Business Perspective: ବଣିଜ ବିଚାର: ହାତଘଣ୍ଟାରେ ଓଡ଼ିଶା କାହାଣୀ କହୁ

Oct 28, 2026 - 03:48
Business Perspective: ବଣିଜ ବିଚାର: ହାତଘଣ୍ଟାରେ ଓଡ଼ିଶା କାହାଣୀ କହୁ

ପୂର୍ଣ୍ଣେନ୍ଦୁ କର ହାତଘଣ୍ଟା ଏବେ ଆଉ କେବଳ ସମୟ ଜାଣିବାର ଉପାୟ ହୋଇ ରହିନାହିଁ; ସମୟ ଜଣାଇବାର ଏକ ଯନ୍ତ୍ରରୁ ନେଇ ଅଳଙ୍କାରର ଅଂଶ, ବିଳାସର ସନ୍ତକ, ଆଭିଜାତ୍ୟର ଚିହ୍ନ, ଫେସନର ଅଭିବ୍ୟକ୍ତି ପର୍ଯ୍ୟନ୍ତ ହାତଘଣ୍ଟାର ବିରଳ ଯାତ୍ରାର କାହାଣୀ ବେଶ୍‌ ଆକର୍ଷଣୀୟ।

ଭାରତୀୟ ଘଣ୍ଟା କଥା ପଡ଼ିଲେ ଟାଇଟନ କିମ୍ବା ଏଚ.ଏମ.ଟି.

କଥା ମନକୁ ଆସିଥାଏ।

୧୯୫୩ ମସିହାରେ କର୍ଣ୍ଣାଟକର, ତତ୍କାଳୀନ ବାଙ୍ଗାଲୋରରେ ଭାରତ ସରକାରଙ୍କ ଦ୍ୱାରା ଏଚ.ଏମ.ଟି.

ଘଣ୍ଟା କମ୍ପାନି ପ୍ରତିଷ୍ଠିତ ହୋଇଥିଲା, ଯହିଁରୁ, ୧୯୬୧ ମସିହାରେ, 'ଜନତା' ନାମରେ ଭାରତର ପ୍ରଥମ ସ୍ବଦେଶୀ ଘଣ୍ଟା ବଜାରକୁ ଆସିଥିଲା।

ଏହି ପ୍ରଥମ ଘଣ୍ଟା 'ପିପୁଲ୍‌ସ ୱାଚ' ବା 'ଲୋକମାନଙ୍କ ଘଣ୍ଟା' ଭାବରେ ଆଦୃତି ଲାଭ କରିଥିଲା।

ଏହା ପରେ ହାତଘଣ୍ଟା ବ୍ୟାପାରରେ ଏଚ.ଏମ.ଟି.ର ଅଭିବୃଦ୍ଧିର ଯାତ୍ରା ଥିଲା କୈଂବଦନ୍ତୀୟ; ଗୋଟିଏ ସମୟରେ ବଜାରର ୯୦% ପର୍ଯ୍ୟନ୍ତ ଏଚ.ଏମ.ଟି.

ଅକ୍ତିଆର କରି ନେଇଥିଲା।

ସେହିଭଳି ଏହି କଂପାନିର ପତନ ଏବଂ ପରିଶେଷରେ ବନ୍ଦ ହୋଇଯିବା ମଧ୍ୟ ଲୋକକଥାର ଅଂଶ ଭଳି ଲାଗିଥାଏ।

ଜୀବନ ତମାମ ୧୧.୫୦ କୋଟିରୁ ଅଧିକ ସଂଖ୍ୟକ ହାତଘଣ୍ଟା ତିଆରି କରି ସାରିଲା ପରେ ୨୦୧୬ ମସିହାରେ ଏଚ.ଏମ.ଟି.

