ନୂଆଦିଲ୍ଲୀ, ୩।୭: ବର୍ତ୍ତମାନ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଯୁଦ୍ଧ ଏବଂ ଆର୍ଥିକ କଟକଣା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଯେତେବେଳେ ଦେଶ ଭିତରେ ଜରୁରୀ ସାମଗ୍ରୀର ଅଭାବ ଦେଖାଦିଏ, ଲୋକେ ନିଜ ସମସ୍ୟାର ସମାଧାନ ପାଇଁ କିଛି ନା କିଛି ଅଦ୍ଭୁତ ଉପାୟ ଖୋଜି ବାହାର କରନ୍ତି । ବର୍ତ୍ତମାନ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ରୁଷିଆରୁ ସାମ୍ନାକୁ ଆସିଛି । ୟୁକ୍ରେନ ପକ୍ଷରୁ ରୁଷିଆର ତେଲ ବିଶୋଧନାଗାରଗୁଡ଼ିକ ଉପରେ କ୍ରମାଗତ ଡ୍ରୋନ୍ ଆକ୍ରମଣ ଯୋଗୁଁ ଦେଶରେ ଇନ୍ଧନ ଯୋଗାଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅନେକ ଅଞ୍ଚଳରେ ପେଟ୍ରୋଲ-ଡିଜେଲ ବିକ୍ରି ଉପରେ କଟକଣା ଲଗାଯାଇଥିବା ବେଳେ କେତେକ ସ୍ଥାନରେ ଦର ଆକାଶଛୁଆଁ ହୋଇଛି । ଏହି ସଙ୍କଟ ସମୟରେ ରୁଷିଆର ଗାଡ଼ି ଚାଳକମାନେ ପେଟ୍ରୋଲ ବଞ୍ଚାଇବା ପାଇଁ ଏକ ଆଶ୍ଚର୍ଯ୍ୟଜନକ ଉପାୟ ଆପଣାଇଛନ୍ତି, ଯାହାକୁ ଦେଖି ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ବଜାରରେ ବଢ଼ିଲା 'ଫ୍ୟୁଏଲ୍ ଟ୍ୟାବ୍ସ'ର ଚାହିଦା:
ରୁଷିଆର ସ୍ଥାନୀୟ ଟେଲିଗ୍ରାମ ନ୍ୟୁଜ୍ ଚ୍ୟାନେଲ ‘ବାଜା’ର ରିପୋର୍ଟ ଅନୁଯାୟୀ, ଆଜିକାଲି ରୁଷ ବଜାରରେ ପେଟ୍ରୋଲ ବଞ୍ଚାଉଥିବା ଚମତ୍କାରୀ ଗୋଲି ବା ‘ଫ୍ୟୁଏଲ୍ ଟ୍ୟାବ୍ସ’ର ବିକ୍ରି ହଠାତ୍ ଅଢ଼େଇ ଗୁଣରୁ ଅଧିକ ବୃଦ୍ଧି ପାଇଛି । ସୋସିଆଲ ମିଡିଆରେ ମଧ୍ୟ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକେ ନିଜ ଗାଡ଼ିର ତେଲ ଟାଙ୍କିରେ ଏହି ରଙ୍ଗବିରଙ୍ଗୀ ଟାବଲେଟ୍ ପକାଉଥିବାର ଦେଖିବାକୁ ମିଳୁଛି । ‘ବୁକା’ ଏବଂ ‘ବି-ଇକୋ’ ଭଳି ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏହି ଟାବଲେଟ୍ଗୁଡ଼ିକ ଇଣ୍ଟରନେଟରେ ଏହି ଦାବି ସହ ବିକ୍ରି କରାଯାଉଛି ଯେ, ଏହାକୁ ପେଟ୍ରୋଲ ଟାଙ୍କିରେ ପକାଇବା ଦ୍ୱାରା ଇଞ୍ଜିନ ଭିତରେ ଇନ୍ଧନ ଜଳିବା କ୍ଷମତା ବହୁତ ବଢ଼ିଯାଏ । ଫଳରେ ଇଞ୍ଜିନ ସୁରୁଖୁରୁରେ କାମ କରେ ଏବଂ ପେଟ୍ରୋଲ ଖର୍ଚ୍ଚ କମିବା ସହ ଗାଡ଼ିର ମାଇଲେଜ୍ ସିଧାସଳଖ ଦୁଇଗୁଣ ହୋଇଯାଏ ।
