ପୁଣି ହର୍ମୁଜକୁ ନିଜର ବୋଲି ଦାବି କଲେ ଟ୍ରମ୍ପ, ନୂଆ ମ୍ୟାପ୍ ପୋଷ୍ଟ କରି ବଢ଼ାଇଲେ ବିବାଦ
ନନ୍ଦିଘୋଷ ବ୍ୟୁରୋ ; ପୁଣି ଥରେ ହର୍ମୁଜକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଦାବି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଆମେରିକାର ଏକ ନୂଆ ମାନଚିତ୍ର ପୋଷ୍ଟ କରିଛନ୍ତି ଟ୍ରମ୍ପ। ଏହି ମାନଚିତ୍ରରେ ହର୍ମୁଜ ପ୍ରଣାଳୀକୁ ଆମେରିକାର ଅଂଶ ଭାବେ ଦର୍ଶାଯାଇଥିବା ଦେଖାଯାଇଛି।
ଏହା ପୂର୍ବରୁ ଗତ ଅଗଷ୍ଟ ୧୮ ତାରିଖରେ ମଧ୍ୟ ଟ୍ରମ୍ପ ଏହି ଧରଣର ଏକ ମାନଚିତ୍ର ପୋଷ୍ଟ କରିଥିଲେ। ଏବେ ପୁଣି ଥରେ ହର୍ମୁଜକୁ ନେଇ ଏଭଳି ଦାବି କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ତୀବ୍ର ହୋଇଛି। ଗତ ଅଗଷ୍ଟ ୧୪ରେ ଟ୍ରମ୍ପ ଖୁବ୍ଶୀଘ୍ର ହର୍ମୁଜକୁ ଆମେରିକାର ଏକ ଅଂଶ ଭାବେ ଘୋଷଣା କରିବେ ବୋଲି କହିଥିଲେ। ଟ୍ରମ୍ପଙ୍କ ଏହି ଦାବିକୁ ଇରାନ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଇରାନ ସୁପ୍ରିମ୍ ନ୍ୟାସନାଲ୍ ସିକ୍ୟୁରିଟି କାଉନସିଲ୍ର ସଚିବ ମହସିନ୍ ରେଜାଇ କହିଛନ୍ତି, ପ୍ରାୟ ୭ ହଜାର ମାଇଲ୍ ଦୂରରେ ଥିବା ହର୍ମୁଜକୁ ଆମେରିକା ନିଜର ବୋଲି ଘୋଷଣା କରିବା ଅଶୋଭନୀୟ।
ସେପଟେ ଇରାନକୁ ନେଇ ଆମେରିକାର ଚାପ ଆହୁରି ବଢ଼ିବାର ସଙ୍କେତ ମିଳିଛି। ଖୁବ୍ଶୀଘ୍ର ଇରାନ ବିରୋଧରେ କଠୋର ଅର୍ଥନୈତିକ କଟକଣା ଜାରି କରାଯିବ ବୋଲି ଆମେରିକା ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ସୂଚନା ଦେଇଛନ୍ତି। ପ୍ରସ୍ତାବିତ କଟକଣାକୁ ଇରାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଇସମାଇଲ୍ ବାଘେଇ ସମାଲୋଚନା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

