ଲାଇଭ୍ ଟିଭିରେ ଲୁହ ରୋକିପାରିଲେନି ଆଙ୍କର୍, ଷ୍ଟକ୍ ମାର୍କେଟ୍ ଧସ ଦେଖି ଭାବପ୍ରବଣ
କୋରିଆର: ଦକ୍ଷିଣ କୋରିଆର ଷ୍ଟକ୍ ମାର୍କେଟରେ ବଡ଼ ଧରଣର ଧସ ନିବେଶକଙ୍କୁ ଚିନ୍ତାରେ ପକାଇଛି । ଏହି ବଜାର ହ୍ରାସର ଖବର ପ୍ରସାରଣ କରୁଥିବା ବେଳେ ଲାଇଭ୍ ଟିଭିରେ ଭାବପ୍ରବଣ ହୋଇପଡ଼ିଛନ୍ତି ଜଣେ ଦକ୍ଷିଣ କୋରିଆର ନ୍ୟୁଜ୍ ଆଙ୍କର । ଆଙ୍କରଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି ।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ନଭେମ୍ବର ୨୫ରେ Seoul Economic TVର କାର୍ଯ୍ୟକ୍ରମ Kim Ah-hyun’s Golden Stock ପ୍ରସାରଣ କରୁଥିଲେ ଆଙ୍କର କିମ୍ ଆହ୍ୟୁନ୍ । ଏହି ସମୟରେ ସେ ଷ୍ଟକ୍ ମାର୍କେଟର ସ୍ଥିତି ଓ ନିବେଶକଙ୍କ କ୍ଷତିକୁ ନେଇ ବିଶ୍ଳେଷଣ କରୁଥିଲେ । ହେଲେ ବଜାରର ଭୟଙ୍କର ହ୍ରାସ ଓ ନିବେଶକଙ୍କ ଉପରେ ଏହାର ପ୍ରଭାବ ବିଷୟରେ କହିବା ବେଳେ ସେ ନିଜ ଲୁହକୁ ରୋକିପାରିନଥିଲେ ।
ସେହି ଦିନ ଦକ୍ଷିଣ କୋରିଆର ପ୍ରମୁଖ ଷ୍ଟକ୍ ମାର୍କେଟ୍ ଇଣ୍ଡେକ୍ସ KOSPI ଗୋଟିଏ ଟ୍ରେଡିଂ ସେସନରେ ୬.୧୬ ପ୍ରତିଶତ ହ୍ରାସ ପାଇଥିଲା । ଏହି ହ୍ରାସର ପ୍ରଭାବ ଦେଶର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀ ଉପରେ ମଧ୍ୟ ପଡ଼ିଥିଲା । Samsung Electronics ଓ SK Hynix ଭଳି ବଡ଼ କମ୍ପାନୀର ସେୟାର ମଧ୍ୟ ଗୁରୁତର କ୍ଷତି ସହିଥିଲା ।
କାର୍ଯ୍ୟକ୍ରମରେ ଆଙ୍କର୍ ଆମେରିକାର ଟେକ୍ନୋଲୋଜି ବଜାରର ଦୁର୍ବଳ ସ୍ଥିତିକୁ ନେଇ ଆଲୋଚନା କରୁଥିଲେ । ଏହାସହ ଆଗକୁ ଷ୍ଟକ୍ ମାର୍କେଟରେ ଆହୁରି ହ୍ରାସ ହେବାର ସମ୍ଭାବନା ଥିବା ନେଇ ମଧ୍ୟ ସତର୍କ କରାଉଥିଲେ । ଏହି ସମୟରେ ସ୍କ୍ରିନ୍ରେ Samsung Electronics ସହ ଜଡ଼ିତ ଏକ ସିଙ୍ଗଲ୍-ଷ୍ଟକ୍ ଲିଭରେଜ୍ ଇନଭେଷ୍ଟମେଣ୍ଟ ପ୍ରଡକ୍ଟର ଚାର୍ଟ ଦେଖାଯାଇଥିଲା ।
ଚାର୍ଟରେ ଉକ୍ତ ଇନଭେଷ୍ଟମେଣ୍ଟ ପ୍ରଡକ୍ଟ ଗୋଟିଏ ଟ୍ରେଡିଂ ସେସନରେ ୧୫.୨୧ ପ୍ରତିଶତ ହ୍ରାସ ପାଇଥିବା ଦେଖାଯାଇଥିଲା । ଏହାକୁ ଦେଖିବା ପରେ ଆଙ୍କର୍ କିମ୍ ଆହ୍ୟୁନ୍ ଭାବପ୍ରବଣ ହୋଇପଡ଼ିଥିଲେ । ସେ କିଛି ସମୟ ପାଇଁ ଚୁପ୍ ରହିବା ସହ ମୁଣ୍ଡ ନୁଆଁଇ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ହେଲେ ଲୁହକୁ ରୋକିବାରେ ବିଫଳ ହୋଇ ଶେଷରେ କ୍ୟାମେରାରୁ ମୁହଁ ଫେରାଇ ନେଇଥିଲେ ।
ଲାଇଭ୍ ପ୍ରସାରଣ ସମୟରେ ଆଙ୍କରଙ୍କ ଏହି ଭାବପ୍ରବଣ ମୁହୂର୍ତ୍ତ ଦର୍ଶକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଷ୍ଟକ୍ ମାର୍କେଟର ଏଭଳି ଅଚାନକ ହ୍ରାସ କେବଳ ନିବେଶକଙ୍କ ଆର୍ଥିକ କ୍ଷତି ନୁହେଁ, ବରଂ ମାନସିକ ଚାପ ମଧ୍ୟ ବଢ଼ାଇଥିବା ଏହି ଘଟଣା ଚର୍ଚ୍ଚାକୁ ଆସିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
