ଯେତେ କୋମଳ ଲାଳନପାଳନ ସେତେ କମ୍ ଅବସାଦ
କୁହାଯାଏ, ଶିଶୁମାନେ କଞ୍ଚା ମାଟି ପରି ଏବଂ ବାପାମା’ ସେମାନଙ୍କୁ ଆକାର ଦେଇଥାନ୍ତି। ନିକଟରେ ଆମେରିକାର ନୋଟ୍ରେ ଡେମ୍ ବିଶ୍ବବିଦ୍ୟାଳୟର ମନୋବିଜ୍ଞାନୀଙ୍କ ଦ୍ବାରା କରାଯାଇଥିବା ଏକ ଦୀର୍ଘକାଳୀନ ଅଧ୍ୟୟନ ଅନୁସାରେ, ପିଲାମାନେ ବିଦ୍ୟାଳୟ ଯିବା ପୂର୍ବରୁ ବା ଶୈଶବାବସ୍ଥାରେ ତାଙ୍କର ‘ଜେଣ୍ଟଲ୍ ପ୍ୟାରେଣ୍ଟିଂ’ ବା ‘କୋମଳ ଲାଳନପାଳନ’ କରାଗଲେ, କିଶୋରାବସ୍ଥାରେ ସେମାନେ ମାନସିକ ଅବସାଦରୁ ଦୂରେଇ ରହନ୍ତି। ପ୍ରାୟ ୪୬୫ ଜଣ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କ ଉପରେ ୧୫ ବର୍ଷ ଧରି କରାଯାଇଥିବା ଏହି ଗବେଷଣାର ଫଳାଫଳ ‘କମ୍ୟୁନିକେସନ୍ସ ସାଇକୋଲୋଜି’ ପତ୍ରିକାରେ ପ୍ରକାଶ ପାଇଛି।
ଏହି ଗବେଷଣାରେ ପ୍ରଥମେ ପିଲାଙ୍କର ୩ ବର୍ଷ ବେଳର ଓ ପରେ ୯, ୧୨, ୧୫ ଓ ୧୮ ବର୍ଷ ବୟସରେ ମାନସିକ ସ୍ଥିତିର ଆକଳନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁ ପିଲାମାନେ ସେମାନଙ୍କର ୩ ବର୍ଷ ବୟସ ବେଳକୁ ବାପାମା’ଙ୍କଠାରୁ ଅଧିକ ସ୍ନେହ, ଆଦର, ସହାନୁଭୂତି ତଥା ସକାରାତ୍ମକ ବ୍ୟବହାର ପାଇଥାନ୍ତି, କିଶୋର ଅବସ୍ଥାରେ ସେମାନଙ୍କ ମସ୍ତିଷ୍କର ‘ରିୱାର୍ଡ ରେସ୍ପନ୍ସ’ ବା ସନ୍ତୋଷ-ପ୍ରତିକ୍ରିୟା ଅଧିକ ସକ୍ରିୟ ରହିଥାଏ। ଭବିଷ୍ୟତରେ ଏହା ସେମାନଙ୍କୁ ମାନସିକ ଚାପ ସହ ଲଢ଼ିବାକୁ ଶକ୍ତି ଦେଇଥାଏ। ତା’ ସହିତ ଏହା ଅବସାଦ ଭଳି ମାନସିକ ରୋଗରୁ ଦୂରେଇ ରଖେ। ଅନ୍ୟ ପକ୍ଷରେ, ଛୋଟବେଳୁ ଗାଳିଗୁଲଜ, ଅତ୍ୟଧିକ ଅନୁଶାସନ ବା ନକାରାତ୍ମକ ପରିବେଶରେ ବଢ଼ୁଥିବା ପିଲାମାନେ ପରବର୍ତ୍ତୀ ସମୟରେ ସହଜରେ ମାନସିକ ଅବସାଦର ଶିକାର ହୋଇଥାନ୍ତି।
ଗବେଷକମାନେ ପରାମର୍ଶ ଦେଇଛନ୍ତି ଯେ, ପିଲାମାନେ ସନ୍ତୁଷ୍ଟ ରହିବା ଓ ସକାରାତ୍ମକ ଘଟଣାଗୁଡ଼ିକ ପ୍ରତି ପ୍ରତିକ୍ରିୟା ଦେବା ଶିଖିବାରେ ପ୍ରାରମ୍ଭିକ ପାରିବାରିକ ଆଚରଣ ବଡ଼ ଭୂମିକା ଗ୍ରହଣ କରିଥାଏ। ପିତାମାତାଙ୍କ ଆଚରଣ ସିଧାସଳଖ ମସ୍ତିଷ୍କର ବିକାଶ କରିଥାଏ କିମ୍ବା ମାନସିକ ଅବସାଦର କାରଣ ହୋଇପାରେ। ତେଣୁ ପିଲାଙ୍କୁ ଠିକ୍ ଭାବେ ଗଢ଼ିବା ଲାଗି ‘ଜେଣ୍ଟଲ୍ ପ୍ୟାରେଣ୍ଟିଂ’ ବା ‘କୋମଳ ଲାଳନପାଳନ’ର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ଗବେଷକ ଦଳ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