ବନ୍ଦ ହୋଇ ଯାଇଥିଲା।

ତା' ପରେ ଏହି କ୍ଷେତ୍ରରେ ଆବିର୍ଭୂତ ହେଲା ଟାଇଟନ।

୧୯୮୪ ମସିହାରେ ଟାଟା ଏବଂ 'ତାମିଲନାଡୁ ଇଣ୍ଡାଷ୍ଟ୍ରିଆଲ ଡେଭେଲପ୍ମେଣ୍ଟ କର୍ପୋରେସନ'ର ମିଳିତ ଉଦ୍ୟୋଗରୁ ନିର୍ମିତ ଏହି ଘଣ୍ଟା ଏବେ କେବଳ ଭାରତର ନୁହେଁ, ପୃଥିବୀର ଏକ ସୁପରିଚିତ ବ୍ରାଣ୍ଡ।

ଉଲ୍ଲେଖ ଥାଉ କି ଭାରତରେ ହାତଘଣ୍ଟାର ବଜାର ମୂଲ୍ୟ, ୨୦୨୫ ସୁଦ୍ଧା ଥିଲା ପ୍ରାୟ ୬୩,୦୦୦ କୋଟି ଟଙ୍କା, ଯାହା ୨୦୩୪ ସୁଦ୍ଧା ୯୮,୬୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ତେବେ, ସଂପ୍ରତି ହାତଘଣ୍ଟା କ୍ଷେତ୍ରରେ ଏକ ନୂଆ ଟ୍ରେଣ୍ଡ ବା ଧାରାର ଆବିର୍ଭାବ ଘଟିବା ପରେ ଏହାର ବଜାର ଆକର୍ଷଣୀୟ ହୋଇ ଉଠିଛି।

'ଜ୍ଞାନର ଦର୍ପଣ' ରୂପେ ନୂତନ ଅବତାରରେ ଆସୁଥିବା ଏହି ନୂଆ ଧାରାର ହାତଘଣ୍ଟାକୁ କୁହାଯାଉଛି 'ୱାଚ ମାଇକ୍ରୋ ବ୍ରାଣ୍ଡ'।

ଏଭଳି ଘଣ୍ଟାର ବୈଶିଷ୍ଟ୍ୟ ହେଲା ଏହାର 'ଡାୟଲ'ରେ ଏକ ନିର୍ଦ୍ଦିଷ୍ଟ 'ଥିମ' ବା ବିଷୟବସ୍ତୁକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଥାଏ।

ଏହି ନୂଆ ପ୍ରକାର ହାତ ଘଡ଼ି ତିଆରି କରୁଛନ୍ତି ଜୟପୁର ୱାଚ କଂପାନି (ରାଜସ୍ଥାନ), ବାଙ୍ଗାଲୋର ୱାଚ କଂପାନି (କର୍ଣ୍ଣାଟକ), ଦିଲ୍ଲୀ ୱାଚ କମ୍ପାନି (ଦିଲ୍ଲୀ), ଆଜ୍ୱାଇନ ୱାଚ କମ୍ପାନି ଏବଂ ରୋଟୋରିସ (ମହାରାଷ୍ଟ୍ର) ଓ କୋରାମୋଣ୍ଡଲ ୱାଚ କମ୍ପାନି (ତାମିଲନାଡୁ)।

କହିବା ବାହୁଲ୍ୟ ଯେ ହାତଘଣ୍ଟା ବଜାରରେ ମାଇକ୍ରୋ ବ୍ରାଣ୍ଡର ବଜାର ଅଂଶ ବୃଦ୍ଧି ପାଇବାରେ ଲାଗିଛି।

୨୦୧୩ ମସିହାରେ ସ୍ଥାପିତ ହେଲା ଜୟପୁର ୱାଚ କମ୍ପାନି।

ଏହା ଦ୍ବାରା ପ୍ରସ୍ତୁତ ଘଡ଼ିର 'ଡାୟଲ'ରେ ଦେଖିବାକୁ ମିଳିଥିଲା ପୁରୁଣା ମୁଦ୍ରା, ପୋଷ୍ଟାଲ ଟିକେଟ ଇତ୍ୟାଦି।

ଏଭଳି ନୂଆ ପ୍ରକାର ଘଣ୍ଟାକୁ ଗ୍ରାହକମାନେ ଖୁବ୍‌ ପସନ୍ଦ କରିଥିଲେ ଏବଂ ତହିଁରୁ ଏକ ନୂଆ ଧାରାର ପ୍ରାରମ୍ଭ ଘଟିଥିଲା।

ଏହି ଘଣ୍ଟାଗୁଡ଼ିକର ଚାହିଦା କିଭଳି ବଢ଼ିଛି, ତା'ର ପ୍ରମାଣ କେବଳ ଏଥିରୁ ମିଳିବ ଯେ ଏ ଯାବତ୍ କମ୍ପାନି ପାଖରେ ପାଖାପାଖି ୨୦୦୦ଟି ଅଗ୍ରିମ ଅର୍ଡର ରହିଛି।

