ଐତିହାସିକ ସଫଳତା: ବିଶ୍ୱ କନିଷ୍ଠ ସ୍କ୍ୱାସ୍ ଚାମ୍ପିଅନ୍ ହେଲେ ଭାରତର ଅନାହତ ସିଂହ
ଭାରତୀୟ ସ୍କ୍ୱାସ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଉଦୀୟମାନ ତାରକା ଅନାହତ ସିଂହ। ସେ ବିଶ୍ୱ କନିଷ୍ଠ ସ୍କ୍ୱାସ୍ ଚାମ୍ପିଅନସିପ୍ର ମହିଳା ଏକକ ବର୍ଗରେ ବିଜୟୀ ହୋଇ ଇତିହାସ ରଚିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଅନାହତ ଇଜିପ୍ଟର ରୁକାୟା ସାଲେମଙ୍କୁ ୧୧-୩, ୧୧-୭ ଏବଂ ୧୧-୯ ସେଟ୍ରେ ସିଧାସଳଖ ପରାସ୍ତ କରି ଚାମ୍ପିଅନ୍ ମୁକୁଟ ପିନ୍ଧିଛନ୍ତି। ଏହି ବିଜୟ ସହ ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ବିଶ୍ୱ କନିଷ୍ଠ ସ୍କ୍ୱାସ୍ ଚାମ୍ପିଅନସିପ୍ ଜିତିବାର ଗୌରବ ହାସଲ କରିଛନ୍ତି।
ଇଜିପ୍ଟର ୧୫ ବର୍ଷର ଆଧିପତ୍ୟର ଅନ୍ତ
ଏହି ଟୁର୍ଣ୍ଣାମେଣ୍ଟରେ ଟପ୍ ସିଡ୍ ଥିବା ଅନାହତ ଫାଇନାଲ୍ ମ୍ୟାଚ୍ରେ ଗୋଟିଏ ବି ଗେମ୍ ନ ହାରି ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଟାଇଟଲ୍। ଅନାହତଙ୍କ ଏହି ସଫଳତା କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ସ୍କ୍ୱାସ୍ ଜଗତ ପାଇଁ ଐତିହାସିକ। ୨୦୧୦ ମସିହାରେ ଆମେରିକାର ଅମାଣ୍ଡା ସୋଭିଙ୍କ ବିଜୟ ପରେ ପ୍ରଥମ ଥର ପାଇଁ କୌଣସି ଅଣ-ଇଜିପ୍ଟୀୟ ଖେଳାଳି ଏହି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି। ଏହାସହ ଗତ ୧୫ ବର୍ଷ ଧରି ଏହି ଟୁର୍ଣ୍ଣାମେଣ୍ଟରେ ଇଜିପ୍ଟର ଏକଚାଟିଆ ଆଧିପତ୍ୟର ମଧ୍ୟ ଅନ୍ତ ଘଟିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୦୫ ମସିହାରେ ଭାରତର ଜୋସ୍ନା ଚିନ୍ନାପ୍ପା ଏହି ଚାମ୍ପିଅନସିପ୍ରେ ରନର୍ସଅପ୍ ହୋଇଥିଲେ, ଯାହା ବର୍ତ୍ତମାନ ସୁଦ୍ଧା ଭାରତର ସର୍ବୋତ୍ତମ ପ୍ରଦର୍ଶନ ଥିଲା।
ଟୁର୍ଣ୍ଣାମେଣ୍ଟରେ ଦମଦାର୍ ପ୍ରଦର୍ଶନ
ପ୍ରତିଯୋଗିତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନାହତ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ସେ କ୍ୱାର୍ଟର ଫାଇନାଲ୍ରେ ଇଜିପ୍ଟର ହବିବା ରିଜ୍ଜୁ ଏବଂ ସେମିଫାଇନାଲ୍ରେ ଅନ୍ୟତମ ଇଜିପ୍ଟ ଖେଳାଳି ବାର୍ବ ସାମେହଙ୍କୁ ୩-୧ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲେ। ଦିଲ୍ଲୀର ୧୮ ବର୍ଷୀୟା ଏହି ଯୁବ ଖେଳାଳି ବର୍ତ୍ତମାନ ବିଶ୍ୱ ମାନ୍ୟତାରେ ୨୦ତମ ସ୍ଥାନରେ ରହିଛନ୍ତି। ସେ ୨୦୨୫ ବିଶ୍ୱ କନିଷ୍ଠ ସ୍କ୍ୱାସ୍ ଚାମ୍ପିଅନସିପ୍ରେ କାଂସ୍ୟ ପଦକ ଜିତିଥିବା ବେଳେ ୨୦୨୬ରେ ଏକାଧିକ ପିଏସ୍ଏ ଟାଇଟଲ୍ ହାସଲ କରିଛନ୍ତି।
ଅଲିମ୍ପିକ୍ସ ପାଇଁ ଆଶା ସୃଷ୍ଟି
ଆସନ୍ତା ୨୦୨୮ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଖେଳକୁ ସାମିଲ କରାଯାଇଛି। ତେଣୁ ବିଶ୍ୱସ୍ତରରେ ଅନାହତଙ୍କ ଏହି ଧାରାବାହିକ ସଫଳତା, ଆଗାମୀ ଅଲିମ୍ପିକ୍ସରେ ଭାରତ ପାଇଁ ଏକ ବଡ଼ ପଦକର ଆଶା ସୃଷ୍ଟି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।