ଭାରତୀୟ ମୁଦ୍ରାରେ ଏହି ଟାବଲେଟ୍ର ଦାମ୍ ମାତ୍ର ୫୦ ରୁ ୭୦ ଟଙ୍କା ମଧ୍ୟରେ ରହିଛି ଏବଂ ଏହା ରୁଷିଆର ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପରେ ସହଜରେ ମିଳୁଛି । ଉତ୍ପାଦନକାରୀ କମ୍ପାନୀଗୁଡ଼ିକର ଦାବି ଅନୁଯାୟୀ, ମାତ୍ର ଏକ ଛୋଟ ଟାବଲେଟ୍ ପ୍ରାୟ ୨୦୦ ଲିଟର ପେଟ୍ରୋଲକୁ ପ୍ରୋସେସ୍ କରିବାର କ୍ଷମତା ରଖିଛି । କିଛି ବ୍ରାଣ୍ଡ ତ ସୋସିଆଲ ମିଡିଆରେ ଏଭଳି ମଧ୍ୟ ଦାବି କରୁଛନ୍ତି ଯେ, ଏହି ଟାବଲେଟ୍ ଟାଙ୍କିରେ ପଡ଼ିବା ମାତ୍ରେ ନିମ୍ନମାନର 'AI-92' ଗ୍ରେଡ୍ ପେଟ୍ରୋଲକୁ ଶୁଦ୍ଧ ଏବଂ ପ୍ରିମିୟମ କ୍ୱାଲିଟିର 'AI-95' ଷ୍ଟାଣ୍ଡାର୍ଡ ପେଟ୍ରୋଲରେ ବଦଳାଇ ଦିଏ । ଏହି ଆକର୍ଷଣୀୟ ଟାବଲେଟ୍ ଜାଲରେ ଫସି ରୁଷିଆର ଲକ୍ଷ ଲକ୍ଷ ଡ୍ରାଇଭର ଏହି ଗୋଲି କିଣିବାରେ ପାଣି ଭଳି ପଇସା ଖର୍ଚ୍ଚ କରୁଛନ୍ତି ।
ଏହା ବି ପଢ଼ନ୍ତୁ... US Warned Iran: ‘ଯୁଦ୍ଧ ବାର୍ତ୍ତା ରୋକିବାକୁ ଇରାନ ନେତାଙ୍କୁ ମାରିବାକୁ ଚାହୁଁଛି ଇସ୍ରାଏଲ’ ଇରାନକୁ ଗୁପ୍ତ ଚେତାବନୀ ଦେଲା ଆମେରିକା
ବିଶେଷଜ୍ଞଙ୍କ ଚେତାବନୀ:
ବୈଜ୍ଞାନିକ ସ୍ତରରେ ଏପର୍ଯ୍ୟନ୍ତ ଏହା ପ୍ରମାଣିତ ହୋଇନାହିଁ ଯେ, ଏହି ଟାବଲେଟ୍ଗୁଡ଼ିକ ମାଇଲେଜ୍ କେମିତି ବଢ଼ାଏ । ଏହି ପ୍ରସଙ୍ଗରେ ବଡ଼ ବଡ଼ ଅଟୋମୋବାଇଲ୍ ବିଶେଷଜ୍ଞମାନେ ଗାଡ଼ି ଚାଳକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, "ଏହି ଟାବଲେଟ୍ରେ ଥିବା କେମିକାଲ ଏବଂ ଆଡିଟିଭ୍ସ ପେଟ୍ରୋଲ ସହ ମିଶି ଏକ ବିପଦଜନକ କେମିକାଲ ରିଆକ୍ସନ ସୃଷ୍ଟି କରିପାରେ । ଏହା ଦ୍ୱାରା ଗାଡ଼ିର ଦାମୀ ଫ୍ୟୁଏଲ୍ ଇଞ୍ଜେକ୍ଟର ଜାମ୍ ହୋଇଯାଇପାରେ କିମ୍ବା କାର୍ର ସମ୍ପୂର୍ଣ୍ଣ ଇଞ୍ଜିନ ସବୁଦିନ ପାଇଁ ସିଜ୍ ହୋଇପାରେ ।" ଅନେକ ଏକ୍ସପର୍ଟ ଏହାକୁ କେବଳ ଏକ ‘ଇଞ୍ଜିନ ପ୍ଲେସିବୋ’ ବୋଲି କହିଛନ୍ତି, ଯାହା ସଙ୍କଟରେ ଥିବା ଅସହାୟ ଡ୍ରାଇଭରମାନଙ୍କୁ ଭୁଆଁ ବୁଲାଇ କେବଳ ପଇସା ରୋଜଗାର କରିବା ପାଇଁ ବଜାରକୁ ଅଣାଯାଇଛି । ତେଣୁ ଏଭଳି ଗୁଜବ ଏବଂ ଜାଦୁକରୀ ଦାବିଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।