ଆଜି ସୁଦ୍ଧା ଏହି କମ୍ପାନିର ଆୟ ୧୧୦ କୋଟି ଟଙ୍କାରେ ପହଞ୍ଚିଲାଣି।

ସେମିତି ୨୦୧୮ ମସିହାରେ ମୁମ୍ବାଇଠାରେ ପ୍ରତିଷ୍ଠିତ 'ଆଜ୍ୱାଇନ' କମ୍ପାନି ଏଭଳି ହାତଘଣ୍ଟା ଉତ୍ପାଦନ ଆରମ୍ଭ କରି ବ୍ୟବସାୟରେ ପଶିଥିଲା।

ଏହି ଘଡ଼ିଗୁଡ଼ିକ କିଭଳି 'ଜ୍ଞାନର ଦର୍ପଣ' ହୋଇଥାଏ, ତା'ର ଏକ ନିଦର୍ଶନ ରୂପେ 'କାକୋରି ୮-ଡାଉନ'ର ଅବତାରଣା କରାଯାଇପାରେ।

ଏହି ନାମ ପଛରେ ଏକ ଐତିହାସିକ କାହାଣୀ ଅଛି।

୧୯୨୫ ମସିହା ଅଗଷ୍ଟ ୯ ତାରିଖରେ, ଟ୍ରେନ ନମ୍ବର '୮-ଡାଉନ', ଉତ୍ତରପ୍ରଦେଶର ଶାହଜାହାନପୁରରୁ ଲକ୍ଷ୍ନୌ ଯାଉଥାଏ, ଯହିଁରେ ଥାଏ ବ୍ରିଟିସ ସରକାରଙ୍କ ଦ୍ବାରା ଆଦାୟ ହୋଇଥିବା ବିପୁଳ ପରିମାଣର ଟିକସ ଟଙ୍କା।

ଏହାର ସୂଚନା ପାଇ କିଛି ସ୍ୱାଧୀନତା ସଂଗ୍ରାମୀ 'କାକୋରି' ନାମକ ଏକ ଷ୍ଟେସନରେ ଟ୍ରେନ ଅଟକାଇ ଟଙ୍କା ଜବତ କରନ୍ତି।

ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହା ଏକ ସ୍ମରଣୀୟ ଘଟଣା ହୋଇ ରହିଛି।

ଏହାକୁ ଆଧାର କରି ଆଜ୍ବାଇନ କଂପାନି ତିଆରି କରିଛି ଉପରୋକ୍ତ ସୁନ୍ଦର ହାତଘଣ୍ଟା।

ଏହିଭଳି ଘଟଣାବଳୀକୁ ନେଇ ଏହି କମ୍ପାନି ଏ ଯାବତ୍ ୨୦ଟି ମଡେଲର ହାତଘଣ୍ଟା ବଜାରକୁ ଛାଡ଼ି ସାରିଲାଣି।

ସେମିତି ୨୦୧୮ ମସିହାରେ, ବାଙ୍ଗାଲୋରରେ ପ୍ରତିଷ୍ଠିତ 'ବାଙ୍ଗାଲୋର ୱାଚ କମ୍ପାନି' ଦ୍ବାରା ନିର୍ମିତ ଘଡ଼ିରେ ଦେଖିବାକୁ ମିଳିଥାଏ କ୍ରିକେଟ, ଏରୋସ୍ପେସ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ବା 'ଥିମ୍‌'।

ଏହି କଂପାନି ଏ ଯାବତ୍‌ ୩୫ଟି ମଡେଲର ହାତଘଣ୍ଟା ତିଆରି କରିପାରିଛି।

ଏ ସବୁର ଆକର୍ଷଣୀୟ ନାମକରଣ ମଧ୍ୟ କରାଯାଇଛି, ଯେମିତି କ୍ରିକେଟ ସମ୍ବନ୍ଧୀୟ ମଡେଲର ନାମ ରହିଛି 'କଭର ଡ୍ରାଇଭ' ବା 'ମେନ ଇନ ବ୍ଲୁ' ବା 'ଦି ପ୍ୟାଭିଲିୟନ' ଇତ୍ୟାଦି।

