ଭୁବନେଶ୍ବର ୩/୭ : ଶନିବାର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଡାକ୍ତରଙ୍କ ହେବ ଆଲୋଚନା । ଆସନ୍ତାକାଲି ଦିନ ସାଢେ ୧୧ଟା ସମୟରେ ମନ୍ତ୍ରୀଙ୍କ ଚାମ୍ବରରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଏ ନେଇ ଓମସା ସଭାପତି ଓ ସମ୍ପାଦକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ସୂଚନା ଅନୁସାରେ, ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର ଗତକାଲି କଠୋର ଚେତାବନୀ ଦେଇଥିଲେ । ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗ ଦେବାକୁ ଚେତାବନୀ ଦେଇଥିଲେ । କାର୍ଯ୍ୟରେ ଯୋଗ ନ ଦେଲେ ଆନ୍ଦୋଳନରତ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସିଡିଏମ୍ଓ, ପିଏଚଓଙ୍କୁ ନିର୍ଦେଶନାମା ଜାରି କରାଯାଇଥିଲା । ସମସ୍ତ ମେଡିକାଲ କଲେଜ ଅଧ୍ୟକ୍ଷ ଏବଂ ଅଧୀକ୍ଷକଙ୍କୁ ଚିଠି କରାଯାଇଥିଲା । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଚିଠି କରାଯାଇଥିଲା ।
ପ୍ରଥମେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଆଲୋଚନାରେ ସାମିଲ ହେବାକୁ ସରକାର ଅନୁରୋଧ କରିଥିଲେ । ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଥିଲା । ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA) ପକ୍ଷରୁ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ , କମିଶନର ତଥା ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ OMSA ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲା। ସରକାର ପୂର୍ବରୁ ଡାକ୍ତରମାନଙ୍କ ବହୁ ଦାବିକୁ ଗ୍ରହଣ କରି ସେମାନଙ୍କର କ୍ଯାଡର ରି-ଷ୍ଟ୍ରକଚରିଂ , Dynamic Assured Career Progression (DACP), Special Incentive ଏବଂ Place-based Incentive ପରି ବିଭିନ୍ନ ସୁବିଧା ଲାଗୁ କରିଛନ୍ତି । ଡାକ୍ତର ମାନଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଅନେକ ସୁବିଧା କରିଛନ୍ତି । ରାଜ୍ୟ ସରକାର ସର୍ବଦା ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ରହିଛନ୍ତି। କିନ୍ତୁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସେଥିପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜଣାଇ ଦିଆଯାଇଥିଲା ।