ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ ଆଇଡ଼ଲ ବିଜେତା
ଭୁବନେଶ୍ୱର : ଇଣ୍ଡିଆନ ଆଇଡ଼ଲ ସିଜିନ -୧୬ ର ବିଜେତା ହେଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ଇ ଇଣ୍ଡିଆନ ଆଇଡ଼ଲ ଟ୍ରଫି ସହ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଜ୍ୟୋତିର୍ମୟୀ ନାୟକ । ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ର ଟ୍ରଫି ଜିତି ସେ ଓଡ଼ିଶାର ନାଁକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି । ଦୀର୍ଘ ୯ମାସର ସଂଗୀତ ଯାତ୍ରା, କଠିନ ପ୍ରତିଯୋଗିତା ଓ ନିଜର ମଧୁର କଣ୍ଠ ସ୍ୱର ବଳରେ ସେ ଇଣ୍ଡିଆନ୍ ଆଇଡଲ୍-୧୬ର ବିଜେତା ମୁକୁଟ ହାସଲ କରିଛନ୍ତି । ଟ୍ରଫି ସହ ସୋନି ଟିଭି ପକ୍ଷରୁ ତାଙ୍କୁ ୨୦ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ମିଳିଛି । ଫାଇନାଲରେ ଜ୍ୟୋତିର୍ମୟୀ ତନିଷ୍କ ଶୁକ୍ଳା ଏବଂ ମନରାଜ ବୀର ସିଂହଙ୍କୁ ପଛରେ ପକାଇ ଚାମ୍ପିୟନ ଟ୍ରଫି ହାତେଇଥିଲେ । ତାଙ୍କ ଆଗମନକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି ।
ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଏହି ଐତିହାସିକ ସଫଳତା ପରେ ସମଗ୍ର ଓଡ଼ିଶାରେ ଆନନ୍ଦର ଲହରୀ ଖେଳିଯାଇଛି । ବିଭିନ୍ନ ବର୍ଗର ଲୋକ, ସଙ୍ଗୀତପ୍ରେମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରିର ଝିଅ ହେଉଛନ୍ତି ଜ୍ୟୋତିର୍ମୟୀ ନାୟକ । ଏହି ସୋ'ରେ ଜବଲପୁରର ତନିସ୍କ ଶୁକ୍ଲା ରନର୍ସ ଅପ୍ ହୋଇଛନ୍ତି ।
ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ୍ ଆଇଡଲରେ ଆସିବା ପୂର୍ବରୁ ସଂଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଓଡ଼ିଶା ଶାସ୍ତ୍ରୀୟ ସଂଗୀତରେ ତାଙ୍କର ଏକ ଅନନ୍ୟ ପରିଚୟ ଅଛି । ସେ ବିଟେକ କରିବା ସହିତ ପିଲାଦିନରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛନ୍ତି। ଗୀତ ଗାଇବା ସହିତ ଜ୍ୟୋତିର୍ମୟୀ ସଙ୍ଗୀତ ଚିକିତ୍ସକ ଭାବରେ କାମ କରନ୍ତି । ସେ ସଙ୍ଗୀତ ମାଧ୍ୟମରେ କର୍କଟ ରୋଗୀଙ୍କ ଚିକିତ୍ସା କରିଥାନ୍ତି। ଜ୍ୟୋତିର୍ମୟୀ ପ୍ରଥମ ଓଡ଼ିଆ ଝିଅ, ଯିଏ ଇଣ୍ଡିଆନ ଆଇଡଲ ଶୋ’ରେ ଅଂଶଗ୍ରହଣ କରି ବିଜୟୀ ହୋଇଛନ୍ତି। ବାପା-ମା’ଙ୍କ ସମର୍ଥନ ଫଳରେ ଏତେ ବାଟ ଆସିଥିବା