ମାଛ ଚାଷରୁ ଲକ୍ଷପତି ଜନାର୍ଦ୍ଦନ, ବାୟୋଫ୍ଲକ୍ ପଦ୍ଧତିରେ ବଦଳିଲା ଭାଗ୍ୟ
ନନ୍ଦିଘୋଷବ୍ୟୁର: ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ଥିଲେ କୃଷି ଓ ମତ୍ସ୍ୟ ଚାଷ ମାଧ୍ୟମରେ କିପରି ସ୍ଵାବଲମ୍ବୀ ହୋଇପାରିବେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଖଇରା ପଞ୍ଚାୟତ ନୂଆଶାସନ ଗାଁର ଜନାର୍ଦ୍ଦନ ଓତା। ଆଜି ସେ ମାଛ ଚାଷ କରି କେବଳ ନିଜେ ଲକ୍ଷପତି ହୋଇନାହାଁନ୍ତି, ବରଂ ଅନ୍ୟମାନଙ୍କ ପାଇଁ ରୋଜଗାରର ମାଧ୍ୟମ ମଧ୍ୟ ସାଜିଛନ୍ତି।
ପ୍ରଥମେ ମାତ୍ର ଦୁଇଟି ପୋଖରୀରୁ ମାଛ ଚାଷ ଆରମ୍ଭ କରିଥିଲେ ଜନାର୍ଦ୍ଦନ। ଏଥିରେ ଭଲ ଲାଭ ମିଳିବାରୁ ସେ ଆଧୁନିକ ବାୟୋଫ୍ଲକ ପଦ୍ଧତି ଆପଣାଇଥିଲେ। ବର୍ତ୍ତମାନ ସେ ପୋଖରୀ ଏବଂ ବାୟୋଫ୍ଲକ ଉଭୟ ମାଧ୍ୟମରେ ରୋହୀ, ଭାକୁର, ମିରକାଳୀ, ଗ୍ରାସକାଫ ଏବଂ ଚିଙ୍ଗୁଡ଼ି ଭଳି ଭଳିକି ଭଳି ମାଛ ଚାଷ କରୁଛନ୍ତି।
ତେବେ ବାୟୋଫ୍ଲକ ଟ୍ୟାଙ୍କରେ ମାଛଗୁଡ଼ିକ କିଛି ପରିମାଣରେ ବଡ଼ ହେବା ପରେ ସେଗୁଡ଼ିକୁ ପୋଖରୀକୁ ଅଣାଯାଇଥାଏ। ପୋଖରୀରେ ସମ୍ପୂର୍ଣ୍ଣ ବଡ଼ ହେବା ପରେ ସେଗୁଡ଼ିକୁ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରାଯାଏ। ଆଜିର ଦିନରେ ଜନାର୍ଦ୍ଦନ ବାର୍ଷିକ ୫ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ଏହି ପ୍ରକଳ୍ପରେ ୫ ଜଣ ସ୍ଥାନୀୟ ବ୍ୟକ୍ତି କାମ କରି ନିଜ ପରିବାର ପ୍ରତିପୋଷଣ ମଧ୍ୟ କରୁଛନ୍ତି।
ଏହି ସଫଳତା ପଛରେ ବଡ଼ଚଣା ବ୍ଲକ ମତ୍ସ୍ୟ ବିଭାଗର ଅଧିକାରୀମାନଙ୍କର ନିୟମିତ ତଦାରଖ ଏବଂ ସରକାରଙ୍କ ପ୍ରୋତ୍ସାହନ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଜନାର୍ଦ୍ଦନଙ୍କ ଏପରି ଅଧ୍ୟବସାୟ ଆଜିର ଯୁବପିଢ଼ିଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
