଣ୍ଟାଇବା ପାଇଁ ସେ କଫି ସପ୍ରେ ୱେଟର କାମ କରିବା ସହ ଲଟେରୀ ଟିକେଟ୍ ବିକ୍ରି କରିଥିଲେ ଏବଂ ମାତ୍ର ୩,୦୦୦ ଟଙ୍କାର ସାପ୍ତାହିକ ଖର୍ଚ୍ଚରେ ଚଳି ଅନେକ ଦିନ କେବଳ ବ୍ରେଡ୍ ଓ ଅଣ୍ଡା ଖାଇ ଭୋକିଲା ପେଟରେ କାଟିଥିବା ନୋରା କହିଛନ୍ତି । ସବୁଠାରୁ ବଡ଼ ଧକ୍କା ସେତେବେଳେ ଲାଗିଥିଲା, ଯେତେବେଳେ କାମ ଦେବାର ପ୍ରତିଶ୍ରୁତି ଦେଇ ଏକ ଏଜେନ୍ସି ତାଙ୍କର କଷ୍ଟଅର୍ଜିତ ୨୦ ଲକ୍ଷ ଟଙ୍କା ଠକି ନେଇଥିଲା । ନିଜକୁ ପ୍ରତିଷ୍ଠିତ କରିବା ପାଇଁ ତାଙ୍କୁ ‘ଦିଲ୍ବର’ ଭଳି ଅନେକ ସୁପରହିଟ୍ ଗୀତ ବିନା କୌଣସି ପାରିଶ୍ରମିକ ବା ମାଗଣାରେ କରିବାକୁ ପଡ଼ିଥିବା ନୋରା କହିଛନ୍ତି । ତେବେ ଏହି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ନିଜ ଚେଷ୍ଟା ସେ ଜାରି ରଖିଥିଲେ, ଯାହାଫଳରେ ୨୦୧୪ରେ ‘ରୋର୍: ଟାଇଗର୍ସ ଅଫ୍ ଦି ସୁନ୍ଦରବନ୍ସ’ ଚଳଚ୍ଚିତ୍ରରୁ ବଲିଉଡ୍ ଡେବ୍ୟୁ କରିଥିଲେ । ଏହାପରେ ସୁପରହିଟ୍ ଫିଲ୍ମ ‘ବାହୁବଲୀ’ର ‘ମନୋହରୀ’ ଗୀତ ଏବଂ ୨୦୧୫ର ବିଗ୍ ବସ୍-୯ ରିଆଲିଟି ଶୋ’ ତାଙ୍କୁ ଘରେ ଘରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ଆଜି ସେ ବଲିଉଡର ଦଣେ ଆଗଧାଡିର ଡ୍ୟାନ୍ସର ପାଲଟିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।