ଜ୍ୟୋତିର୍ମୟୀ କହିଛନ୍ତି। ଜ୍ୟୋତିର୍ମୟୀ କହିଛନ୍ତି ଯେ ‘ମୁଁ କର୍କଟ ରୋଗୀଙ୍କୁ ସଙ୍ଗୀତ ମାଧ୍ୟମରେ ସୁସ୍ଥ କରିବାରେ ସାହାଯ୍ୟ କରୁଥିଲି, ଏବଂ ସେମାନଙ୍କ ଯୋଗୁଁ ମୁଁ ଇଣ୍ଡିଆନ୍ ଆଇଡଲ୍ ପର୍ଯ୍ୟନ୍ତ ପହଞ୍ଚିପାରିଲି। ଯେତେବେଳେ ମୁଁ ସେମାନଙ୍କ ସହିତ ଗୀତ ଗାଉଥିଲି, ସେମାନେ ବହୁତ ଖୁସି ହେଉଥିଲେ ଓ ମୋତେ ଇଣ୍ଡିଆନ୍ ଆଇଡଲ୍ ଭଳି ଏକ ପ୍ଲାଟଫର୍ମରେ ଦେଖିବାକୁ ଚାହାଁନ୍ତି ବୋଲି ଆଶା ରଖିଥିଲେ । ଏବେ ମୁଁ ବିଜୟୀ ହେବା ପରେ ସେମାନେ ବହୁତ ଖୁସି ହୋଇଛନ୍ତି ଓ ମୋ ବିଜୟର ଶ୍ରେୟ ମୁଁ ସେମାନଙ୍କୁ ଦେଉଛି’ ବୋଲି ଜ୍ୟୋତିର୍ମୟୀ ପ୍ରତିକ୍ରିୟାରେ କହିଛନ୍ତି ।
ଶୋ’ ଜିତିବା ପରେ, ଜ୍ୟୋତିର୍ମୟୀ ନାୟକଙ୍କୁ ଏକ ସାକ୍ଷାତକାରରେ କେଉଁ ଅଭିନେତ୍ରୀଙ୍କ ପାଇଁ ଗୀତ ଗାଇବାକୁ ଚାହାନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନରେ ଉତ୍ତର ଦେଇ କହିଛନ୍ତି ,ସେ ଭବିଷ୍ୟତରେ ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟଙ୍କ ପାଇଁ ପ୍ଲେବ୍ୟାକ୍ ଗାଇବାକୁ ଇଛା ଥିବା କଥା କହିଛନ୍ତି । ସେ କହିଥିଲେ ଯେ ତାଙ୍କର ଜଣେ ବୃତ୍ତିଗତ ଗାୟିକା ହେବାକୁ ସ୍ୱପ୍ନ ରହିଛି ଏବଂ ସୁଯୋଗ ମିଳିଲେ ସେ ପ୍ରତ୍ୟେକ ତାରକାଙ୍କ ପାଇଁ ଗାଇବାକୁ ଚାହାଁନ୍ତି ।
ଇଣ୍ଡିଆନ୍ ଆଇଡଲ୍ର ୧୬ ତମ ସିଜିନ୍ ରେ ଶ୍ରେୟା ଘୋଷାଲ୍, ବିଶାଲ୍ ଡାଡଲାନି ଏବଂ ବାଦଶାହା ବିଚାରକ ଥିବା ବେଳେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୂଅ ଆଦିତ୍ୟ ନାରାୟଣ ଏହାର ହୋଷ୍ଟ ଥିଲେ ।
ସୋ’ରେ ତାଙ୍କର ୧୦ ମାସର ଯାତ୍ରା ବିଷୟରେ କହି ଇଣ୍ଡିଆନ୍ ଆଇଡଲ୍ ୧୬ ବିଜେତା ଜ୍ୟୋତିର୍ମୟୀ ନାୟକ କହିଛନ୍ତି, ‘’ଏହି ଯାତ୍ରା ପ୍ରାୟ ଗୋଟିଏ ବର୍ଷ ହେଲାଣି। ମୁଁ ୧୪ ସେପ୍ଟେମ୍ବରରେ ମୁମ୍ବାଇ ଆସିଥିଲି ଏବଂ ଏହା ଏକ ବହୁତ ଭଲ ଯାତ୍ରା ଥିଲା। ଖୁସିର କଥା ଟ୍ରଫି ଜିତି ଏହା ମଧ୍ୟ ଫଳପ୍ରଦ ହୋଇଥିଲା। ମୁଁ କେବେ ପୁରସ୍କାର ରାଶି ଜିତିବା ବିଷୟରେ ଭାବି ନଥିଲି; ମୁଁ କେବଳ ମୋର ସର୍ବୋତ୍ତମ ପ୍ରଦର୍ଶନ କରିବା ଏବଂ ଭଲ ମତାମତ ପାଇବା ବିଷୟରେ ଚିନ୍ତା କରିଥିଲି। ଯେହେତୁ ମୁଁ ଟଙ୍କା ବିଷୟରେ ଚିନ୍ତା କରି ନଥିଲି, ମୁଁ ଜାଣିନାହିଁ ମୁଁ ଏହାକୁ କେଉଁଠାରେ ବ୍ୟବହାର କରିବି; ଏବେ ମୁଁ ଏହା ବିଷୟରେ ଚିନ୍ତା କରିବି।‘’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।