ମାନିଲାରେ ପାକିସ୍ତାନ ନିର୍ମିତ ଅଟୋରେ ବସିଥିଲେ ମୋଦୀ !

Nov 18, 2026 - 13:32
ମାନିଲାରେ ପାକିସ୍ତାନ ନିର୍ମିତ ଅଟୋରେ ବସିଥିଲେ ମୋଦୀ !

ନୂଆଦିଲ୍ଲୀ: ଭାରତର ସଫଳତାକୁ ନିଜର ବୋଲି ଦାବି କରିବାକୁ ଯାଇ ପୁଣି ଥରେ ଅପଦସ୍ତ ହୋଇଛି ପାକିସ୍ତାନ! ଫିଲିପାଇନ୍ସର ମାନିଲାଠାରେ ଆୟୋଜିତ ଆସିଆନ୍‌ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ‘ମେଡ୍‌ ଇନ୍‌ ପାକିସ୍ତାନ’ ଅଟୋରିକ୍ସାରେ ବସିଥିବା ନେଇ ସୋସିଆଲ ମିଡିଆରେ ଦାବି କରିଥିଲେ ପାକିସ୍ତାନୀ ୟୁଜର୍ସ। ହେଲେ ଏହି ଦାବିର ସତ୍ୟତା ଯାଞ୍ଚ ପରେ ସାମ୍ନାକୁ ଆସିଛି ଭିନ୍ନ ତଥ୍ୟ। ମୋଦୀ ବସିଥିବା ଗାଡ଼ିଟି ପାକିସ୍ତାନର ନୁହେଁ, ବରଂ ଭାରତୀୟ କମ୍ପାନି ବଜାଜ୍‌ ଅଟୋ ଦ୍ୱାରା ନିର୍ମିତ। ଗତ ମଙ୍ଗଳବାର ମାନିଲାରେ ଆୟୋଜିତ ଆସିଆନ୍‌ ସମ୍ମିଳନୀର ଭୋଜି କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ସ୍ୱତନ୍ତ୍ର ଭାବେ ସଜାଯାଇଥିବା ତିନିଚକିଆ ଗାଡ଼ିରେ ପହଞ୍ଚିଥିଲେ। ଏହି ଗାଡ଼ିଗୁଡ଼ିକରେ ଫିଲିପାଇନ୍ସର ପାରମ୍ପରିକ ‘ଜିପ୍‌ନି’ ଯାନର କଳାକୃତି ଓ ରଙ୍ଗବେରଙ୍ଗର ଚିତ୍ର ଅଙ୍କାଯାଇଥିଲା। ମୋଦୀଙ୍କ ଅଟୋରିକ୍ସାରେ ବସିବାର ଭିଡିଓ ଭାଇରାଲ୍‌ ହେବା ପରେ ଲାହୋରର ସାମ୍ବାଦିକ ହମ୍ମାଦ୍‌ ହାସନ୍‌ଙ୍କ ସମେତ ଅନେକ ପାକିସ୍ତାନୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ଏହାକୁ ପାକିସ୍ତାନ ନିର୍ମିତ ଗାଡ଼ି ବୋଲି ପ୍ରଚାର କରିଥିଲେ। କିନ୍ତୁ ନିକଟରୁ ଉତ୍ତୋଳିତ ଭିଡିଓରେ ଗାଡ଼ିର ଡିଜିଟାଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟରରେ ବଜାଜ୍‌ର ଲୋଗୋ ସ୍ପଷ୍ଟ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଅଟୋମୋବାଇଲ୍‌ କମ୍ପାନି ସାଜଗର୍‌ ଗତ ମାସରେ ଫିଲିପାଇନ୍ସର ଲାଗୁନାଠାରେ ଏହାର ପ୍ରଥମ ବିଦେଶୀ ଉତ୍ପାଦନ କେନ୍ଦ୍ର ଖୋଲିଥିଲା। ଏହି ଘଟଣାକୁ ଆଧାର କରି ଭାଇରାଲ୍‌ ଦାବି କରାଯାଇଥିବା ଅନୁମାନ କରାଯାଉଛି। କିନ୍ତୁ ଆସିଆନ୍‌ ସମ୍ମିଳନୀରେ ବ୍ୟବହୃତ ଗାଡ଼ିଗୁଡ଼ିକ ବଜାଜ୍‌ ଦ୍ୱାରା ନିର୍ମିତ। ୨୦୧୫ରୁ ଫିଲିପାଇନ୍ସ ବଜାରରେ ପ୍ରବେଶ କରିଥିବା ବଜାଜ୍‌ ଏବେ ସେଠାକାର ତିନିଚକିଆ ଯାନ ବଜାରରେ ଏକ ପରିଚିତ ନାମ। କମ୍ପାନି ୭୦ରୁ ଅଧିକ ଦେଶକୁ ଗାଡ଼ି ରପ୍ତାନି କରୁଛି। ଫିଲିପାଇନ୍ସ ଗସ୍ତ ସମୟରେ ମୋଦୀ ଇଷ୍ଟ ଏସିଆ ସମ୍ମିଳନୀ ଓ କ୍ୱାଡ୍‌ ନେତାଙ୍କ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଆସିଆନ୍‌ ସମ୍ମିଳନୀରେ ସେ ସାମୁଦ୍ରିକ ସହଯୋଗ ବୃଦ୍ଧି, ଯୋଗାଯୋଗ ବ୍ୟବସ୍ଥାର ବିକାଶ ଏବଂ ସମୁଦ୍ରରେ ନାବିକଙ୍କ ସୁରକ୍ଷା ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତାବ ଦେଇଥିଲେ। ଏହାବ୍ୟତୀତ ଆସିଆନ୍‌ ଦେଶର ପର୍ଯ୍ୟଟକଙ୍କ ପାଇଁ ମାଗଣା ଇ-ଭିସା, ମିଳିତ ସାଇବର ଫରେନ୍‌ସିକ୍‌ ତାଲିମ କାର୍ଯ୍ୟକ୍ରମ ଏବଂ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ସେ ପ୍ରସ୍ତାବ ରଖିଥିଲେ। ମୋଦୀ କହିଥିଲେ, ଭାରତ ଓ ଆସିଆନ୍‌ ମିଳିତ ଭାବେ ବିଶ୍ୱର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ପ୍ରତିଯୋଗିତା ପରିବର୍ତ୍ତେ ସହଯୋଗ ମାଧ୍ୟମରେ ଭବିଷ୍ୟତ ଗଠନ କରିବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)