ନବୀନ ନିବାସରେ ଇଣ୍ଡୋନେସିଆ କୂଟନୈତିକ ପ୍ରତିନିଧି
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକଙ୍କୁ ଭେଟିଛନ୍ତି ଇଣ୍ଡୋନେସିଆ କୂଟନୈତିକ ପ୍ରତିନିଧି ଦଳ। ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ। ଏହି ଦିନ ବୋଇତ ବନ୍ଦାଣ ପାଇଁ ସାରା ଓଡିଶା ଉତ୍ସବ ମୁଖରିତ ଅଛି। ଅତୀତରେ ଓଡ଼ିଆ ସାଧବ ପୁଅ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ଯାତ୍ରାରେ ବିଦେଶ ଯାଇ ବଣିଜ କରି ରାଜ୍ୟ ପାଇଁ ସମୃଦ୍ଧି ଆଣୁଥିଲେ। ଇଣ୍ଡୋନେସିଆର ବାଲି ସୁମାତ୍ରା ଥିଲା ଓଡ଼ିଶାର ବାଣିଜ୍ୟିକ ସମ୍ପର୍କର ପ୍ରମୁଖ କେନ୍ଦ୍ର। ଇଣ୍ଡୋନେସିଆ ସହ ଓଡିଶାର ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ଆହୁରି ଆହୁରି ସୁଦୃଢ କରିଥିଲେ ମହାନ ଜନନାୟକ ବିଜୁ ପଟ୍ଟନାୟକ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ତାଙ୍କର ଅବଦାନକୁ ଇଣ୍ଡୋନେସିଆ ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରି ଆସିଛି। ଏହି କ୍ରମରେ ବୋଇତ ବନ୍ଦାଣର ପୂର୍ବ ସନ୍ଧ୍ୟାରେ ନବୀନ ନିବାସରେ ଇଣ୍ଡୋନେସିଆର ଚାର୍ଜ ଡି ଆଫେୟାର୍ସ ୟୁଧୋ ଶାସଙ୍ଗେକୋଙ୍କ ନେତୃତ୍ୱରେ ଇଣ୍ଡୋନେସିଆର ଏକ କୂଟନୈତିକ ପ୍ରତିନିଧି ଦଳ ନବୀନ ନିବାସରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ଏହି ଅବସରରେ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ରହି ଆସିଥିବା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଶ୍ରୀ ପଟ୍ଟନାୟକ ମଙ୍ଗଳବାର ହେଉଥିବା ବୋଇତ ବନ୍ଦାଣ ଉତ୍ସବ ଓ ତାର ଐତିହାସିକ, ସାଂସ୍କୃତିକ ମହତ୍ୱ ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରିଥିଲେ। ୟୁଧୋ ଶାସଙ୍ଗେକୋ କହିଥିଲେ ଯେ ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ମହାନ ଜନନାୟକ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଇଣ୍ଡୋନେସିଆବାସୀ ଶ୍ରଦ୍ଧା ଓ ସମ୍ମାନର ସହ ମନେ ରଖିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଗକୁ ଆହୁରି ନିବିଡ ହେବ ବୋଲି ସେ ଆଶାବାଦୀ ବୋଲି ମତ ପ୍ରକାଶ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