ଏହି କମ୍ପାନି ଦ୍ବାରା ପ୍ରସ୍ତୁତ ବିଳାସପୂର୍ଣ୍ଣ ହାତଘଣ୍ଟାର ବଜାର ମୂଲ୍ୟ ୧.୫ ଲକ୍ଷରୁ ୨.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ଏହି କଂପାନିର ଉତ୍ପାଦନ ସଂଖ୍ୟା ହେଲା ବାର୍ଷିକ ୧୫୦୦ରୁ ୧୮୦୦ଟି ଘଣ୍ଟା।

ବର୍ଦ୍ଧିଷ୍ଣୁ ଚାହିଦାକୁ ଲକ୍ଷ୍ୟ କରି ଏହି କଂପାନିରେ ଚଳିତ ବର୍ଷ ୨୦ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ନିବେଶ କରାଯାଇଛି।

ସେମିତି ୨୦୨୪ ମସିହାରେ ପ୍ରତିଷ୍ଠିତ ତାମିଲନାଡୁର 'କୋରମଣ୍ଡଳ ୱାଚ କମ୍ପାନି' ଦ୍ବାରା ପ୍ରସ୍ତୁତ ଘଣ୍ଟାରେ 'ଥିମ' ରୂପେ ଦେଖିବାକୁ ମିଳିଥାଏ, ତାଞ୍ଜୋରର ପ୍ରସିଦ୍ଧ କଳାକୃତି, ନୀଳଗିରି ପର୍ବତମାଳା, ଦକ୍ଷିଣ ଭାରତୀୟ ଫିଲଟର କଫି ଏବଂ କୋରମଣ୍ଡଳ ବେଳାଭୂମି ଇତ୍ୟାଦି।

ଏଭଳି ସ୍ଥିତିରେ ମନରେ ବିଚାର ଆସେ ଯେ ହାତଘଣ୍ଟାର ଏହି ନୂତନ ଧାରା ବା ଟ୍ରେଣ୍ଡକୁ ନେଇ ଆମ ରାଜ୍ୟରେ କିଛି କରାଯାଇପାରିବ କି?

ଆମ ରାଜ୍ୟର ସଭ୍ୟତାଗତ ଓ ସାଂସ୍କୃତିକ ଐଶ୍ୱର୍ଯ୍ୟ ଅସାଧାରଣ।

କୋଣାର୍କ ଭଳି ସ୍ଥାପତ୍ୟ ବିଭବ, ଅପୂର୍ବାନୁମେୟ ଜଗନ୍ନାଥ ସଂସ୍କୃତି, ନୌବାଣିଜ୍ୟର ସମୃଦ୍ଧ ପରଂପରା, ବୌଦ୍ଧ ଐତିହ୍ୟ, ପଟ୍ଟଚିତ୍ର, ତାରାକସି ଆଦିକୁ ନେଇ ଚମତ୍କାର 'ଥିମ' ଆଧାରିତ ହାତଘଣ୍ଟା ତିଆରି କରାଯିବା ସମ୍ଭବ।

କିନ୍ତୁ, ଆହୁରି ବଡ଼ କଥା ହେଲା, ଓଡ଼ିଶାର ଅନେକ ଅଜ୍ଞାତ ଓ ସ୍ବଳ୍ପ ଜ୍ଞାତ କାହାଣୀକୁ ଏଭଳି ହାତଘଡ଼ି ମାଧ୍ୟମରେ, ଅତି ଆକର୍ଷଣୀୟ ଢଙ୍ଗରେ ଜଣାଇବାର ଅପୂର୍ବ ସୁଯୋଗ ମଧ୍ୟ ଏଥିରେ ରହିଛି।

୧୮୧୭ ମସିହାର ପାଇକ ବିଦ୍ରୋହ, ଇରମ ଗୁଳିକାଣ୍ଡ, ୧୮୯୮ ମସିହାରେ ପାରଳାଖେମୁଣ୍ଡିରେ ଦେଶର ପ୍ରଥମ ଘରୋଇ ରେଳ ଚଳାଚଳ (ପାରଳାଖେମୁଣ୍ଡି ମହାରାଜା ଗୌର ଚନ୍ଦ୍ର ଗଜପତି ନାରାୟଣ ଦେଓ (ଦ୍ବିତୀୟ)ଙ୍କ ଦ୍ବାରା ପାରଳାଖେମୁଣ୍ଡିରୁ ନୂଆପଡ଼ା ପର୍ଯ୍ୟନ୍ତ), ଇଞ୍ଚୁଡ଼ିର ଲବଣ ସତ୍ୟାଗ୍ରହ ଭଳି ବିଷୟ ମାଇକ୍ରୋ ୱାଚରେ ସ୍ଥାନ ପାଇପାରିବ।

