ରସଗୋଲା ଦିବସ

Jul 27, 2026 - 15:58
ରସଗୋଲା ଦିବସ

 

ନୀଳାଦ୍ରି ବିଜେର ପବିତ୍ର ଅବସରରେ ଶ୍ରୀକ୍ଷେତ୍ର ପୁରୀ ତଥା ସମଗ୍ର ଓଡ଼ିଶା ଉତ୍ସବମୁଖର ହୋଇଉଠୁଥିବା ବେଳେ ଏହି ନିଆରା ପରମ୍ପରା ସହ ଯୋଡ଼ିହୋଇ ରହିଛି ରାଜ୍ୟର ଅତିପ୍ରିୟ ମିଷ୍ଟାନ୍ନ 'ଓଡ଼ିଶା ରସଗୋଲା' । ଜଗନ୍ନାଥ ସଂସ୍କୃତି ଓ ପୌରାଣିକ ମାନ୍ୟତା ଅନୁଯାୟୀ, ରଥଯାତ୍ରାର ଶେଷ ପର୍ଯ୍ୟାୟ 'ନୀଳାଦ୍ରି ବିଜେ' ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରୁ ଓହ୍ଲାଇ ଶ୍ରୀମନ୍ଦିରକୁ ବିଜେ କରୁଥିବା ବେଳେ ମା' ଲକ୍ଷ୍ମୀ ରୋଷପ୍ରକାଶ କରି ଜୟ-ବିଜୟ ଦ୍ୱାର ବନ୍ଦ କରିଦିଅନ୍ତି । ପରେ ମହାପ୍ରଭୁ ମା' ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ସହ ରତ୍ନସିଂହାସନକୁ ବିଜେ କରନ୍ତି । ଏହି ପାରମ୍ପରିକ ରୀତିନୀତି ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ବେଳେ ୨୦୧୫ ମସିହା ଜୁଲାଇ ୩୦ ତାରିଖରୁ ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିକୁ 'ରାଷ୍ଟ୍ରୀୟ ରସଗୋଲା ଦିବସ' ଭାବେ ଓଡ଼ିଶାବାସୀ ଅତ୍ୟନ୍ତ ଗୌରବର ସହ ପାଳନ କରିଆସୁଛନ୍ତି । ପଞ୍ଚଦଶ ଶତାବ୍ଦୀରେ ଭକ୍ତକବି ବଳରାମ ଦାସଙ୍କ ଦ୍ୱାରା ରଚିତ 'ଜଗମୋହନ ରାମାୟଣ' (ଦାଣ୍ଡି ରାମାୟଣ)ରେ ରସଗୋଲାର ସ୍ପଷ୍ଟ ଉଲ୍ଲେଖ ରହିଥିବାରୁ ଏହା ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ଅସ୍ମିତାର ପ୍ରତୀକ ଭାବେ ପରିଗଣିତ ହୁଏ । ନୀଳାଦ୍ରି ବିଜେରେ ଶ୍ରୀଜିଉଙ୍କ ନିକଟରେ ରସଗୋଲା ଭୋଗ ଲାଗି ହେବା ସହ ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତେ ପରସ୍ପରକୁ ରସଗୋଲା ବାଣ୍ଟି ଏହି ସାଂସ୍କୃତିକ ପର୍ବକୁ ଆନନ୍ଦଉଲ୍ଲାସର ସହ ପାଳନ କରିଥାନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।