ହାତଘଣ୍ଟା ଉଦ୍ୟୋଗ ପରିପ୍ରେକ୍ଷୀରେ ଆମ ରାଜ୍ୟ ସରକାର ତାମିଲନାଡୁ ରାଜ୍ୟ ସରକାରଙ୍କଠାରୁ ପ୍ରେରଣା ନେବା ଉଚିତ।

କାରଣ ଭାରତର ଏକ ନମ୍ବର ହାତଘଣ୍ଟା କଂପାନି ଟାଇଟନରେ ତାମିଲନାଡୁ ରାଜ୍ୟ ସରକାର ସିଧାସଳଖ ପୁଞ୍ଜି ନିବେଶ କରିଛନ୍ତି, ଯହିଁରେ ଅଂଶୀଦାରିର ପରିମାଣ ହେଉଛି ୨୭.୮୮ ପ୍ରତିଶତ ଏବଂ ଯାହାର ବଜାର ମୂଲ୍ୟ ୧,୦୭,୮୭୩ କୋଟି ଟଙ୍କାରେ ପହଞ୍ଚିଲାଣି।

ସେହି ଦୃଷ୍ଟିରୁ ଟାଟା କଂପାନି ସହିତ ହାତ ମିଳାଇ ହାତଘଣ୍ଟା ନିର୍ମାଣ କରିବା ତାମିଲନାଡୁ ରାଜ୍ୟ ସରକାରଙ୍କର ଏକ ସାହାସିକ ନିଷ୍ପତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଘରୋଇ କଂପାନିରେ ସରକାରଙ୍କ ପୁଞ୍ଜି ନିବେଶ ଓ ସଫଳତାର ଏହା ହୁଏତ ଏକ ବିରଳ ଓ ଉତ୍କୃଷ୍ଟ ଉଦାହରଣ।

ଆମ ରାଜ୍ୟ ସରକାର ମଧ୍ୟ 'ପ୍ରାଇଭେଟ ପବ୍ଲିକ ପାର୍ଟନରସିପ' ବା 'ପି.ପି.ପି.' ମୋଡ୍‌ରେ ଏହିଭଳି କିଛି ଚିନ୍ତା କରି ପାରନ୍ତି।

ରାଜ୍ୟ ସରକାରଙ୍କ 'ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା' ବିଭାଗ ତରଫରୁ ଏଭଳି ଘଣ୍ଟା ତିଆରି ଦିଗରେ ଯୋଗଦାନ ମିଳି ପାରନ୍ତା।

ପ୍ରଶିକ୍ଷଣ ମାଧ୍ୟମରେ ଏଭଳି ଘଣ୍ଟା ଉତ୍ପାଦନ ସକାଶେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରାଯାଇ ପାରନ୍ତା।

ସରକାରୀ ତଥ୍ୟ ଅନୁସାରେ ଆମ ରାଜ୍ୟକୁ ବାର୍ଷିକ ଲକ୍ଷାଧିକ ବିଦେଶୀ ପର୍ଯ୍ୟଟକ ଆସନ୍ତି, ଯେଉଁମାନଙ୍କୁ ଘେନି ଏଭଳି 'ଥିମ୍‌' ଆଧାରିତ ଘଡ଼ି ସକାଶେ ବିଶାଳ ବଜାର ସୃଷ୍ଟିର ଉଦ୍ୟମ କରାଯାଇପାରନ୍ତା।

ଏହା ଦ୍ବାରା କେବଳ ରାଜ୍ୟର ଏକ ନିଆରା ଉଦ୍ୟୋଗ ନୁହେଁ, ରାଜ୍ୟର ସ୍ବଳ୍ପ କଥିତ କାହାଣୀମାନ ବିଶ୍ବ ସ୍ତରରେ ପରିଚିତି ଲାଭ କରି ପାରନ୍ତା। (ମତାମତ ଲେଖକଙ୍କ ନିଜସ୍ୱ) ମୋ: ୯୭୯୧୧୨୧୦୬୮ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)